କଟକ, ୦୫/୦୯ : କଟକ ଜଗତପୁର ନିକଟରେ ଗୋଟିଏ ଲାଇନରେ ପାଖାପାଖି ହେଲେ ୨ ମେମୁ ଟ୍ରେନ୍। ଯାହାକୁ ନେଇ ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଛନ୍ତି। ଏହି ଭିଡିଓ ଭାଇରାଲ୍ ହେବା ପରେ ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଅନୌପଚାରିକ ଭାବେ ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ, ରେଳବାଇର ଏହା ଏକ ସ୍ୱାଭାବିକ କାର୍ଯ୍ୟକ୍ରମ ଏବଂ ଏଥିରେ କୌଣସି ଭୟ କରିବାର ଆବଶ୍ୟକତା ନାହିଁ।
ସୂଚନାନୁଯାୟୀ, କଟକ ଜଗତପୁର ନିକଟରେ ଦୁଇଟି ମେମୁ ଟ୍ରେନ୍ ଗୋଟିଏ ଲାଇନରେ ପାଖାପାଖି ହୋଇଯାଇଥିଲେ। ଟ୍ରେନ ୨ଟି ଆଗ ପଛ ହୋଇ ନିକଟତର ହୋଇଥିଲେ। ଉଭୟ ଗାଡ଼ି ମଧ୍ୟରେ ରେଳବାଇ ଦ୍ୱାରା ଧାର୍ଯ୍ୟ ହୋଇ ଥିବା ୧୨୦ ମିଟର ଦୂରତା ରଖା ଯାଇଥିଲା। ନୂଆ କରି ସିଗନାଲ କାମ କରାଯାଉ ଥିବାରୁ ଦୁଇଟି ଯାକ ଗାଡ଼ିକୁ ଅଟକା ଯାଇଥିଲା।