ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମାର୍କେଟ ବିଲ୍‌ଡିଂର ୨୦୦ଟଙ୍କିଆ କୁର୍ତ୍ତି

ଭୁବନେଶ୍ୱର: ଅତି କଷ୍ଟରେ ଗାଁ କଲେଜରୁ ହୋମ୍‌ ସାଇନ୍ସ ବିଭାଗରେ ନିଜର ସ୍ନାତକୋତ୍ତର ସମ୍ପୂର୍ଣ୍ଣ କରିଥାଏ ସୀମା । ପାଠ ସେତେ ଭଲ ହୁଏନି ତା'ର, କିନ୍ତୁ ସାମାଜିକ ବିଜ୍ଞାନରେ ସେ ଟପ୍‌ କରେ । ତା'ର ଏକ୍‌ ଜିଦ୍‌ ଥିଲା ସେ ସାମାଜିକ ବିଜ୍ଞାନ ବିଭାଗରେ ସ୍ନାତକୋତ୍ତର ପଢ଼ିବ, କିନ୍ତୁ ବାପା ତା'ର ହୋମ୍‌ ସାଇନ୍‌ସ ବିଭାଗରେ ଆଡମିଶନ କରାଇଦେଲେ ।

ପଡ଼ିଶା ଘର କୁନୁଦିଦି ଭଳି ଭୁବନେଶ୍ୱରରେ ରହି ଚାକିରି କରିବାର ଅସୁମାରୀ ଇଚ୍ଛା । କି ସୁନ୍ଦର ସୁନ୍ଦର ଡ୍ରେସ ପିନ୍ଧି କୁନୁଦିଦି ଅଫିସ ଯାଆନ୍ତି, ଭାରି ଦାମିକିଆ ହେଇଥିବ! ମୁଁ ବି ଚାକିରି କରି ସେଇଭଳି କୁର୍ତ୍ତି ପିନ୍ଧିବି ବୋଲି ମନରେ ଭାରି ଖୁସି ହେଉଥାଏ ସେ । ହେଲେ ଚାକିରି ପାଇବ ସେ କେଉଁଠୁ? ମନେ ମନେ ଭାବିଲା, ଯାଉଛି କୁନୁଦିଦି ବୋଉର ଶୁଖୁଆ ଭାରି ପ୍ରିୟ, ବୋଉକୁ କହି ଆଜି ଶୁଖୁଆ ତରକାରି ଟିକେ ବଡ଼ବୋଉଙ୍କୁ ଦେଇ  ତା'ଠୁ କୁନୁଦିଦିର ନମ୍ବର ଆଣିବି, ତା'ପରେ ତାଙ୍କୁ କହିବି ମୋ ପାଇଁ ଭୁବନେଶ୍ୱରରେ ଗୋଟିଏ ଚାକିରି ବୁଝିଦେବେ । ଦିନ ଦ୍ୱିପ୍ରହରରେ ଶୁଖୁଆ ତରକାରି ନେଇ ବଡ଼ବୋଉ ଦୁଆରମୁହଁରେ ଡାକ ପକାଇଲା ସୀମା । ଖଟିଆରେ ଶୋଇ ବିଞ୍ଚି ହେଉଥିବା ତା' ବଡ଼ବୋଉ ଉଠିଆସି ବାଉଁଶ ତାଟିଟାକୁ ଖୋଲିଲେ । ସୀମା ତାଙ୍କ ହାତରେ ସଙ୍ଗେସଙ୍ଗେ ବଢ଼ାଇଦେଲା ତରକାରି ଗିନା । ଦେଖିଦେଇ ତା' ବଡ଼ବୋଉ କହିଲେ ‘ହଁ ପରା, ତୋ ବୋଉ ଆଜି ଶୁଖୁଆ କରୁଥିଲା, ମତେ ଜଣାଥିଲା, ଝରକା ପଟରୁ ଖାଲି ମହମହ ବାସନା ହେଉଥିଲା ଆଉ । ଯାହାହେଉ ଆଜି ଭାତ ଉଠିଯିବ ।’ ଏତିକି କହୁ କହୁ କେତେବେଳେ ଗିନାଟାକୁ ଧୋଇ ସୀମାକୁ ବଢ଼େଇଦେଲେ ଯେ ସୀମା ମୁହଁ ମଲାଜହ୍ନ ପରି ହୋଇଗଲା ।

ଏଁ! ମୁଁ ବଡ଼ବୋଉ ସହ ଗପି ତା'ଠୁ କୁନୁଦିଦି ନମ୍ବର ନେବି ବୋଲି ଭାବିଥିଲି, ବଡ଼ବୋଉ କ’ଣ ଯେ ମତେ ଗିନା ବଢ଼େଇ ଦେଲା । ସଙ୍ଗେ ସଙ୍ଗେ ଖଟିଆ ଉପରେ ବସିପଡ଼ିଲା ସୀମା ଆଉ କହିଲା- ମତେ କହିଲ, କୁନୁଦିଦି ଏତେ ବଡ଼ ଚାକିରି କେମିତି ପାଇଲା । ହଇଲୋ ତୁ ମୋ ଧୁଆ ବିଛଣାଟାରେ କ’ଣ ବସିପଡ଼ିଲୁ, ଉଠ୍‌ ସେଠୁ ଉଠ୍‌ ପରା କହିଲି । ମୋ ଝିଅ ମତେ ନୂଆ ବେଡସିଟ୍‌ ଦେଇଛି, ତା' ନୂଆ ଗନ୍ଧ ଛଡ଼େଇବାକୁ ମୁଁ ଖରାରେ ଦେଇଛି । ତୁ ଗଲୁ ଏଠୁ, କହିଲା ମୋ ଝିଅ କେମିତି ଚାକିରି କଲା । ଆଲୋ ହେଇ, ମୋ କୁନୁ ପରି ପାଠୋଇ ଏ ଖଣ୍ଡମଣ୍ଡଳରେ କିଏ ଥିବ!

ଉଁ! କେତେ ଛଇ ଦେଖାଉଛୁ ତୁ ବଡ଼ବୋଉ । ଦଉନୁ ଟିକେ କୁନୁଦିଦି ନମ୍ବର, କଥା ହେବି ବୋଲି ସୀମା କହୁ କହୁ ତୁ ଯା’ଲୋ ଟୋକୀ, କେତେ ଗପୁଛୁ । ଏତିକି କହି ନୀଳ (ବଡ଼ବୋଉ) ଭାତ ଆଣିବାକୁ ଯାଉ ଯାଉ ସୀମା କାଇଦା କରି ତାଙ୍କ ମୋବାଇଲରୁ କୁନୁର ନମ୍ବର ନେଇଆସିଲା । ସନ୍ଧ୍ୟାରେ ଲୁଡୋ ଗେମ୍‌ ଖେଳିବ ବୋଲି କହି ବାପାଙ୍କଠୁ ମୋବାଇଲ ଆଣି କୁନୁଦିଦିକୁ ଫୋନ ଲଗାଇଲା ।

ହେଲୋ! କୁନୁଦିଦି ମୁଁ ସୀମା! କହୁ କହୁ ମୋବାଇଲରେ ବାଜିଲା ‘ରାଜା ଟେକ୍ସଟାଇଲ୍‌ସକୁ ଆପଣଙ୍କୁ ସ୍ୱାଗତ, କୁହନ୍ତୁ ମୁଁ ଆପଣଙ୍କୁ କି ସାହାଯ୍ୟ କରିପାରେ? ସୀମା ନମ୍ର ସ୍ୱରରେ ଆଉଥରେ ହେଲୋ କହିଲା ପରେ ସେପଟୁ ହଁ ସୀମା କହ, ଜାଣିଲି ତୁ, ଦାଦାଙ୍କ ନମ୍ବର ମୋର ସେଭ୍‌ ଥିଲା ବୋଲି କୁନୁ ଉତ୍ତର ଦେଲା । ସଙ୍ଗେ ସଙ୍ଗେ ସୀମା କହିଲା- ତୁମେ କି ଚାକିରି କରୁଛ ଭୁବନେଶ୍ୱରରେ ଦିଦି? ପ୍ରତ୍ୟୁତ୍ତରରେ କୁନୁ କହିଲା- କାହିଁକି କ’ଣ ହେଲା?

ନାଇଁ ମ! ଦିଦି ମୁଁ ବାପାଙ୍କ ଫୋନରେ ଇନ୍‌ଷ୍ଟାଗ୍ରାମ ଖୋଲିଛି, ସେଥିରେ ଦେଖେ କେତେ ସୁନ୍ଦର ସୁନ୍ଦର ଝିଅ ପଶାପାଲି, ସମ୍ବଲପୁରୀ ଡ୍ରେସ ପିନ୍ଧି ରିଲ୍‌ସ କରନ୍ତି, ଆଉ ତଳେ ପଇସା ଲେଖା ହୋଇଥାଏ ଦଶ ହଜାର, ବାର ହଜାର ଇତ୍ୟାଦି । ତୁମେ ଗାଁକୁ ଆସିଲେ ସେଇଭଳି ଡ୍ରେସ ପିନ୍ଧି ଆସ, ଓଃ ଭାରି ସୁନ୍ଦର ଲାଗେ । ଭାବିଲି ତୁମେ ବଡ଼ ଚାକିରି କରିଛ, ନହେଲେ ଏତେ ଟଙ୍କାର ଡ୍ରେସ କେମିତି ପିନ୍ଧିବ । ଓଃ! ଏଇ କଥା କହି ହସିଦେଲା କୁନୁ! କ’ଣ ହସିଲ ଯେ ଦିଦି, ମୋର ନା ସେଇ ଡ୍ରେସ ଭାରି ପସନ୍ଦ, ସେଥିପାଇଁ ତୁମ ଭଳି ଚାକିରି କରି ପଇସା ରୋଜଗାର କରିବି ଆଉ ସମ୍ବଲପୁରୀ ଡ୍ରେସ ପିନ୍ଧିବି! କୁନୁ ଏତିକିବେଳେ କହୁଥାଏ- ସୀମା ତୁ ଫୋନ ରଖେ, ମୋ ମ୍ୟାନେଜର ଆସିଲେଣି ମତେ ଗାଳି କରିବେ, ମୁଁ ଘରକୁ କାଲି ଛୁଟିରେ ଯିବି କଥା ହେବା । ସଙ୍ଗେସଙ୍ଗେ ସୀମା ଫୋନ କାଟିଦେଇ ମନେମନେ ଗୁଣୁଗୁଣୁ ହେଲା- ହଁ ତ, ଦିଦି ଭଲ ଚାକିରି କରିଛନ୍ତି, ନହେଲେ ମ୍ୟାନେଜର କେଉଁଠୁ ଆସିବେ, ବଡ଼ ବଡ଼ କମ୍ପାନୀରେ ମ୍ୟାନେଜର ଥାଆନ୍ତି ବୋଲି କଲେଜରେ ସାର୍‌ କହିଥିଲେ ।

ସକାଳ ହେଲା, କୁନୁ ଦିଦି ଆସିବାକୁ ଚାହିଁ ରହିଥାଏ ସୀମା । ଦୁଆର ମୁହଁରେ ଅଟୋରୁ କୁନୁକୁ ଓହ୍ଲାଇବାର ଦେଖି ସୀମା ଦୌଡ଼ିଗଲା । ଏତିକିବେଳେ ନୀଳ ଦୌଡ଼ିଆସି କହିଲେ- ଆଲୋ ହେଇ, ତୁ ଟିକେ ମୋ ଝିଅକୁ ବିଶ୍ରାମ କରିବାକୁ ଦେ, ସେ କେତେ ବାଟରୁ ଆସିଛି । ତୁ ଗଲୁ ଯାଆ, ଚାରିଟାବେଳେ ଆସିବୁ । ସୀମା ମନ ଊଣାକରି ଘରକୁ ଗଲା ଓ ବୁଢ଼ୀମା' ପାଖରେ ରାଉ ରାଉ ହେଇ କହିଲା- ଝିଅ ଚାକିରି କରିଛି ବୋଲି ମାଆର ଭାରି ଗର୍ବ! ତୁ ଦେଖିବୁ ଲୋ ବୁଢ଼ୀମାଆ! ମୁଁ ବି ଚାକିରି କରିବି ଆଉ ମୋ ବୋଉ କେମିତି ଛାତି ଫୁଲେଇ ଗାଁରେ କହିବ- ମୋ ଝିଅ ସହରରୁ ଆସିଛି । ମଲା ମଲା, ତୁ କାହିଁକି ମ ଚାକିରି କରିବୁ, ତୁ ଆମର ବାହା ହୋଇ ଶାଶୂଘରକୁ ଯିବୁ, ସେଠି ନଅ ତିଅଣ, ଛଅ ଭଜା ତୋ ଗେରସ୍ତକୁ ପରଷିବୁ । ବୁଢ଼ୀମାଆ ଏତିକି କହିନି ଯେ ସଙ୍ଗେସଙ୍ଗେ ଉତ୍ତର ଦେଇ କହିଲା- ହଁ, ସେଥିପାଇଁ ତ ବାପା ମତେ ସାମାଜିକ ବିଜ୍ଞାନ ନପଢ଼େଇ ହୋମସାଇନ୍‌ସରେ ଆଡମିଶନ କରେଇଦେଲେ କହି ଶୋଇପଡ଼ିଲା ସୀମା । ଆଖି ଫିଟୁଣୁ ସାମ୍ନାରେ କୁନୁଦିଦିକୁ ଦେଖି କୁଣ୍ଢେଇ ପକେଇ କହିଲା- ଦିଦି ମୋ ପାଇଁ ଚାକିରି ବୁଝିଦିଅ ପ୍ଲିଜ୍‌ । କୁନୁ ପଚାରିଲା- ତୁ କି ଚାକିରି କରିବୁ? ସୀମା କହିଲା- ତୁମେ ଏତେ ଭଲ ପାଠ ପଢ଼ି ଯେଉଁ ଚାକିରି କରିଛ ତାହା ତ ମୁଁ କରିପାରିବିନି । କିନ୍ତୁ ତା'ଠୁ ଯଦି କିଛି ତଳ ପୋଷ୍ଟ ଥିବ ମତେ କହିବ! ହସିହସି କୁନୁ କହିଲା- ତୁ କ’ଣ ଝାଡୁ ମାରିବୁ? ଏତିକିବେଳେ ସୀମା ଆଶ୍ଚର୍ଯ୍ୟ ହୋଇ କୁନୁକୁ କହିଲା- ଦିଦି କ’ଣ ମୁଁ ହୋମସାଇନ୍‌ସ ପଢିଛି ବୋଲି ଥଟ୍ଟା କରୁଛ । ଏତିକିବେଳେ କୁନୁ କହିଲା- ମୁଁ ଏମ୍‌ବିଏ କରି ମାର୍କେଟ ବିଲଡିଂରେ ଛୋଟ ଲୁଗା ଦୋକାନରେ ସେଲ୍‌ସମ୍ୟାନ ଅଛି, ମୋ ତଳ ପୋଷ୍ଟ ଗୋଟେ ସ୍ୱିପରର, ସେଥିପାଇଁ କହିଲି । ଦିଦି ତୁମେ ଏ କ’ଣ କହୁଛ! ତୁମେ ଆମ ଗାଁର ଗୌରବ, ପାଠ ପଢ଼ି ଜିଲ୍ଲା ଟପ୍ପର ହୋଇଥିଲ । ମୁଁ ଭାବିଲି ତୁମେ କେଉଁ ବଡ଼ କମ୍ପାନୀରେ ଚାକିରି କରୁଥିବ । କିନ୍ତୁ!

ନାଇଁରେ ସୀମା, ବାପା ବୋଉ ଜମି ବିକି ପାଠ ପଢ଼େଇଲେ । ଭଲ ନମ୍ବର ରଖିବା ସତ୍ତେ୍ୱ ମଧ୍ୟ କେଉଁଠି ଭଲ ଚାକିରି ପାଇଲି ନାହିଁ । ଆଉ ଯେଉଁଠି ଫର୍ମ ପକେଇ ଆବେଦନ କଲି ସେଠାରେ ଜେନେରାଲ କାଷ୍ଟ ପାଇଁ କିଛି ପଏଣ୍ଟରେ କଟିଗଲି । ମୋର ଦୁଇଟା ସାଙ୍ଗ ମୋ'ଠୁ କମ୍‌ ପ୍ରତିଶତ ନମ୍ବର ରଖି ସେହି ଚାକିରି ପାଇଲେ, କିନ୍ତୁ ମୁଁ ନୁହେଁ । ଦେଖୁଛୁ ତ, ବାପା ରୋଗଶଯ୍ୟାରେ, ଯଦି ତାଙ୍କୁ ଧ୍ୟାନ ନଦେଇ ଏ ଚାକିରି ପଛରେ ଗୋଡ଼େଇବି କିଛି ଲାଭ ହେବନି, କାରଣ ମୁଁ ଜାଣିଛି ମୋର ଜେନେରାଲ କାଷ୍ଟ ହେବା ସବୁଠୁ ବଡ଼ ପାପ! ବାପାମାଆଙ୍କୁ ବୃଦ୍ଧାବସ୍ଥାରେ ଦୁଃଖରେ ନଦେଖିବା ପାଇଁ ମିଛରେ କମ୍ପାନୀରେ ଚାକିରି କରିଛି ବୋଲି କହି ଲୁଗା ଦୋକାନରେ ସେଲ୍‌ସମ୍ୟାନ ଅଛି ।

ଆଖିରୁ ଦୁଇଟୋପା ଲୁହ ଗଡ଼ାଇ, ଆଣିଥିବା ବ୍ୟାଗରୁ ବଢ଼େଇଦେଲା କୁନୁ ନୀଳ, ନାଲି, ଧଳାର ପଶାପାଲି କୁର୍ତ୍ତି । କହିଲା- ନେ, ମୁଁ ତୋ’ପାଇଁ ଆଣିଛି ପିନ୍ଧିବୁ । ଏ ସେଇ ଦଶହଜାର, ବାରହଜାର ଡ୍ରେସ ପରି ଅବିକଳ ଦେଖାଯାଉଥିବା ନକଲ ଦୁଇଶହ ଟଙ୍କାର ପଶାପାଲି କୁର୍ତ୍ତି । ମୋତେ ପ୍ରତି ମାସରେ ଆମ ଦୋକାନରୁ ୨ଟି ଉପହାର ମିଳେ, ତାହା ପୁଣି ୨୦୦ ଲୋକଙ୍କୁ ଭଲରେ ବୁଝାଇ ଡ୍ରେସ ବିକ୍ରି କଲେ । ସେଥିରୁ ତୋ’ପାଇଁ ଖଣ୍ଡେ ଆଣିଛି, ତୁ ପିନ୍ଧିଲେ ମୁଁ ଖୁସି ହେବି! ଏତିକିବେଳେ କୁନୁର ଲୁହଭିଜା ଆଖିକୁ ଚାହିଁ ରହିଥାଏ ସୀମା । ମନରେ ଅସରନ୍ତି ପ୍ରଶ୍ନ । କିନ୍ତୁ ପଚାରିବ ସେ କେମିତି? ବୋଧହୁଏ ସମ୍ବଲପୁରୀ ଡ୍ରେସ ପରି ଦୁନିଆ ନକଲ ହୋଇଥିବ!

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.