ନୀଳଗିରି, ୭/୧୧ : ବାଲେଶ୍ଵର ଜିଲ୍ଲା ନୀଳଗିରିକୁ ଜିଲ୍ଲା ଦାବିନେଇ ମଙ୍ଗଳବାର ନୀଳଗିରିରୁ ବାଲେଶ୍ଵର ଦୀର୍ଘ ୨୨ କିଲୋମିଟର ପଦଯାତ୍ରା ହୋଇଛି। ଦେଶ ସ୍ୱାଧୀନ ପରେ ନୀଳଗିରି ପ୍ରଥମ ଗଡ଼ଜାତ ରାଜ୍ୟ ଭାବେ ଗଣତନ୍ତ୍ରରେ ସାମିଲ ହୋଇଥିଲା। ଏହା ଆଦିବାସୀ ବହୁଳ ଅଞ୍ଚଳ ଉପଖଣ୍ଡ ମାନ୍ୟତା ପାଇଛି ସତ ହେଲେ ଜିଲ୍ଲା ହେବାନେଇ ପୂର୍ବରୁ ଦାବି ହୋଇଆସୁଥିଲା।
ଶତାଧିକ ସର୍ବଦଳୀୟ ଅଞ୍ଚଳବାସୀ ନୀଳଗିରି ଜିଲ୍ଲା କମିଟିର ଆବାହକ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଜଗନ୍ନାଥ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ବାଲେଶ୍ଵର ଅଭିମୁଖେ ଯାଇଥିଲେ। ସେଠାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଯେପର୍ଯ୍ୟନ୍ତ ଜିଲ୍ଲା ନହୋଇଛି ସେପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦିଆଯାଇଛି।