ବୌଦ୍ଧ, ୧୨/୦୭ : ବୌଦ୍ଧ ପୁରୁଣା କଟକ ଥାନା ଟିଲେଶ୍ୱର୍ ଗ୍ରାମର ଏସବିଆଇ ATMରୁ ଲୁଟ ଉଦ୍ୟମ ଘଟଣା। ୩ ଆନ୍ତଃରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୁରୁଣା କଟକ ପୋଲିସ। ଗ୍ୟାଙ୍ଗ୍ର ମାଷ୍ଟରମାଇଣ୍ଡ୍ ଫେରାର୍। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ଗୋଟିଏ କାର୍ ସହ ଲୁଟ୍ରେ ବ୍ୟବହୃତ ହେଉଥିବା ସାମଗ୍ରୀ ଜବତ।
ସୂଚନାନୁଯାୟୀ, ଗତ ୭ ତାରିଖ ଦିନ ବିଳମ୍ବିତ ରାତିରେ ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ଟିଲେଶ୍ୱର ଗ୍ରାମରେ ଥିବା ଏସବିଆଇ ଏଟିଏମ୍ରୁ ଲୁଟ୍ ଉଦ୍ୟମ ହୋଇଥିଲା। ୪ ଜଣ ଲୁଟେରା ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ କରୁଥିଲେ। ଏହି ସମୟରେ ଶବ୍ଦ ଶୁଣି କିଛି ଗ୍ରାମବାସୀ ଏଟିଏମ୍ ନିକଟକୁ ଚାଲି ଆସିଥିଲେ। ଫଳରେ ଲୁଟେରାମାନେ ସେଠାରୁ ଚମ୍ପଟ ମାରିଥିଲେ। ଅଭିଯୋଗ ପାଇ ଘଟଣାସ୍ଥଳରେ ପୁରୁଣା କଟକ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା କରିବା ସହ ସିସିଟିଭି ଯାଞ୍ଚ୍ କରିଥିଲା।
ସିସିଟିଭି ଆଧାରରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରୁ ୩ ଜଣ ଲୁଟେରାଙ୍କୁ କାବୁ କରିବାରେ ପୋଲିସ ସଫଳ ହୋଇଛି। ତେବେ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍ ଏବେବି ଫେରାର ରହିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଶେରଗଡ଼ର ରୋସନ୍ ରାଉତ, କଟକ ପୁରୀଘାଟର ସୁରେନ୍ଦ୍ର ସେଠୀ ଓ ଖାନ୍ ନଗରର ଦେବାଶିଷ ପ୍ରଧାନ। ଅଭିଯୁକ୍ତଙ୍କ ଠାରୁ ଏକ ନାନୋ କାର, ୩ଟି ମୋବାଇଲ, କଇଁଚି, ସୁଟକେସ୍, ଏୟାର ବ୍ୟାଗ, କ୍ଲୋରଫର୍ମ, ଆକ୍ସିଜେନ ସିଲିଣ୍ଡର, କଟର, ପ୍ଲାଷ୍ଟିକ ଦୌଡି, ପୋଲିସ ଓ ସିକ୍ୟୁରିଟି ୟୁନିଫର୍ମ, ଆଦି ଜବତ ହୋଇଛି। ଏହି ଲୁଟେରା ଗ୍ୟାଙ୍ଗ୍ ଘର ଲୋକଙ୍କୁ ତେଲେଙ୍ଗାନା କାମ କରିବାକୁ ଯାଉଛୁ କହି ଟିଲେଶ୍ଵର ପହଁଚି ATM ଲୁଟ ଉଦ୍ୟମ କରିଥିବା ଜଣାପଡ଼ିଛି।