ମୁମ୍ବାଇ: ବିଶ୍ବକପ୍ରେ ପ୍ରଥମ ଦ୍ବିଶତକ ସହ ମେଗା ଶୋ’ ଦେଖାଇଛନ୍ତି ଗ୍ଲେନ୍ ମ୍ୟାକ୍ସଓ୍ବେଲ । ଏକାକୀ ଅଷ୍ଟ୍ରେଲିଆକୁ ଜିତାଇ ଦେଇଛନ୍ତି ମ୍ୟାକ୍ସଓ୍ବେଲ । ଗୁରୁତର ଆହତ ସତ୍ତ୍ବେ ଆଫଗାନିସ୍ତାନକୁ ପାଣି ପିଆଇ ଛକା ଚୌକା ବର୍ଷା କରିବା ସହ ଓଭର ବାକି ଥାଇ ଟିମ୍କୁ ବିଶାଳ ବିଜୟ ଦେଇଛନ୍ତି । ୱାଙ୍ଖଡ଼େ ଷ୍ଟାଡିୟମରେ ଗ୍ଲେନ୍ ମାକ୍ସୱେଲ୍ ୧୦ ଛକା ଏବଂ ୨୧ଟି ଚୌକା ସହ ଅପରାଜିତ ୨୦୧ ରନ୍ କରିଛନ୍ତି ।
ଏହା ସହ ୪୬.୫ ଓଭରରେ ୭ ଓ୍ବିକେଟ ହରାଇ ମ୍ୟାଚ୍କୁ ଜିତିନେଇଛି ଅଷ୍ଟ୍ରେଲିଆ ଟିମ୍ । ଆଉ ଏହି ବିଶାଳ ବିଜୟ ସହ ବିଶ୍ବକପ୍ ସେମିଫାଇନାଲରେ ପ୍ରବେଶ କରିଛି ଦଳ । ସେପଟେ ପ୍ରଥମେ ବ୍ୟାଟିଂ କରି ୨୯୧ ରନ୍ କରିଥିଲେ ହେଁ ଆଫଗାନିସ୍ତାନକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି ।
୨୯୨ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଟିମ୍ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଏମିତି ଲାଗୁଥିଲା ଆଜିର ମ୍ୟାଚ୍ ଆଫଗାନିସ୍ତାନ ଯେମିତି ଏକପାଖିଆ ଭାବେ ଜିତିନେବ । ଠିକ୍ ଏତିକି ବେଳେ ଆରମ୍ଭ ହୋଇଥିଲା ମାକ୍ସଓ୍ବେଲଙ୍କ ମେଗା ଶୋ’ । ବଡ଼ ବଡ଼ ଛକା ଏବଂ ଚୌକା ମାରିବା ସହ ଟିମ୍କୁ ବିଜୟ ଆଡ଼କୁ ଭିଡ଼ି ନେଇଥିଲେ ମାକ୍ସଓ୍ବେଲ ।
ତେବେ ଆଜିର ଏହି ମ୍ୟାଚ୍ରେ ବଡ଼ ସଟ୍ ଖେଳୁଥିବା ବେଳେ ମାକ୍ସଓ୍ବେଲଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଏପରିକି ସେ ଦୌଡ଼ିବାକୁ ବି ସମର୍ଥ ହୋଇପାରିନଥିଲେ । ସେ ପାଭିଲିୟନ ଫେରିଯିବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇସାରିଥିଲା । ହେଲେ ସେ ଫେରିବା ପରିବର୍ତ୍ତେ ଟିମକୁ ଜିତାଇବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଏଥିରେ ସଫଳ ମଧ୍ୟ ହେଲେ । ବିଶ୍ବକପରେ ପ୍ରଥମ ବ୍ୟାଟର ଭାବେ ମାକ୍ସଓ୍ବେଲ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ବେଳେ ପ୍ରଥମ ଖେଳାଳି ଭାବେ ଦ୍ବିଶତକ କରିଛନ୍ତି । ଗ୍ଲେନ୍ ମାକ୍ସଓ୍ବେଲ ଆଜିର ମ୍ୟାଚ୍ରେ ମ୍ୟାନ ଅଫ ଦି ମ୍ୟାଚ୍ ହୋଇଛନ୍ତି ।