ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ହଲ୍‌ଦ୍ୱାନି ପରେ ବରେଲିରେ ହିଂସା, ଜ୍ଞାନବାପି ମାମଲାରେ ଜେଲଭରୋ ଆନ୍ଦୋଳନ ଡାକର

ବରେଲି,୧୦/୦୨: ଉତ୍ତରାଖଣ୍ଡର ହଲ୍‌ଦ୍ୱାନି ପରେ ଉତ୍ତର ପ୍ରଦେଶର ବରେଲିରେ ଶୁକ୍ରବାର ବ୍ୟାପକ ହିଂସା ଓ ହଙ୍ଗାମା ହୋଇଛି । ବରେଲିର ଶ୍ୟାମଗଞ୍ଜରେ ପଥର ମାଡ଼ ଯୋଗୁ ୪ ଜଣ  ଆହତ ହୋଇଛନ୍ତି । କୁହାଯାଉଛି ଯେ ବରେଲିରେ  ଜ୍ଞାନବାପି ମାମଲାରେ ଇତେହାଦ-ଏ-ମିଲ୍ଲତ  କାଉନସିଲ (ଆଇଏମ୍‌ସି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୌଲାନା ତୌକୀର ରଜା ‘ଜେଲଭରୋ’  ଆନ୍ଦୋଳନ ଆହ୍ୱାନ ଦେଇଥିଲେ । ଏହାପରେ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା ।  ତେବେ ସେମାନେ କିଛି କରିପାରି ନ ଥିଲେ ।  କିନ୍ତୁ ଫେରିବା ସମୟରେ ହିଂସାକାଣ୍ଡ କରିଥିଲେ ।  ଲୋକମାନେ ବିଭିନ୍ନ ଦୋକାନରେ ଭଙ୍ଗାରୁଜା କରିବା ସହ ଅନ୍ୟ ସମୁଦାୟର ଲୋକଙ୍କୁ ମାର୍‌ଧର କରିଥିଲେ । ପଥର ମାଡ଼ ବି କରିଥିଲେ । 

ଆଇଏମ୍‌ସି ମୁଖ୍ୟ ତୌକୀର ରଜା ଶୁକ୍ରବାର  ଇସ୍‌ଲାମିଆ ଇଣ୍ଟର କଲେଜ ପଡ଼ିଆରୁ ପଦଯାତ୍ରା କରି କଲେକ୍ଟୋରେଟ୍‌ରେ ପହଞ୍ଚି ଜେଲଭରୋ ଆନ୍ଦୋଳନ ଆହ୍ୱାନ ଦେଇଥିଲେ । କେହି ଆମ ଘର ଭାଙ୍ଗିଲେ ଆମେ ଶାନ୍ତ ରହିବୁ ନାହିଁ ବୋଲି  ସେ କହିଥିଲେ । ଲିଫ୍‌ଲେଟ୍‌ ବାଣ୍ଟି ଲୋକଙ୍କୁ  ଏଥିରେ ସାମିଲ ହେବାକୁ ଅପିଲ୍‌ କରାଯାଇଥିଲା ।  ପୁଲିସ ଏହି କାର୍ଯ୍ୟକ୍ରମକୁ ଅବୈଧ ଘୋଷଣା କରି  ଲିଫ୍‌ଲେଟ୍‌ ବାଣ୍ଟିଥିବା ଅଜଣା ଲୋକଙ୍କ ବିରୋଧରେ  ମାମଲା ଦାୟର କରିଥିଲା । ତୌକୀର ରଜାଙ୍କ  ସମେତ ମୋଟ ୩୦ ଜଣଙ୍କୁ ନୋଟିସ୍‌ ଜାରି ହୋଇଥିଲା । ଅପରାହ୍ନ ୧ଟାରୁ ୪ଟା ପର୍ଯ୍ୟନ୍ତ ସ୍ଥିତି  ଖରାପ ରହିଥିଲା । ତେବେ ସାଂକେତିକ ଗିରଫଦାରି  ପରେ ଲୋକଙ୍କୁ ଫେରିଯିବାକୁ କହି ତୌକୀର  ରଜା ପଳାଇଥିଲେ । କିନ୍ତୁ ଲୋକଙ୍କ କ୍ରୋଧ ଥମି ନ ଥିଲା । ସେମାନେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ  ବିରୋଧରେ ସ୍ଲୋଗାନ ଦେଇ ହିଂସା ଭିଆଇଥିଲେ । 

ଉଲ୍ଲେଖଯୋଗ୍ୟ, ଉତ୍ତରାଖଣ୍ଡର ହଲ୍‌ଦ୍ୱାନିରେ  ନଗର ନିଗମ ଗୁରୁବାର ଏକ ଅବୈଧ ମଦ୍ରାସାକୁ  ଭାଙ୍ଗିଦେଇଥିଲା । ନମାଜ ପାଠ ପାଇଁ ନିର୍ମିତ ଏକ କୋଠା ଉପରେ ବି ବୁଲ୍‌ଡୋଜର୍‌ ଚଳାଯାଇଥିଲା ।  ଏହାପରେ ହିଂସା ବ୍ୟାପିଥିଲା । ଲୋକମାନେ  ପୁଲିସ ଓ ନିଗମ କର୍ମଚାରୀଙ୍କ ଉପରେ ଆକ୍ରମଣ  କରିଥିଲେ । ବନଭୂଲପୁରା ଥାନାକୁ ଘେରିଥିଲେ  ଏବଂ ପଥର ମାଡ଼ କରିଥିଲେ । ଏହି ହିଂସାକାଣ୍ଡରେ  ୩ ଜଣ ପ୍ରାଣ ହରାଇଥିଲେ । ଏହାପରେ ୩୦୦  ପୁଲିସ କର୍ମୀ ଓ ନିଗମ କର୍ମଚାରୀ ଆହତ  ହୋଇଥିଲେ । ଏହାପରେ ପ୍ରଶାସନ କର୍ଫ୍ୟୁ  ଲଗାଇଥିଲା । ଦଙ୍ଗାକାରୀଙ୍କୁ ଦେଖିବା କ୍ଷଣି  ଗୁଳି କରିବାକୁ ଆଦେଶ ଦେଇଥିଲା । ଏବେ  ଦଙ୍ଗାକାରୀଙ୍କୁ ଚିହ୍ନଟ କରାଯାଉଛି । 

ନୈନିତାଲ  ଜିଲ୍ଲା ମାଜିଷ୍ଟ୍ରେଟ୍‌ ବନ୍ଦନା ସିଂହ ଶୁକ୍ରବାର କହିଛନ୍ତି,  ହଲ୍‌ଦ୍ୱାନି ହିଂସା ପୂର୍ବ ପ୍ରାୟୋଜିତ ଥିଲା ।  ଏକ ବେଆଇନ ନିର୍ମାଣକୁ ଭଙ୍ଗାଯିବା ପରେ  ବନଭୂଲପୁରାରୁ ବିଶୃଙ୍ଖଳା ଆରମ୍ଭ ହୋଇଥିଲା ।  ଅଭିଯୁକ୍ତମାନେ ପଥର ସଂଗ୍ରହ କରି ଛାତ ଉପରେ  ରଖିଥିଲେ । ଆକ୍ରମଣକାରୀ ପେଟ୍ରୋଲ ବୋମା ବି  ବ୍ୟବହାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.