ପ୍ରମୁଖ ଖବର
  • ଭୁବନେଶ୍ଵର : ଭୁବନେଶ୍ୱରରେ ବିଲ୍‌ ଗେଟ୍ସ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ, କୃଷିଭବନ ଓ ବସ୍ତି ବୁଲିବାର ରହିଛି କାର୍ଯ୍ୟକ୍ରମ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ମାଳଦ୍ୱୀପ ରାଷ୍ଟ୍ରପତିଙ୍କୁ ମହଙ୍ଗା ପଡ଼ିବ ଚୀନ୍‌କୁ ସମର୍ଥନ, ମହାଭିଯୋଗର ସାମ୍‌ନା କରିବେ ମୁଇଜ୍ଜୁ

ମାଲେ,୩୦/୦୧: ଭାରତ ବିରୋଧୀ  ଆଭିମୁଖ୍ୟ ଏବଂ ଚୀନ୍‌ ପ୍ରତି ଅନୁରକ୍ତି ଦେଖାଉଥିବା ମାଳଦ୍ୱୀପର ମହମ୍ମଦ ମୁଇଜ୍ଜୁ ସରକାର ଏବେ ସଙ୍କଟରେ । ଚୀନ୍‌ ସମର୍ଥକ ରାଷ୍ଟ୍ରପତି ମୁଇଜ୍ଜୁଙ୍କ ବିରୋଧରେ ମାଳଦ୍ୱୀପର ମୁଖ୍ୟ ବିରୋଧୀ ମାଲ୍‌ଡିଭିଆନ୍‌ ଡେମୋକ୍ରାଟିକ୍‌  ପାର୍ଟି(ଏମ୍‌ଡିପି) ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଯାଉଛି । ଏଥିପାଇଁ ଏମ୍‌ଡିପି ସମସ୍ତ ସଦସ୍ୟଙ୍କଠାରୁ ଦସ୍ତଖତ ସଂଗ୍ରହ  କରି ମହାଭିଯୋଗ ପାଇଁ ପ୍ରସ୍ତୁତି କରିଥିବା  ରିପୋର୍ଟ ପ୍ରକାଶ ପାଇଛି । ମୁଇଜ୍ଜୁ ଚୀନ୍‌ ପ୍ରତି  ଅତିରିକ୍ତ ଅନୁରକ୍ତ ଥିବା ଏବଂ ମାଲେରେ  ଚୀନ୍‌ର ଏକ ଗୁଇନ୍ଦା ଜାହାଜକୁ ମୁଇଜ୍ଜୁ  ସରକାର ଅନୁମତି ଦେବାକୁ ନେଇ ବିରୋଧୀ ଜୋରଦାର ବିରୋଧ କରିଛନ୍ତି । ରବିବାର  ମଧ୍ୟ ମାଳଦ୍ୱୀପ ସଂସଦରେ ସରକାର ପକ୍ଷ  ଏବଂ ବିରୋଧୀଙ୍କ ମଧ୍ୟରେ ଗଣ୍ଡଗୋଳ ସହ  ମାରପିଟ୍‌ ହୋଇଥିବା ଦେଖିବାକୁ ମିଳିଥିଲା ।  

ମୁଇଜ୍ଜୁ ଗୃହମନ୍ତ୍ରୀ ପଦ ପାଇଁ ଅଲୀ ହୁସେନଙ୍କୁ  ମନୋନୀତ କରିଛନ୍ତି । ବିରୋଧୀ ଦଳ ଏହାକୁ  ବିରୋଧ କରିଛନ୍ତି । ଏଥିସହ ଘସାମ ମାସୁନଙ୍କୁ  ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତ କରାଯିବାକୁ ନେଇ ମଧ୍ୟ  ବିରୋଧୀ ଅସନ୍ତୁଷ୍ଟ ଅଛନ୍ତି । କେବଳ ବିରୋଧୀ  ନୁହେଁ ଶାସକ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ  (ପିଏନ୍‌ସି) ଦଳର ମଧ୍ୟ କେତେକ ସାଂସଦ  ଏହା ସପକ୍ଷରେ ନାହାନ୍ତି । ଏହି କାରଣରୁ ରବିବାର ସଂସଦରେ ହଙ୍ଗାମା ହୋଇଥିଲା । ଏହା ପରେ ବିରୋଧୀ ମୁଇଜ୍ଜୁଙ୍କ ବିରୋଧରେ  ମହାଭିଯୋଗ ଆଣିବା ଲାଗି ନିଷ୍ପତ୍ତି ନେଇଛନ୍ତି ।  

ଭାରତ ବିରୋଧୀ ନାରା ଦେଇ ଗତ  ସେପ୍ଟେମ୍ବରରେ ରାଷ୍ଟ୍ରପତି ଭାବେ ନିର୍ବାଚିତ  ହୋଇଥିବା ମୁଇଜ୍ଜୁ କ୍ରମାଗତ କିଛି ଦିନ ହେଲା  ଘୋର ବିରୋଧର ସମ୍ମୁଖୀନ ହେଉଛନ୍ତି ।  ନିକଟରେ ମୁଇଜ୍ଜୁଙ୍କ ସରକାରରେ ଥିବା ମନ୍ତ୍ରୀ  ଲାକ୍ଷାଦ୍ୱୀପ ପ୍ରସଙ୍ଗରେ ଭାରତ ଓ ଭାରତର  ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ  ମନ୍ତବ୍ୟ ଦେବା ପରେ ଦୁଇ ଦେଶ ମଧ୍ୟରେ  ତିକ୍ତତା ବଢ଼ିଥିଲା । ଏହାକୁ ନେଇ ମଧ୍ୟ ବିରୋଧୀ  ମୁଇଜ୍ଜୁ ସରକାରଙ୍କୁ ଘେରିଥିଲେ । ଏଥିସହ  ଭାରତୀୟ ସୈନ୍ୟ ତୁରନ୍ତ ମାଳଦ୍ୱୀପ ଛାଡ଼ନ୍ତୁ  ବୋଲି ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ମୁଇଜ୍ଜୁ ସରକାର  ସମୟ ଦେଇଛନ୍ତି । ସେଠାରେ ମୁତୟନ ଥିବା  ପ୍ରାୟ ୮୦ ସୈନ୍ୟ ଏହି ଦ୍ୱୀପଦେଶ ପାଇଁ  ବିପଦ ବୋଲି ମୁଇଜ୍ଜୁ କହିଥିଲେ । ତେବେ  ନିକଟରେ ଚୀନ୍‌ର ଗୁଇନ୍ଦା ଜାହାଜ ମାଲେରେ  ପ୍ରବେଶ କରିବାକୁ ନେଇ ମୁଇଜ୍ଜୁ ସରକାର  ବିରୋଧର ସାମ୍‌ନା କରୁଛନ୍ତି । ବିରୋଧୀ  ମହଭିଯୋଗ ପ୍ରସ୍ତାବ ଉପରେ ଆବଶ୍ୟକ  ସଂଖ୍ୟାରେ ସଦସ୍ୟଙ୍କ ଦସ୍ତଖତ ସଂଗ୍ରହ କରିବା  ପରେ ତାହାକୁ ସଂସଦରେ ଦାଖଲ କରିବେ ।  

ମାଳଦ୍ୱୀପ ସମ୍ବିଧାନ ଅନୁସାରେ, କୌଣସି  ପ୍ରସ୍ତାବକୁ ମାଳଦ୍ୱୀପ ସଂସଦରେ ଏକ-ତୃତୀୟାଂଶ  ସଦସ୍ୟ କାରଣ ସହ ଦାଖଲ କରିବେ । ପରେ  ସଂସଦର ଦୁଇ-ତୃତୀୟାଂଶ ସଦସ୍ୟ ତାହାକୁ  ସମର୍ଥନ ଦେବା ଜରୁରି । ମୁଖ୍ୟ ବିରୋଧୀ ଦଳ ଏମ୍‌ଡିପି ନିକଟରେ ସର୍ବାଧିକ ସଦସ୍ୟ  ରହିଛନ୍ତି । ତେଣୁ ଏମ୍‌ଡିପି ସରକାରରେ ଥିବା  ପ୍ରୋଗ୍ରେସିଭ୍‌ ପାର୍ଟି ଅଫ୍‌ ମାଳଦ୍ୱୀପ(ପିପିଏମ୍‌)  ଏବଂ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)  ମେଣ୍ଟକୁ ଚ୍ୟାଲେଞ୍ଜ ଦେଇପାରେ । ୮୭ ଆସନ  ବିଶିଷ୍ଟ ମାଳଦ୍ୱୀପ ସଂସଦରେ ଏବେ ୮୦  ସଦସ୍ୟ ରହିଛନ୍ତି । ସେଥିମଧ୍ୟରେ ଏମ୍‌ଡିପି  ଏବଂ ଡେମୋକ୍ରାଟ୍ସ ପାର୍ଲାମେଣ୍ଟାରୀ ଗ୍ରୁପ୍‌ର ୫୬  ସାଂସଦ ମହାଭିଯୋଗ ପ୍ରସ୍ତାବରେ ଦସ୍ତଖତ  କରିସାରିଛନ୍ତି । ତେଣୁ ମୁଇଜ୍ଜୁଙ୍କ ବିରୋଧରେ ମହାଭିଯୋଗ ଆସିବା ଏକପ୍ରକାର ନିଶ୍ଚିତ ।  ତେବେ ଏହି ପ୍ରସ୍ତାବକୁ ସଂସଦରେ ଦାଖଲ କରାଯାଇନାହିଁ । ଯଦି ଏହି ସାଂସଦମାନେ  ମହାଭିଯୋଗ ପ୍ରସ୍ତାବ ଦାଖଲ କରିବେ ତେବେ  ମୁଇଜ୍ଜୁଙ୍କୁ ୧୪ ଦିନ ମଧ୍ୟରେ ସଂସଦରେ ଉତ୍ତର  ରଖିବାକୁ ପଡ଼ିବ । ନିଜକୁ ଠିକ୍‌ ପ୍ରମାଣିତ  କରିବା ଲାଗି ମୁଇଜ୍ଜୁଙ୍କୁ ୧ ଘଣ୍ଟା ସମୟ  ଦିଆଯିବ। ପରେ ମହାଭିଯୋଗ ଉପରେ  ଭୋଟିଂ କରାଯିବ । ଯଦି ମୁଇଜ୍ଜୁଙ୍କ ବିରୋଧରେ  ୫୪ ସାଂସଦ ଭୋଟ ଦିଅନ୍ତି ତେବେ ତାଙ୍କୁ  ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାକୁ ପଡ଼ିବ ।  ଏପରି ସ୍ଥିତିରେ ମାଳଦ୍ୱୀପର ଉପରାଷ୍ଟ୍ରପତି  ସାମୟିକ ଭାବେ ରାଷ୍ଟ୍ରପତି ପଦ ସମ୍ଭାଳିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.