ମୁମ୍ବାଇ ୧୩/୧୧: ଅଭିନେତ୍ରୀ ମୌନି ରୟଙ୍କ ଇଚ୍ଛା ସେ କୌଣସି ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ରରେ ଅଭିନୟ କରନ୍ତେ । ଏକ ସାକ୍ଷାତକାରରେ ମୌନି କହିଛନ୍ତି, ପିଲାଟିବେଳୁ ହିଁ ନୃତ୍ୟ ପ୍ରତି ତାଙ୍କର ଦୁର୍ବଳତା ରହିଆସିଛି । ସୁଯୋଗ ମିଳିଲେ କୌଣସି ଡ୍ୟାନ୍ସ ଡ୍ରାମାରେ ଭାଗନେବା ପାଇଁ ତାଙ୍କର ଖୁବ୍ ଆଗ୍ରହ ବୋଲି କହିଛନ୍ତି ମୌନି । ବିଶେଷକରି କୌଣସି ଇଣ୍ଡିଆନ୍ କ୍ଲାସିକାଲ୍ ଡ୍ରାମାରେ ସାମିଲ ହେବାକୁ ତାଙ୍କର ପ୍ରବଳ ଇଚ୍ଛା ଓ ସେ ସୁଯୋଗ ଅପେକ୍ଷାରେ ଅଛନ୍ତି ।
ଛୋଟ ଥିବାବେଳେ ଶାସ୍ତ୍ରୀୟ ନୃତ୍ୟ ଶିଖିବାର ସୁଯୋଗ ଅବଶ୍ୟ ତାଙ୍କୁ ମିଳିଥିଲା କିନ୍ତୁ ସମୟ କ୍ରମେ ସେ ତାହାକୁ ନେଇ ଆଗକୁ ବଢ଼ିପାରିଲେ ନାହିଁ । ଯେକୌଣସି ନୃତ୍ୟରେ ସେ ରୁଚି ରଖନ୍ତି କିନ୍ତୁ ଶାସ୍ତ୍ରୀୟ ନୃତ୍ୟ ପାଇଁ ତାଙ୍କର ଦୁର୍ବଳତା ଟିକେ ଅଧିକ । ଶାସ୍ତ୍ରୀୟ ନୃତ୍ୟଗୁଡ଼ିକ ମଧ୍ୟରୁ ପୁଣି କଥକ ତାଙ୍କର ସବୁଠୁ ବେଶି ପସନ୍ଦ । ଏବେ ବିଭିନ୍ନ ପ୍ରୋଜେକ୍ଟରେ ବ୍ୟସ୍ତ ରହି ନୃତ୍ୟ ପାଇଁ ସେ ସମୟ ପାଉନାହାନ୍ତି । ତେବେ ବ୍ୟସ୍ତବହୁଳ କାର୍ଯ୍ୟରୁ ଯେମିତି ହେଉ ସମୟ ବାହାର କରିବାକୁ ଯୋଜନା ରଖିଛନ୍ତି । ସମୟ ମିଳିବା ସହିତ କେହି ଜଣେ ତାଙ୍କୁ ଶାସ୍ତ୍ରୀୟ ନୃତ୍ୟ ଶିଖାଇଲେ ସେ ଅଧିକ ଖୁସି ହେବେ ବୋଲି କହିଛନ୍ତି ମୌନି ।
ଟିଭି ଧାରାବାହିକ ‘ନାଗିନ୍’ ମୌନିଙ୍କୁ ଘରେ ଘରେ ପରିଚିତ କରାଇଥିଲା । ଏହା ପରେ କିଛି ଚଳଚ୍ଚିତ୍ରରେ ନଜର ଆସିଛନ୍ତି ସେ । ବିଶେଷକରି ‘ବ୍ରହ୍ମାସ୍ତ୍ର’ ସିନେମା ତାଙ୍କର ଭାଗ୍ୟ ବଦଳାଇବାରେ ସହାୟକ ହୋଇଥିଲା । ଏହି ଫିଲ୍ମର ସଫଳତା ପରେ ତାଙ୍କ ପାଖକୁ ଅଧିକ ପ୍ରସ୍ତାବ ଆସୁଛି ଏବଂ ସେଗୁଡ଼ିକ ମଧ୍ୟରୁ ଭଲ ମନ୍ଦ ବାଛିବାର ସୁଯୋଗ ସେ ପାଉଛନ୍ତି, ଯାହା କିଛି ବର୍ଷ ପୂର୍ବରୁ ସମ୍ଭବ ନଥିଲା ବୋଲି କହିଛନ୍ତି ମୌନି ।