ନୂଆଦିଲ୍ଲୀ ୨୦/୧୧ : ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ମିସ୍ ୟୁନିଭର୍ସ ୨୦୨୩ର ବିଜେତାଙ୍କ ନାମ ଘୋଷଣା ହୋଇଛି । ୮୪ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଚଳିତବର୍ଷ ପାଇଁ ବ୍ରହ୍ମାଣ୍ଡସୁନ୍ଦରୀ ଟାଇଟଲ୍ ବିଜୟିନୀ ହୋଇଛନ୍ତି ନିକାରାଗୁଆର ୨୩ ବର୍ଷୀୟା ଶେନ୍ନିସ୍ ପାଲାସିଓସ୍ । ଏହି ଟାଇଟଲ ଜିତିବାରେ ସେ ହେଉଛନ୍ତି ନିକାରାଗୁଆର ପ୍ରଥମ ମହିଳା । ସିଲଭର ରଙ୍ଗର ଗାଉନ୍ ପିନ୍ଧି ପାଲାସିଓସ୍ ଅତ୍ୟନ୍ତ ଲାସ୍ୟମୟୀ ଲାଗୁଥିବାବେଳେ ତାଙ୍କୁ ଗତବର୍ଷର ବ୍ରହ୍ମାଣ୍ଡସୁନ୍ଦରୀ ଆମେରିକାର ଆର୍’ ବୋନି ଗାବ୍ରିଏଲ୍ ବିଜୟ ମୁକୁଟ ପିନ୍ଧାଇଥିଲେ । ଏହି ସମୟରେ ଭାବବିହ୍ୱଳ ହୋଇପଡିଥିଲେ ସେ । ଅଷ୍ଟ୍ରେଲିଆର ମୋରୟା ୱିଲସନ୍ ଦ୍ୱିତୀୟ ରନର ଅପ୍ ହୋଇଥିବାବେଳେ ଥାଇଲାଣ୍ଡର ଆଣ୍ଟୋନିଆ ପୋରସ୍ଲିଡ୍ ଫାଷ୍ଟ ରନର ଅପ୍ ହୋଇଛନ୍ତି ।
ଏଲ ସାଲ୍ଭାଡୋରର ରାଜଧାନୀ ସାନ୍ ସାଲଭାଡୋରର ଜୋସ୍ ଆଡୋଲ୍ଫୋ ପିନେଦା ଆରେନାରେ ଅନୁଷ୍ଠିତ ହୋଇଥିଲା ୭୨ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା । ଭାରତୀୟ ସମୟ ଅନୁସାରେ ଆଜି ସକାଳ ୬.୩୦ରୁ ଏହା ଆରମ୍ଭ ହୋଇଥିଲା । ପ୍ରଶ୍ନୋତ୍ତର ସମୟରେ ଜଳବାୟୁ ପରିବର୍ତ୍ତନରୁ ନେଇ ଲିଙ୍ଗଗତ ସମାନତା ଯାଏ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସମ୍ବୋଧିତ କରିବାରେ ପାଲାସିଓସ୍ଙ୍କର କ୍ଷମତା ଏବଂ ସାମାଜିକ ପରିବର୍ତ୍ତନ ଲାଗି ତାଙ୍କ ପ୍ରତିବଦ୍ଧତା ବିଚାରକମଣ୍ଡଳୀକୁ ପ୍ରଭାବିତ କରିଥିଲା ।
ଫାଇନାଲ ରାଉଣ୍ଡରେ ପାଲାସିଓସ୍ଙ୍କୁ ଜୀବନରେ କାହା ସହ ଦିନଟିଏ ବିତାଇବାକୁ ପସନ୍ଦ କରିବେ ବୋଲି ପଚରାଯିବାରୁ ଅଷ୍ଟାଦଶ ଶତାଦ୍ଦୀର ବ୍ରିଟିଶ୍ ଦାର୍ଶନିକ ଏବଂ ନାରୀବାଦୀ ମ୍ୟାରୀ ଉଲଷ୍ଟୋନକ୍ରାଫ୍ଟଙ୍କ ନାମ ନେଇଥିଲେ ସେ । କହିଥିଲେ, ଉଲଷ୍ଟୋନକ୍ରାଫ୍ଟ ସେ ସମୟର ପ୍ରଚଳିତ ଧାରାକୁ ଭାଙ୍ଗିଥିଲେ ଏବଂ ଅନେକ ମହିଳାଙ୍କୁ ସୁଯୋଗ ଦେଇଥିଲେ । ଆଜି ମହିଳାଙ୍କ ଲାଗି କୌଣସି ସୀମା ନାହିଁ । ତାଙ୍କର ଏହି ଉତ୍ତର ବେଶ୍ ପସନ୍ଦ ଆସିଥିଲା ବିଚାରକମଣ୍ଡଳୀକୁ । ୨୦୦୦ ମସିହାରେ ଜନ୍ମିତ ଶେନ୍ନିସ୍ ପାଲାସିଓସ୍ ଜଣେ ଟିଭି ହୋଷ୍ଟ ଏବଂ ମଡେଲ୍ । ସେ ୨୦୧୬ର ମିସ୍ ଟିନ୍ ନିକାରାଗୁଆ ପ୍ରତିଯୋଗିତା ଜିତିଥିଲେ । ୨୦୨୦ରେ ମିସ୍ ୱାର୍ଲଡ ନିକାରାଗୁଆ ଟାଇଟଲ ହାସଲ କରିଥିଲେ । ଭଲିବଲ୍ ଖେଳରେ ନିଜ ବିଶ୍ୱବିଦ୍ୟାଳୟକୁ ପ୍ରତିନିଧିତ୍ୱ କରିଛନ୍ତି ସେ । ସୋସିଆଲ ମିଡିଆରେ ତାଙ୍କର ୫ ଲକ୍ଷ ଅନୁଗାମୀ ଅଛନ୍ତି ।