ଜୁନାଗଡ଼, ୧୬/୦୯ : କଳାହାଣ୍ଡି ଜିଲ୍ଲାର ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ଗଣଧାରଣା ସପ୍ତମ ଦିନରେ ପହଞ୍ଚିଛି। ଆଜିର ଧାରଣାରେ ଉପଖଣ୍ଡ ଟେଣ୍ଟ ମାଲିକ ସଙ୍ଘ ଓ ଉତ୍କଳମଣି ସେବା ସଂଘ ଜୋରଦାର ସମର୍ଥନ ଜଣାଇ ଧାରଣାରେ ବସିବା ସହ ଜୁନାଗଡ଼ ଜିଲ୍ଲା ମାନ୍ୟତା ଦାବି ପର୍ଯ୍ୟନ୍ତ ଏହି ଲଢେଇ ଜାରି ରହିବ ବୋଲି ଦୃଢ ପ୍ରତିଶୃତି ଦେଇଥିଲେ। ଓଡ଼ିଶା ସର୍ଵ ପୁରାତନ ତଥା କଳାହାଣ୍ଡିର କେନ୍ଦ୍ର ସ୍ଥଳରେ ଅବସ୍ଥିତ ଏହି ସହର ସମସ୍ତ ଭିତ୍ତିଭୂମି ଥାଇ ବର୍ତ୍ତମାନ ଉପେକ୍ଷିତ ଅବସ୍ଥାରେ ଅଛି। ଏଣୁ ଜୁନାଗଡ଼ ଜିଲ୍ଲା ମାନ୍ୟତା ପାଇଲେ ୬ ଟି ବ୍ଲକର ଲୋକ ସହିତ ବୃହତମ ଜୁନାଗଡ଼ ବ୍ଲକ ବିଶେଷ ଉପକୃତ ହେବେ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ।
ରାଜ୍ୟ ସରକାର ଏହି ଦାବିକୁ ଯଥାର୍ଥ ଭାବି ଜିଲ୍ଲା ମାନ୍ୟତା ପ୍ରଦାନ କରିବା ପାଇଁ ସେମାନେ ଦାବି ଜଣାଇଥିଲେ । ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ହିମାଂଶୁ ଶେଖର ବରାଡ଼ ଓ ସଂଯୋଜକ ତଥା ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ଆବାହକତ୍ଵରେ ଟେଣ୍ଟ ମାଲିକ ସଂଘ ପରମା ପ୍ରଧାନ ଓ ଉତ୍କଳମଣି ସେବା ସଂସ୍ଥାର ସଭାପତି କୈଳାସ ରାଉତଙ୍କ ସଭାପତ୍ୱରେ ଏହି ଧାରଣାରେ ସଂଗଠନର କର୍ମକର୍ତ୍ତାମାନେ ନିଜର ମତ ରଖିଥିଲେ। ଉତ୍କଳମଣି ସେବା ସଂସ୍ଥାର ବରିଷ୍ଠ ସଭ୍ୟ ଉଦ୍ଧବ ସାହୁ, ମଧୁସୂଦନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚାନନ ମେହେର, କୃପାସିନ୍ଧୁ ରାଉତ, ସୁଶୀଲ କୁମାର ଠାକୁର, ମନୋଜକୁମାର ପଣ୍ଡା, ବିଦ୍ୟାଧର ନାୟକ, ବିନୋଦ କାଣ୍ଡ, ଯଦୁନାଥ ନାୟକ, ବସନ୍ତ ନାଏକ, ଓ ଉଦ୍ଧବ ସାହୁ, ଜୁବୁଲ ପାଢ଼ୀ, ରୋହିତ ବାଗ, ଧନମାଲି ବାଗ, ଶଙ୍କିତ ମେହେର, ନିରଞ୍ଜନ ଚୌଧୁରୀ, ମଧୁସୂଦନ ପଣ୍ଡା, ବନମାଳୀ ମେହେର, ହେମନ୍ତ ଲହଜଳ, ସନ୍ତୋଷ ପାତ୍ର, ଭବାନୀ ପଟେଲ ପ୍ରମୁଖ ଧାରଣା ସ୍ଥଳରେ ଯୋଗ ଦେଇ ସରକାରଙ୍କୁ ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦେବାକୁ ଦୃଢ ଦାବି କରିଥିଲେ ।