ଭୁବନେଶ୍ୱର ୧୦/୧୨: ଚନ୍ଦ୍ରଯାନ-୩ର ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଚୁପ୍ ବସିନାହିଁ । ଚନ୍ଦ୍ରଯାନ-୪ ଓ ଚନ୍ଦ୍ରଯାନ-୫ ଜାରି ରହିବ । ଚନ୍ଦ୍ରକୁ ମାନବ ପଠାଇବା ମିଶନ୍ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ୨୦୪୦ ସୁଦ୍ଧା ଏହି ମିଶନ୍ ଶେଷ କରିବାକୁ କହିଛନ୍ତି ବୋଲି ଇସ୍ରୋର ଅଧ୍ୟକ୍ଷ ତଥା ସ୍ପେଶ୍ କମିଶନର ଅଧ୍ୟକ୍ଷ ଏସ୍.ସୋମନାଥ କହିଛନ୍ତି ।
ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଇଣ୍ଡିଆନ ନ୍ୟାସନାଲ ଏକାଡେମୀ ଅଫ୍ ଇଞ୍ଜିନିୟରିଂ (ଆଇଏନ୍ଏଇ)ର ବାର୍ଷିକ ସମ୍ମେଳନରେ ଭର୍ଚୁଆଲ୍ରେ ଯୋଗ ଦେଇ ସ୍ୱତନ୍ତ୍ର ବାର୍ତ୍ତା ଦେଇଥିଲେ ସୋମନାଥ । ସେ କହିଥିଲେ, ଚନ୍ଦ୍ରଯାନ-୨ର ବିଫଳତାରୁ ଆମେ ବହୁତ କିଛି ଶିଖିଥିଲୁ । ସେଥିରେ ରହିଥିବା ଛୋଟ ଛୋଟ ତ୍ରୁଟିକୁ ସୁଧାରିବା ପାଇଁ ସମସ୍ତ ପଦକ୍ଷେପ ନେଇଥିଲୁ । ପୂର୍ବ ତୁଳନାରେ ଅଧିକ ସୋଲାର୍ ସେଲ୍ ବ୍ୟବହାର କରାଯାଇଥିଲା । ଚନ୍ଦ୍ରଯାନ-୩ର ସଫଳତା ମହାକାଶ କ୍ଷେତ୍ରରେ ଗବେଷଣା କରୁଥିବା ବିଦ୍ୟାର୍ଥୀ ଓ ବୈଜ୍ଞାନିକମାନଙ୍କୁ ବହୁତ ସହଯୋଗ କରିବ । ଅଧିକରୁ ଅଧିକ ଭଲ ଓ ସମୟ ଉପଯୋଗୀ ଗବେଷଣା ସନ୍ଦର୍ଭ ପ୍ରକାଶ ପାଇପାରିବ ବୋଲି ଶ୍ରୀ ସୋମନାଥ କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ଥିରୁବନନ୍ତପୁରମସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ଆଇଆଇଏସଟି)ର କୁଳାଧିପତି ଡ. ବି. ଏନ୍ ସୁରେଶ ପରିଚାଳନା କରିଥିଲେ । ଶେଷରେ ଡ. ସୁରେଶଙ୍କୁ ଆଇଏନ୍ଏଇର ପୂର୍ବତନ ଅଧ୍ୟକ୍ଷ ଡ. ସନକ ମିଶ୍ର ସମ୍ବର୍ଦ୍ଧିତ କରିଥିଲେ ।