ନୂଆଦିଲ୍ଲୀ,୨୭/୦୨: ଭାରତୀୟ ତଟରକ୍ଷୀ ବାହିନୀ ବା ଇଣ୍ଡିଆନ୍ କୋଷ୍ଟଗାର୍ଡରେ ମହିଳା ଅଧିକାରୀଙ୍କ ସ୍ଥାୟୀ କମିଶନ ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପୁଣି ଭର୍ତ୍ସନା କରିଛନ୍ତି । ସୋମବାର ଏ ସଂକ୍ରାନ୍ତ ପିଟିସନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କେନ୍ଦ୍ରକୁ କହିଛନ୍ତି, ‘ଆପଣ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦିଅନ୍ତୁ ନଚେତ ଆମେ ଆଦେଶ ଜାରି କରିବୁ ।’ ଆସନ୍ତା ମାର୍ଚ୍ଚ ୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ଭାରତୀୟ ତଟରକ୍ଷା ବାହିନୀରେ ଯୋଗ୍ୟ ମହିଳା ସର୍ଟ-ସର୍ଭିସ୍ କମିଶନ ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦେବା ଲାଗି ଜଣେ ମହିଳା ଅଧିକାରୀଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଶୁଣାଣିବେଳେ ଆଟର୍ଣ୍ଣି ଜେନେରାଲ ଆର୍. ଭେଙ୍କଟରମଣି କହିଥିଲେ ଯେ, ନୌସେନା ଏବଂ ତଟରକ୍ଷୀ ବାହିନୀ ସମ୍ପୂର୍ଣ୍ଣ ଭିନ୍ନ । ଏହି ପ୍ରସଙ୍ଗରେ ଏକ ବୋର୍ଡ ଗଠନ କରାଯାଇଛି । ଏଥିରେ ଗଠନମୂଳକ ପରିବର୍ତ୍ତନର ଆବଶ୍ୟକତା ରହିଛି ।
ସିଜେଆଇ ଡି.ୱାଇ ଚନ୍ଦ୍ରଚୂଡ଼ କହିଥିଲେ, ୨୦୨୪ରେ କାର୍ଯ୍ୟକ୍ଷମତା ଆଦି ତର୍କରେ କୌଣସି ଦମ୍ ନାହିଁ । ଏବେ ମହିଳାଙ୍କୁ ବାଦ୍ ଦେଇହେବନାହିଁ । ଯଦି ଆପଣ ଏପରି କରିବେନି ତେବେ ଆମେ କରିବୁ । ଆପଣ ସ୍ଥାୟୀ କମିଶନ ଦିଅନ୍ତୁ ନଚେତ ଆମେ ଏଥିଲାଗି ଆଦେଶ ଜାରି କରିବୁ । ଏହା ପୂର୍ବରୁ ଗତ ୨୦ ତାରିଖରେ ଏହି ମାମଲାରେ ଶୁଣାଣି ହୋଇଥିଲା । ସେତେବେଳେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଥିଲେ । କୋଷ୍ଟଗାର୍ଡରେ ମହିଳାଙ୍କ ପ୍ରତି ସରକାର କାହିଁକି ଏତେ ଉଦାସୀନ ବୋଲି ପଚାରିଥିଲେ । ଯଦି ମହିଳାମାନେ ସୀମା ରକ୍ଷା କରିପାରୁଛନ୍ତି ତେବେ ତଟରକ୍ଷା ମଧ୍ୟ କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ।