ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଘନେଇଲା ଲଘୁଚାପ,୧୭ରେ ଗଭୀର ଅବପାତ ରୂପ:୧୮ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ତିନି ଦିନ ବର୍ଷିବ

ଭୁବନେଶ୍ୱର,୧୬/୧୧: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସଂଲଗ୍ନ ଆଣ୍ଡାମାନ ନିକୋବର ଦୀପପୁଞ୍ଜରେ ସୃଷ୍ଟି ଲଘୁଚାପ ବୁଧବାର ଅବପାତରେ ପରିଣତ ହୋଇଛି । ୧୭ ତାରିଖ  ସକାଳେ ଏହା ଗଭୀର ଅବପାତରେ ପରିଣତ ହୋଇପାରେ । ପରେ ଏହା ଦିଗ ବଦଳାଇ ଓଡ଼ିଶା ଉପକୂଳକୁ ମୁହାଁଇବ । ବାଲେଶ୍ୱର ଓ ଭଦ୍ରକ  ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  ଉତ୍ତର ଓଡ଼ିଶା ଉପକୂଳରେ ବି ବର୍ଷା ହେବ । 

ପୂର୍ବାନୁମାନ ଅନୁସାରେ, ମଙ୍ଗଳବାର ସୃଷ୍ଟି  ହୋଇଥିବା ଲଘୁଚାପ ବୁଧବାର ଅବପାତ ରୂପ  ନେଇଛି । ଏହା ଉତ୍ତର- ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୧୭ ତାରିଖରେ ପଶ୍ଚିମ କେନ୍ଦ୍ରୀୟ  ଓ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳ ସମୁଦ୍ର ଭିତରେ  ଗଭୀର ଅବପାତରେ ପରିଣତ ହେବ । ପରେ  ଏହା ନିଜ ଗତିପଥ ବଦଳାଇ ଉତ୍ତର-ଉତ୍ତର ପୂର୍ବ  ଦିଗରେ ଆଗକୁ ବଢ଼ିବ । ୧୮ ତାରିଖ ସକାଳ ସୁଦ୍ଧା  ଏହା ସମୁଦ୍ର ଭିତରେ ଉତ୍ତର ଓଡ଼ିଶା ଉପକୂଳ  ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ  ବୋଲି ଆକଳନ କରାଯାଇଛି । 

୧୬ ତାରିଖରେ ଗଞ୍ଜାମ, ପୁରୀ,  ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ,  କଟକ ଓ ଖୋର୍ଦ୍ଧା ଜିଲ୍ଲାର ଅନେକ ସ୍ଥାନରେ  ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।  ବାଲେଶ୍ୱର, ଯାଜପୁର, ଗଜପତି, ଢେଙ୍କାନାଳ,  ମୟୂରଭଞ୍ଜ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାର କିଛି  ସ୍ଥାନରେ ବର୍ଷା ସମ୍ଭାବନା ଅଛି । ମାଲକାନଗିରି,  କୋରାପୁଟ, ବୌଦ୍ଧ, ଅନୁଗୁଳ ଓ କଳାହାଣ୍ଡିରେ  ବର୍ଷା ହୋଇପାରେ । ୧୭ରେ ଉତ୍ତର ଉପକୂଳ ଓଡ଼ିଶାର ସବୁ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା  ସମ୍ଭାବନା ଅଛି । ୧୮ ତାରିଖ ଯାଏ ଓଡ଼ିଶା ଉପକୂଳ  ଆଖପାଖ ସାମୁଦ୍ରିକ ଅଞ୍ଚଳ ଅତ୍ୟଧିକ ଅଶାନ୍ତ  ରହିବ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ  ଯିବାକୁ ପରାମର୍ଶ ଦିଆଯାଇଛି ।  

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର  (ସିଇସି) ପକ୍ଷରୁ ଆକଳନ କରି କୁହାଯାଇଛି,  ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଉତ୍ତର-ପଶ୍ଚିମ ଦିଗରେ ଆନ୍ଧ୍ର ପ୍ରଦେଶ  ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ଅଛି ।  ଏହା ଗଭୀର ଅବପାତର ରୂପ ନେଇପାରେ ।  ପରେ ଗତିପଥରେ ପରିବର୍ତ୍ତନ ହେବ । ଏହା  ଉତ୍ତର ବା ଉତ୍ତର-ପୂର୍ବ ଦିଗକୁ ଗତି କରି ଓଡ଼ିଶା  ଉପକୂଳକୁ ମୁହାଁଇବ । ନଭେମ୍ବର ୧୭ରେ ଏକ  ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ସମୁଦ୍ରରେ ପବନର ବେଗ  ଘଣ୍ଟା ପ୍ରତି ୮୦ ରୁ ୯୦ କିଲୋମିଟର ପର୍ଯ୍ୟନ୍ତ  ରହିବ। ପୁରୀ, ଜଗତ୍‌ସିଂହପୁର ଓ ଭଦ୍ରକ  ଜିଲ୍ଲା ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି  ୫୫ରୁ ୭୦ କିଲୋମିଟର ରହିପାରେ ବୋଲି  ପୂର୍ବାନୁମାନରେ କୁହାଯାଇଛି । 

ନଭେମ୍ବର ୧୮ ତାରିଖ ସକାଳେ ଏହା ବାଲେଶ୍ୱର ଉପକୂଳଠାରୁ କିଛି ଦୂରରେ ରହିବ।  ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି  ୬୦ରୁ ୭୫ କିଲୋମିଟର ରହିପାରେ। ଏହି  ସମୟରେ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ପବନର  ବେଗ କମ୍‌ ରହିବ । ଏହାର ପ୍ରଭାବରେ ୧୫  ରାତିରୁ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ  ମଧ୍ୟମରୁ ଭାରି ବର୍ଷା ହେବ। ନଭେମ୍ବର ୧୭ରେ  ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ଏହି ସିଷ୍ଟମ ସାରାଦିନ ଭଦ୍ରକ ଉପକୂଳରେ ସ୍ଥିର  ରହିବ । ୧୬ ଓ ୧୭ରେ ରାଜଧାନୀରେ ୪୦ ରୁ  ୬୦ ମିମି ବର୍ଷା ହୋଇପାରେ । ଖୋର୍ଦ୍ଧାରେ ୩୦  ରୁ ୪୫ ମିମି ବର୍ଷା ହେବ। ୧୬ରୁ ବାଲେଶ୍ୱର,  ଭଦ୍ରକ, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ ଓ  କେନ୍ଦୁଝର ଜିଲ୍ଲାରେ ୨୪ ଘଣ୍ଟା ଧରି ପ୍ରବଳ ବର୍ଷା  ସମ୍ଭାବନା ଅଛି ବୋଲି ସିଇସି ପକ୍ଷରୁ କୁହାଯାଇଛି । 

ପ୍ରବଳ ବର୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗ ୨୪  ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲିବ । ବର୍ଷା ଆଶଙ୍କା  ଥିବା ପୁରୀ, କେନ୍ଦ୍ରାପଡ଼ା, କଟକ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ଯାଜପୁର ଓ ମୟୂରଭଞ୍ଜ  ଜିଲ୍ଲାରେ କଣ୍ଟ୍ରୋଲ ରୁମ୍‌ ଖୋଲାଯିବ । ଏ ସବୁ  ଜିଲ୍ଲାରେ ସତର୍କତାମୂଳକ ପଦକ୍ଷେପ ନେବାକୁ  ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଜିଲ୍ଲା  ସିଡିଏମ୍‌ଓ ଓ ପିଏଚ୍‌ଓଙ୍କୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ  ଡାକ୍ତର ନିରଞ୍ଜନ ମିଶ୍ର ଚିଠି ଲେଖି ଏହି ନିର୍ଦ୍ଦେଶ  ଦେଇଛନ୍ତି । ପ୍ରବଳ ବର୍ଷା ପାଇଁ ଏ ସବୁ ଜିଲ୍ଲାରେ  ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ । 

ଏଣୁ ଆଗୁଆ  ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ  ରୁମ୍‌ ଖୋଲିବ । କଣ୍ଟ୍ରୋଲ ରୁମ୍‌ ପରିଚାଳନା  ପାଇଁ ନୋଡାଲ ଅଫିସର ନିଯୁକ୍ତି ହେବେ। ଜଳବନ୍ଦୀ ଅଞ୍ଚଳ ପାଇଁ ଅତି ଜରୁରୀ ଓଆର୍‌ଏସ୍‌,  ହାଲୋଜେନ୍‌ ଓ ସାପକାମୁଡ଼ା ଔଷଧ ମହଜୁଦ  ରଖିବାକୁ ପରାମର୍ଶ ଦିଆଯାଇଛି। ସାପ କାମୁଡ଼ା ମୁକାବିଲା ପାଇଁ ପଦକ୍ଷେପ ନେବାକୁ ବି  କୁହାଯାଇଛି । ଜଳବନ୍ଦୀ ଅଞ୍ଚଳରେ ବିପର୍ଯ୍ୟୟ  ମୁକାବିଲା ଟିମ୍‌ ମୁତୟନ କରିବାକୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.