ଭୁବନେଶ୍ୱର,୦୭/୦୫: ସର୍ବମୋଟ ୨୪୩ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣ ଦାଗୀ ନେତା । ସେଥିରୁ ବିଜେପିର ୧୮, କଂଗ୍ରେସର ୧୭, ବିଜେଡିର ୯ ଓ ଆପ୍ର ୩ଜଣ ପ୍ରାର୍ଥୀ ଅଛନ୍ତି । ମୋଟ ୪୮ଜଣ ପ୍ରାର୍ଥୀ ଏଭଳି ଅଛନ୍ତି, ଯାହାଙ୍କ ନାଁରେ ମାଳମାଳ ସଙ୍ଗିନ ଦଫା ଲାଗିଛି । ଯୌନ ନିର୍ଯାତନା, ହତ୍ୟା ଉଦ୍ୟମ, ଦଙ୍ଗା ଭିଆଇବା ଭଳି ମାଳମାଳ ମାମଲା ଏମାନଙ୍କ ନାଁରେ ଗଡୁଛି । ଜଣଙ୍କ ନାଁରେ ହତ୍ୟା ଅଭିଯୋଗ ରହିଛି । ଏଡିଆର୍ (ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ) ରିପୋର୍ଟରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।
ଓଡି଼ଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୮ ଜିଲ୍ଲାର ୨୮ଟି ନିର୍ବାଚନ ମଣ୍ଡଳୀରେ ଆସନ୍ତା ୧୩ରେ ଭୋଟ ହେବ । ସବୁଠି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଦେଇଛି । ବହୁଜନ ସମାଜବାଦୀ ଦଳରୁ ୧୮, ଆପ୍ରୁ ୧୧, ସମାଜବାଦୀ ଦଳରୁ ୫, ସିପିଆଇ(ଏମ୍ଏଲ୍)(ଏଲ୍)ରୁ ୪ ଓ କଳିଙ୍ଗସେନାରୁ ଜଣେ ବିଧାୟକ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।
ବଡ଼ କଥା ହେଲା, ୮୧ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ବ୍ରହ୍ମପୁର ପୂର୍ବତନ ମେୟର ତଥା ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସଙ୍କ ନାଁରେ ରହିଛି ସବୁଠୁ ଅଧିକ ୪୬ଟି ଅପରାଧିକ ମାମଲା । ତାଙ୍କ ବିରୋଧରେ ମୋଟ ୧୧୧ଟି ଜଘନ୍ୟ ଦଫା ଲାଗିଛି । ୫ ଥର ହତ୍ୟା ଉଦ୍ୟମ, ୩ ଥର ହତ୍ୟା ପାଇଁ ଅପହରଣ ଜନିତ ଦଫା ଲାଗିଛି । ୩ଟି ମାମଲାରେ ଅସଦାଚରଣ ଓ ଗୋଟିଏରେ ଯୌନ ନିର୍ଯାତନା ଦଫା ରହିଛି । ହତ୍ୟା ଧମକରେ ଦାଦାବଟି ଆଦାୟ ପାଇଁ ୬ଟି ଦଫା ଲାଗିଛି । ଏମିତିକି ତାଙ୍କ ନାଁରେ ୪ଟି ଚୋରି ଓ ୨ଟି ଡକାୟତି ଜନିତ ମାମଲା ଥାନାରେ ଗଡୁଛି ।
ତା’ ତଳକୁ ଅନ୍ୟ ଜଣେ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି । ସେ ହେଲେ ନୂଆପଡ଼ାରୁ ଲଢ଼ୁଥିବା ଘାସିରାମ ମାଝି । ତାଙ୍କ ନାଁରେ ୧୯ଟି ମାମଲା ରହିଛି। ୭ଟିରେ ସଙ୍ଗିନ ଦଫା ଲାଗିଛି । ତାଙ୍କ ନାଁରେ ଯୌନ ନିର୍ଯାତନା, ମହିଳାଙ୍କୁ ଅସଦାଚରଣ, ଦାଦାବଟି ଓ ମାରଣାସ୍ତ୍ର ଯୋଗେ ଦଙ୍ଗା ଭିଆଇବା ଭଳି ଅଭିଯୋଗ ରହିଛି । ଛତ୍ରପୁର ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକଙ୍କ ନାଁରେ ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ଜଘନ୍ୟ ଦଫା ଲାଗିଛି। ଏହି ମାମଲାରେ ୨୦୨୧ ଜାନୁଆରୀରୁ ଚାର୍ଜଫ୍ରେମ୍ ସରିଛି । ଛତ୍ରପୁର ଅଦାଲତରେ ମାମଲା ବିଚାରାଧୀନ ।
ଓଡି଼ଶା ରାଜନୀତିର ଚର୍ଚ୍ଚିତ ଚେହେରା ତାରାପ୍ରସାଦ ବାହିନୀପତିଙ୍କ ନାଁରେ ୧୪ଟି ମାମଲା ଥାନାରେ ଗଡୁଛି । ଏହି ଜୟପୁର ବିଧାୟକ ପ୍ରାର୍ଥୀଙ୍କ ନାଁରେ ସରକାରୀ ଅଧିକାରୀଙ୍କୁ ମାଡ଼, ବିସ୍ଫୋରକ କିମ୍ବା ନିଆଁ ଯୋଗେ ଘର ଧ୍ୱଂସ କରିବା ଓ ମାରଣାସ୍ତ୍ର ଯୋଗେ ଦଙ୍ଗା ଭିଆଇବା ଭଳି ଅଭିଯୋଗ ଅଛି । ସେହି ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଗୌତମ ସାମନ୍ତରାଙ୍କ ନାଁରେ ୯ଟି ମାମଲା ରହିଛି ।
ବିଜେପି ଗୋପାଳପୁର ବିଧାୟକ ପ୍ରାର୍ଥୀ ବିଭୁତି ଭୂଷଣ ଜେନାଙ୍କ ନାଁରେ ୧୦ଟି ମାମଲା ରହିଛି । ୧୬ଟି ସଙ୍ଗୀନ ଆଇପିସି ଦଫାରୁ ଲାଞ୍ଚ କାରବାର, ନିର୍ବାଚନ କାର୍ଯ୍ୟରେ ବାଧା, ଚୋରି, ସରକାରୀ ଅଧିକାରୀଙ୍କୁ ମାଡ଼ ମାରି ଗୁରୁତର ଆହତ କରିବା ଭଳି ଗୋଟିଏ ଲେଖାଏଁ ଦଫା ଲାଗିଛି ।
ଖଡ଼ିଆଳର କଂଗ୍ରେସ ବିଧାୟକ ପ୍ରାର୍ଥୀ କମଳଚରଣ ଟାଙ୍ଗୀଙ୍କ ନାଁରେ ୧୦ଟି ମାମଲା ଗଡୁଛି । ମହିଳାଙ୍କୁ ଅସଦାଚରଣ, ଡକାୟତି, ଚୋରି ଭଳି ୯ଟି ଜଘନ୍ୟ ଦଫା ଲାଗିଛି । ବିଏସ୍ପି ଦଳର ବିଷମ କଟକ ବିଧାୟକ ପ୍ରାର୍ଥୀ ଜିତେନ୍ଦ୍ର ଜକାକାଙ୍କ ନାଁରେ ଥିବା ୭ଟି ମାମଲାରେ ୯ଟି ସଙ୍ଗିନ ଦଫା ଲାଗିଛି ।
ଚିକିଟି ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ୍ସାମନ୍ତରାଙ୍କ ନାଁରେ ୩ଟି ଯାକ ମାମଲା ହତ୍ୟା ଉଦ୍ୟମ, ଚୋରି ଓ ମାରଣାସ୍ତ୍ର ଯୋଗେ ଦଙ୍ଗା ଭିଆଇବାଜନିତ । ଖଡ଼ିଆଳ ବିଜେଡି ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ନାଁରେ ୯ଟି, ନବରଙ୍ଗପୁର ବିଜେପି ପ୍ରାର୍ଥୀ ଗୌରୀଶଙ୍କର ମାଝିଙ୍କ ନାଁରେ ୮ଟି, ନୂଆପଡ଼ା ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡାଙ୍କ ନାଁରେ ୬ଟି, ଗୋପାଳପୁର ଆପ୍ ପ୍ରାର୍ଥୀ ପି. ନୀଳକଣ୍ଠ ରେଡ୍ଡୀଙ୍କ ନାଁରେ ୫ଟି, ଜୁନାଗଡ ବିଜେପି ପ୍ରାର୍ଥୀ ମନୋଜ ମେହେରଙ୍କ ନାଁରେ ୬ଟି, ନର୍ଲାର କଂଗ୍ରେସ ପ୍ରାର୍ଥୀ ଭକ୍ତଚରଣ ଦାସଙ୍କ ନାଁରେ ୩ଟି ମାମଲା ରହିଛି। ଲକ୍ଷ୍ମୀପୁର ବିଜେପି ପ୍ରାର୍ଥୀ କୈଳାସ ଚନ୍ଦ୍ର କୁଲେସିକାଙ୍କୁ ଲକ୍ଷ୍ମୀପୁର ଜେଏମ୍ଏଫ୍ସି ୩ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ।