ବାରଙ୍ଗ,୦୩/୦୮: ଆଠଗଡ଼ ବନାଞ୍ଚଳ ଚିଗିରିଆ ବିଟ୍ ଅଞ୍ଚଳରୁ ଉଦ୍ଧାର ହୋଇ ନନ୍ଦନକାନନ ଆସିଥିବା ୩ ବର୍ଷିୟ ମାଈହାତୀ ଶାବକର ଶୁକ୍ରବାର ଭୋରୁ ମୃତ୍ୟୁ ହୋଇଛି । ବୁଧବାର ଉଦ୍ଧାର ହେବାଠାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଚିକିତ୍ସାଳୟରେ ଚିକିତ୍ସା ଚାଲିଥିଲା । ୩ ଜଣ ଡାକ୍ତର ତାର ଚିକିତ୍ସା କରୁଥିଲେ । ଶାବକଟି ଠିଆ ହୋଇପାରୁନଥିବା ବେଳେ ବହୁତ ଦୁର୍ବଳ ହୋଇଯାଇଥିଲା । ତେଣୁ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସାଲାଇନ ସହ ଭିଟାମିନ ଦିଆଯାଉଥିଲା । ଉଠି ନପାରିବାରୁ ଗୁରୁବାର ଚେନ୍ ସାହାଯ୍ୟରେ ଠିଆ କରାଇବାକୁ ଚେଷ୍ଟା କରାଯାଇଥିଲା । ଓୟୁଏଟିର ପ୍ରାଣୀ ବିଶେଷଜ୍ଞ ପରାମର୍ଶ ମଧ୍ୟ ନିଆଯାଇଥିଲା । ହେଲେ ସବୁ ଚେଷ୍ଟା ବିଫଳ ହୋଇଛି । ମୃତ୍ୟୁର କାରଣ ଜାଣିବା ପାଇଁ ମୃତଦେହ ବ୍ୟବଚ୍ଛେଦ କରାଯାଇ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଶାବକଟି ରକ୍ତହୀନତା ଓ ସଂକ୍ରମଣର ଶିକାର ଥିବା ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଥିଲା ।
ସୂଚନାଯୋଗ୍ୟ, ତିଗିରିଆ ବିଟ୍ ଅଧୀନ ସୁଦର୍ଶନପୁର ଗ୍ରାମ ନିକଟରେ ଥିବା ଏକ ଶାଗୁଆନ ଜଙ୍ଗଲ ଭିତରେ ଥିବା କାଦୁଅରେ ଶାବକଟି ପଡ଼ି ଛଟପଟ ହେଉଥିବା ଗ୍ରାମବାସୀ ଦେଖି ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ କାଦୁଅରୁ ତାକୁ ଉଦ୍ଧାର କରି ନନ୍ଦନକାନନରେ ଛାଡ଼ିଥିଲେ ।