ଭୁବନେଶ୍ୱର,୧୯/୧୧: ଜିତିବାକୁ ହେଲେ ବସ୍ତି ଯିବାକୁ ହେବ । ବସ୍ତି ବାସିନ୍ଦାଙ୍କ ଭୋଟ୍ ଜୁଆଡେ, ଜିତାପଟ ସିଆଡେ । ବସ୍ତିବାସିନ୍ଦାଙ୍କ ମୁଣ୍ଡ ଉପରେ ଛାତ ଦେବାକୁ ସରକାର ଆଗେଇ ଆସିଛନ୍ତି । ମୁଣ୍ଡ ଉପରେ ନିିର୍ବାଚନ ଥିବାବେଳେ ଏହା ଆଗରୁ ବସ୍ତି ବାସିନ୍ଦାଙ୍କୁ ଆବାସ ପ୍ରକଳ୍ପ ଥୋପ୍ ଦେବାକୁ ଯାଉଛି ବିଏମ୍ସି । ଦୁଇ ଆବାସ ପ୍ରକଳ୍ପରେ ୩୨ ଶହ ଘର ବଣ୍ଟାଯିବ ।
ସୋମବାର ବିଡିଏ ପକ୍ଷରୁ ନିର୍ମିତ ଦୁଇ ଆବାସ ପ୍ରକଳ୍ପର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ବସ୍ତିବାସିନ୍ଦାଙ୍କୁ ଘର ଚାବି ହସ୍ତାନ୍ତର କରିବେ । ଶାନ୍ତିପଲ୍ଲୀ ବସ୍ତିରେ ୫୬୦ ଘର ନିର୍ମାଣ ହୋଇଛି । ଏହି ବସ୍ତିର ନାମ ଶାନ୍ତିପଲ୍ଲୀ ପରିବର୍ତ୍ତେ କେଶରୀ ଏନ୍କ୍ଲେଭ ରଖାଯାଇଛି । ସେହିପରି ଚନ୍ଦ୍ରଶେଖରପୁର ପ୍ରକଳ୍ପରେ ୨୬ ଶହ ଘରକୁ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏହାର ନାମ ବୁଦ୍ଧ ବିହାର ରଖାଯାଇଛି । ଏପରି ମୋଟ ୩ ହଜାର ଘର ବସ୍ତିବାସିନ୍ଦାଙ୍କୁ ଦେବାକୁ ଯୋଜନା କରାଯାଇଛି । ଭୁବନେଶ୍ୱରରେ ୪୫୭ ବସ୍ତି ରହିଛି । ଏହି ସବୁ ବସ୍ତିରେ ପ୍ରାୟ ସାଢେ ୩ ଲକ୍ଷ ବସ୍ତିବାସିନ୍ଦା ରହୁଛନ୍ତି । ଏବେ ସବୁ ରାଜନୀତିକ ଦଳର ଆଖି ବସ୍ତି ଭୋଟ୍ ଉପରେ । ବିଜେପି ଓ ବିଜେଡି ବସ୍ତି ଚାଲ ଅଭିଯାନକୁ ଯୋରଦାର କରିଛନ୍ତି । ବସ୍ତି ବାସିନ୍ଦାଙ୍କୁ ହାତେଇବାକୁ କସରତ ଆରମ୍ଭ ହେଇଛି । ଶାସକଦଳ ପକ୍ଷରୁ ପ୍ରକଳ୍ପ ପରେ ପ୍ରକଳ୍ପ ବର୍ଷା ହେଉଛି ।
ସରକାରଙ୍କ ପକ୍ଷରୁ ଜାଗା ମିଶନ ଜରିଆରେ ବର୍ତ୍ତମାନ ସୁଦ୍ଧା ୫୬ ହଜାର ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି । ରାଜଧାନୀର ଛାତିରେ ବସ୍ତି ବାସିନ୍ଦା ତାଙ୍କର ସ୍ୱପ୍ନର ଘରତିଆରି କରିବେ । ଘର ବନ୍ଦକ ରଖି ଋଣ ମଧ୍ୟ ପାଇ ପାରିବେ । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ନୂଆ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ସେହିପରି ସବୁ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯିବ । ଏଥିରେ ରାସ୍ତା, ଶୌଚାଳୟ, ଡ୍ରେନ୍, ବିଦ୍ୟୁତ୍ ଆଦି ମୌଳିକ ସୁବିଧା ଯୋଗାଇ ଦିଆଯିବ ।
ପୂର୍ବ ନିବାଚନରେ ଭୁବନେଶ୍ୱର ୩ ନିର୍ବାଚନ ମଣ୍ଡଳୀରେ ବିଜେଡିର ଜିତାପଟ ହୋଇଥିଲା ସତ । କିନ୍ତୁ ସାଂସଦ ସିଟ୍ ହାତେଇବାରେ ବିଜେଡି ଫେଲ ମାରିଥିଲା । ବସ୍ତି ଭୋଟ୍ ହିଁ ଅପରାଜିତାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲା । ତେଣୁ ପୂର୍ବ ପରି ଭୁଲ କରିବାକୁ ଚାହୁଁନିି ବିଜେଡି । ଏଥର କଳେ ବଳେ କୌଶଳେ ବସ୍ତି ଭୋଟ୍ ନିଜ ସପକ୍ଷକୁ ଆଣିବାକୁ ଚେଷ୍ଟା ଆରମ୍ଭ କରି ସାରିଛି । ସେପଟେ ବିଜେପି ମଧ୍ୟ ପଛରେ ପଡିନି । ଏଲ୍ଆରସି କେଳେଙ୍କାରି ଉଠାଇ ବିଜେଡିକୁ ଟାଗେର୍ଟ କରିଛି । ନିିର୍ବାଚନ ପୂର୍ବରୁ ବସ୍ତିବାସିନ୍ଦାଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ବସ୍ତି ବସ୍ତି ବୁଲି ବିଜେଡି ସରକାରଙ୍କ ଦୁର୍ନୀତି ପ୍ରସଙ୍ଗ ଉଠାଇଛି । ବିଜେପି ସାଂଗଠନିକ ସଭାପତି ବାବୁ ସିଂ କହିଛନ୍ତି, ନିର୍ବାଚନ ଆସିଲେ ବିଜେଡିର ବସ୍ତି କଥା ମନେପଡେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି । ରାଜ୍ୟ କେବଳ ତାର ନାଁ ନେଉଛି ।