କୋଲକାତା, ୪।୯: କୋଲକାତା ଆର୍ଜି କର ମେଡିକାଲ କଲେଜ ଦୁର୍ନୀତି ମାମଲାରେ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଓ ଅନ୍ୟ ୩ ଜଣ(ଭେଣ୍ଡର ବିପ୍ଲବ ସିଂଘା, ସୁମନ ହଜାର ଓ ଅଫସର ଅଲୀ)ଙ୍କୁ ସୋମବାର ସିବିଆଇ ଗିରଫ କରିଥିଲା । ମଙ୍ଗଳବାର ସେମାନଙ୍କୁ ଆଲିପୁର କୋର୍ଟରେ ହାଜର କରାଯାଇଥିଲା । ସେଠାରେ କୋର୍ଟ ଘୋଷ ଓ ଅନ୍ୟମାନଙ୍କୁ ୮ ଦିନ ଲାଗି ସିବିଆଇ ରିମାଣ୍ଡରେ ପଠାଇ ଦେଇଛନ୍ତି । କୋର୍ଟରେ ମଙ୍ଗଳବାର ସିବିଆଇ ପକ୍ଷରୁ ଦର୍ଶାଯାଇଥିଲା ଯେ, ଏହି ଆର୍ଥିକ ଅନିୟମିତତା ମାମଲାରେ ଅନେକ ବ୍ୟକ୍ତିଙ୍କର ଏକ ନେଟ୍ୱର୍କ ସାମିଲ ରହିଛି । ତେଣୁ ପୂରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବା ଲାଗି ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା କରିବାର ଆବଶ୍ୟକତା ରହିଛି । ସିବିଆଇ ପକ୍ଷରୁ ସେମାନଙ୍କୁ ୧୦ ଦିନ ଲାଗି ରିମାଣ୍ଡରେ ନେବାକୁ ଦାବି କରାଯାଇଥିଲା ।
ତେବେ ବିଚାରପତି ୪ ଅଭିଯୁକ୍ତଙ୍କୁ ୮ ଦିନ ରିମାଣ୍ଡରେ ପଠାଇବାକୁ ରାୟ ଦେଇଥିଲେ । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୦ରେ ହେବ । ସେହି ସମୟରେ ସିବିଆଇ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଉପସ୍ଥାପନ କରିପାରେ । ଇତିମଧ୍ୟରେ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ଏକ ବିଜ୍ଞପ୍ତି ଜାରି କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଚାଲୁଥିବାରୁ ଘୋଷଙ୍କୁ ସସ୍ପେଣ୍ଡ କରାଯାଉଥିବା କହିଛି । ରାଜ୍ୟ ମେଡିକାଲ୍ କାଉନସିଲ୍ ମଧ୍ୟ ଘୋଷଙ୍କୁ ନିଜ ରେଜିଷ୍ଟରରୁ ନିଲମ୍ବନ କରିଛି । ଏହାପୂର୍ବରୁ ଅଗଷ୍ଟ ୨୮ ତାରିଖରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ମଧ୍ୟ ସନ୍ଦୀପ ଘୋଷଙ୍କର ସଦସ୍ୟତାକୁ ରଦ୍ଦ କରିଥିଲା । ସେପଟେ କେନ୍ଦ୍ର ସରକାର ଆଜି ପଶ୍ଚିମବଙ୍ଗ ସରକାର ବିରୋଧରେ ସୁପ୍ରିମକୋର୍ଟରେ ଅବମାନନା ଆବେଦନ କରିଛନ୍ତି । ସେଥିରେ ଆର୍ଜି କର ହସ୍ପିଟାଲରେ ସୁରକ୍ଷା ଲାଗି ମୁତୟନ ହୋଇଥିବା ସିଆଇଏସଏଫ୍ ଯବାନଙ୍କୁ ରାଜ୍ୟ ସରକାର ଆବଶ୍ୟକୀୟ ସୁବିଧା ପ୍ରଦାନ କରୁନଥିବା ଅଭିଯୋଗ ହୋଇଛି ।