ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜଧାନୀର ଚେକିଂ ବ୍ଲକିଂ ଧରାପଡିଲା ହାଇପ୍ରୋଫାଇଲ୍‌ ଚୋର ପର୍ଶୁରାମ: ୨୧ ଲକ୍ଷ ଟଙ୍କା, ୭୦୦ ଗ୍ରାମ ସୁନା, ୭ କିଲୋ ରୁପା ଜବତ

ଭୁବନେଶ୍ୱର, ୨୫/୦୩: ଭୁବନେଶ୍ୱରରେ ଚୋରି କରୁଥିଲା । ଚୋରି ଟଙ୍କାରେ ବିମାନରେ ଦେଶର ଏ ସହରରୁ ସେ ସହର ଘୂରି ବୁଲୁଥିଲା । ଦାମୀ ବ୍ରାଣ୍ଡର ଡ୍ରେସ୍‌ ସାଙ୍ଗକୁ ଦାମୀ ଜୋତା ପିନ୍ଧୁଥିଲା । ମୁମ୍ବାଇର ତାଜ୍‌ ହୋଟେଲରେ ଅୟସ କରୁଥିଲା । ନାଇଟ୍‌ କ୍ଲବ ଓ ପବ୍‌କୁ ଯାଉଥିଲା। ହାଇ ସୋସାଇଟି କଲ୍‌ଗାର୍ଲଙ୍କ ପିଛାରେ ପୁଳାପୁଳା ଟଙ୍କା ଉଡ଼ାଉଥିଲା । ଏମିତି ଜଣେ ହାଇପ୍ରୋଫାଇଲ୍‌ ଚୋରକୁ ଗିରଫ କରିଛି କମିଶନରେଟ୍‌ ପୁଲିସ । ତାଙ୍କ ନାମ ପର୍ଶୁରାମ ଗିରି । ଘର ବାଲେଶ୍ୱର  ଜିଲ୍ଲା ସୋର ସୁଲତାନପୁର ।  

ରାଜଧାନୀରେ ଚେକିଂ ବ୍ଲକିଂ ବେଳେ ଧରାପଡ଼ିଛନ୍ତି ପର୍ଶୁରାମ । ତାଙ୍କ ଠାରୁ ପୁଲିସ  ୨୧ ଲକ୍ଷ ଟଙ୍କା, ୭୦୦ ଗ୍ରାମ ଓଜନର ସୁନା, ୭ କିଲୋ ରୂପା, ୨ଟି ଦାମୀ ବାଇକ୍‌ ଓ ମୋବାଇଲ  ଫୋନ, ଚୋରିରେ ବ୍ୟବହୃତ ୨ଟି ଲୁହା ରଡ୍‌  ଜବତ ହୋଇଛି । ପର୍ଶୁରାମଙ୍କ ଭୁବନେଶ୍ୱର ବରଗଡ଼  ଶିବନଗରରେ ବିରାଟ କୋଠା ସାଙ୍ଗକୁ ଗାଁରେ ମଧ୍ୟ  ୩ ମହଲା କୋଠା ଥିବା ଜଣାପଡ଼ିଛି । ରବିବାର  ବଡ଼ଗଡ଼ ଥାନା ପୁଲିସ ତାଙ୍କୁ ଗିରଫ କରି କୋର୍ଟ  ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ  ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । 

ପୁଲିସ କମିଶନର ସଞ୍ଜୀବ ପଣ୍ଡା ଏକ  ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ  ପର୍ଶୁରାମ ଗିରି ନବମ ଫେଲ୍‌ । ୨୦୦୬ରେ ପତ୍ନୀ ଆତ୍ମହତ୍ୟା ମାମଲାରେ ସେ ପ୍ରଥମ ଥର ଜେଲ୍‌  ଯାଇଥିଲେ । ତା'ପରେ ସେ ଅପରାଧ ଦୁନିଆରେ  ପାଦ ଥାପି ଥିଲେ । ଜେଲ୍‌ରୁ ବାହାରିବା ପରେ  ଚାଲି ଆସିଥିଲେ ଭୁବନେଶ୍ୱର । ଚୋରି ପାଇଁ  ରଚିଲେ ଯୋଜନା । ଓଲା କାର୍‌ ବୁକ୍‌ କରି ସେ  ପୂରା ରାଜଧାନୀରେ ଘୂରି ବୁଲୁଥିଲେ। ବିଭିନ୍ନ ଗଳି  ରାସ୍ତାରେ ଓହ୍ଲାଇ ପଡ଼ୁଥିଲେ । ଆଉ ଖାଲି ଘର  ଦେଖି ରାତି ଅଧରେ ଗ୍ରୀଲ୍‌ ଭାଙ୍ଗି ଘରୁ ଚୋରି  କରିବା ଆରମ୍ଭ କରିଥିଲେ । ସବୁଠାରୁ ବଡ଼କଥା  ହେଉଛି, ସେ ଏକା ହିଁ ଚୋରି କରୁଥିଲେ । ଚୋରି ସମୟରେ ଖାଲି ପାଦରେ ଚାଲୁଥିଲେ ।  ମୋବାଇଲ୍‌କୁ ଫ୍ଲାଇଟ୍‌ ମୋଡ୍‌ରେ ରଖୁଥିଲେ ।  ସାଧାରଣ ଘର ହେଉ ବା ଆପାର୍ଟମେଣ୍ଟ, ସୁବିଧା  ଦେଖିଲେ ଘରର ଝରକା ଗ୍ରୀଲ ତାଡ଼ି ଭିତରେ ପଶୁଥିଲେ । କେବଳ ସୁନା-ରୂପା ଅଳଙ୍କାର ଓ  ଟଙ୍କା ଲୁଟୁଥିଲେ । ଅନ୍ୟ କୌଣସି ସାମଗ୍ରୀରେ  ହାତ ମାରୁ ନ ଥିଲେ । ଚୋରି ଟଙ୍କାରେ ଅୟସ୍‌  କରୁଥିଲେ ପର୍ଶୁରାମ । ଦାମୀ ବ୍ରାଣ୍ଡ ପୋଷାକ ଓ  ଜୋତା କିଣି ପିନ୍ଧୁଥିଲେ । ବଡ଼ ହୋଟେଲକୁ ଯାଇ  ଖିଆପିଆ କରୁଥିଲେ । ବଡ଼ ଆପାର୍ଟମେଣ୍ଟରେ  ରହୁଥିଲେ । ଦେଶର ବିଭିନ୍ନ ସହରକୁ ବିମାନରେ  ଯାଇ ବୁଲୁଥିଲେ । ସେ ଭ୍ରମଣରେ ମୁମ୍ବାଇ ଯାଇ  ଅଧିକାଂଶ ସମୟରେ ତାଜ ହୋଟେଲ୍‌ରେ  ରହୁଥିଲେ । ସେହିପରି କୋଲକାତା ଓ ଗୋଆରେ  ଦାମୀ ହୋଟେଲରେ ସମୟ ବିତାଉଥିଲେ । ବିଭିନ୍ନ ନାଇଟ୍‌ କ୍ଲବ, ପବ୍‌କୁ ଯାଉଥିଲେ । 

ଲୁଟ୍‌ ଟଙ୍କାରେ ସେ ନିଜ ଗାଁରେ ୩ ମହଲା  କୋଠା କରିବା ସହ କିଛି ଜମିବାଡ଼ି କିଣିଥିଲେ । ଭୁବନେଶ୍ୱର ବଡ଼ଗଡ଼ ଥାନା ଶିବନଗରରେ ଏକ  କୋଠା କରି ତାକୁ ଭଡ଼ାରେ ଲଗାଇଥିଲେ । ତା ନାମରେ କିଛି କିଛି ଏଲଆଇସି ବଣ୍ଡ୍‌ ଥିବା  ପୁଲିସ ଜାଣିବାକୁ ପାଇଛି । ଗତ ବର୍ଷକ ଭିତରେ  ପର୍ଶୁରାମ ରାଜଧାନୀରୁ ୨୧ଟି ଚୋରି କରିଛନ୍ତି ।  ଅତି ଚତୁରତାର ସହ ଚୋରି କରୁଥିବାରୁ ଧରା ପଡ଼ୁନଥିଲେ । କମିଶନରେଟ୍‌ ପୁଲିସ୍‌ ପର୍ଶୁରାମଙ୍କୁ  ଧରିବାରେ ସଫଳ ହେଉନଥିଲା । ରାଜଧାନୀରେ  ଚେକିଂ ବ୍ଲକିଂ ବେଳେ କମିଶନରେଟ୍‌ ପୁଲିସର ଚକ୍ରବ୍ୟୁହରେ ଫସି ଯାଇଥିଲେ ପର୍ଶୁରାମ । ପୁଲିସ ତାଙ୍କୁ ଧରି ତଦନ୍ତ କଲା ବେଳେ ସବୁ  କଥା ଜଣାପଡ଼ିଥିଲା । 

 

୨୦୧୩ ମସିହାରୁ ପର୍ଶୁରାମ ବିଭିନ୍ନ ଥାନା  ଅଞ୍ଚଳରେ ଚୋରି କରୁଥିବା ଜଣାପଡ଼ିଛି । ତାଙ୍କ  ନାମରେ ବଡ଼ଗଡ଼ ଥାନାରେ ୪ଟି ମାମଲା ଥିବା  ବେଳେ ପାହାଳ ଥାନାରେ ୩ଟି, ମଞ୍ଚେଶ୍ୱର ଥାନାରେ  ୩ଟି, ସହିଦନଗର ଥାନାରେ ୨ଟି, ଶ୍ରୀଲିଙ୍ଗରାଜ  ଥାନାରେ ୩ଟି, ଧଉଳି ଥାନାରେ ୪ଟି, ଲକ୍ଷ୍ମୀସାଗର  ଥାନାରେ ୪ଟି ମାମଲା ଥିବା ଜଣାପଡ଼ିଥିଲା ।  ପର୍ଶୁରାମଙ୍କ ନାମରେ ରାଜଧାନୀର ସମୁଦାୟ ୫୦ଟି  ଚୋରି ମାମଲା ରହିଛି । ପୂର୍ବରୁ ସେ କମିଶନରେଟ୍‌  ପୁଲିସ ଦ୍ୱାରା ୫ ଥର ମଧ୍ୟ ଗିରଫ ହୋଇ  ଜେଲ୍‌ ଯାଇଥିଲେ । ଜାମିନରେ ଆସି ପୁଣି ଚୋରି  କରୁଥିଲେ । ହେଲେ ସେ ଜଣେ ହାଇପ୍ରୋଫାଇଲ୍‌  ଚୋର ବୋଲି କମିଶନରେଟ୍‌ ପୁଲିସ ଜାଣି ନ ଥିଲା । ପୁଲିସ ପର୍ଶୁରାମଙ୍କ ଗିରଫ କରିବା ସହ  ତାଙ୍କଠାରୁ ଚୋରି ସୁନାଗହଣା କିଣୁଥିବା ଜଣଙ୍କୁ  ମଧ୍ୟ ଗିରଫ କରିଛି । ତାଙ୍କ ନାମ ପ୍ରବୀଣ  ବଳରାମ ଲୋଖଣ୍ଡେ । ଘର ମହାରାଷ୍ଟ୍ର । ସେ  ଫରେଷ୍ଟପାର୍କ ଅଞ୍ଚଳରେ ରହୁଥିଲେ । ତାଙ୍କ ଠାରୁ  ଅନେକ ଚୋରି ସାମଗ୍ରୀ ପୁଲିସ ଜବତ କରିଛି । 

ରବିବାର ପୁଲିସ ପର୍ଶୁରାମଙ୍କୁ ଧରି ସେ କିପରି ଚୋରି କରେ ତାର ଡେମୋ ଦେଖାଇଥିଲା । ପର୍ଶୁରାମଙ୍କ ସହ ପ୍ରବୀଣଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯାଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଥିବା କମିଶନର ଶ୍ରୀ ପଣ୍ଡା କହିଛନ୍ତି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.