ଭୁବନେଶ୍ଵର, ୧୩/୦୮ : ଗିରଫ ହେଲେ କୋଟିପତି ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କୁ ଗିରଫ କଲା ଭିଜିଲାନ୍ସ। ତାରା ପ୍ରସାଦଙ୍କ ଘରେ ଚଢାଉ ବେଳେ ମିଳିଥିଲା ପୁଳାପୁଳା ସୁନା ଓ ହୀରା ଗହଣା। ଭୁବନେଶ୍ଵର ଏବଂ ଝାରସୁଗୁଡ଼ାରେ ରହିଛି ୧୦ଟି ଦାମୀ ଫ୍ଲାଟ୍। କଟକ, ଭୁବନେଶ୍ଵର ଏବଂ ଜଟଣୀରେ ରହିଛି ୭ଟି ପ୍ଲଟ୍। ଏପର୍ଯ୍ୟନ୍ତ ଠାବ ହେଲାଣି ୧୫ କୋଟି ଟଙ୍କାର ସମ୍ପତ୍ତି।
ସୂଚନାନୁଯାୟୀ, ସୋମବାର ଭିଜିଲାନ୍ସ R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଏକାଧିକ ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ। ଚଢାଉ ବେଳେ ତାରା ପ୍ରସାଦଙ୍କ ଘରୁ ଦେଢ କେଜିର ସୁନା ଅଳଙ୍କାର ଓ ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଠାବ ହୋଇଥିଲା। ଏହା ସହ ନଗଦ ୬ ଲକ୍ଷ ଟଙ୍କା, ୨ଟି କାର୍, ୧୩ ଲକ୍ଷ ଟଙ୍କାର ଏକ ରୋଲେକ୍ସ ୱାଚ୍ ଜବତ ହୋଇଥିଲା। କେବଳ ସେତିକି ନୁହେଁ ତାରା ପ୍ରସାଦଙ୍କ ଘରୁ ୟୁଏସଏ, ଥାଇଲାଣ୍ଡ, ଭିଏତନାମା, ୟୁଏଇ, କାନାଡା, ମେକ୍ସିକୋ, ମାଲେସିଆ ଏବଂ ସିଙ୍ଗାପୁରର କରେନ୍ସି ଜବତ ହୋଇଥିଲା।
ସୂଚନା ଥାଉକି, ତାରା ପ୍ରସାଦଙ୍କ ଭୁବନେଶ୍ଵର ନୟାପଲ୍ଲୀ ସ୍ଥିତ ଅପର୍ଣ୍ଣା ଆପାର୍ଟମେଣ୍ଟ, କସ୍ମୋପଲିସି ସ୍ଥିତ ୨ଟି ଫ୍ଲାଟ, ଝାରସୁଗୁଡ଼ା ସ୍ଥିତ ୩ଟି ଆପାର୍ଟମେଣ୍ଟ, କଟକ ଆଠଗଡ଼ ସ୍ଥିତ ପୈତୃକ ଘର, ତିଗିରିଆରେ ଥିବା ସମ୍ପର୍କୀୟଙ୍କ ଘର ଏବଂ ନୟାପଲ୍ଲୀ ନୀଳକଣ୍ଠ ନଗରରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ।