ନୂଆଦିଲ୍ଲୀ: ଗାଜାରୁ ପରିଚାଳିତ ହେଉଥିବା ଆତଙ୍କବାଦୀ ସଂଗଠନ ହମାସର ଅନ୍ୟ ଜଣେ ଶୀର୍ଷ ନେତା ନିହତ ହୋଇଛି । ଇସ୍ରାଏଲ ସେନା ଦ୍ବାରା ହୋଇଥିବା ଏୟାର ଷ୍ଟ୍ରାଇକ୍ରେ ହମାସର ଜଣେ ଶୀର୍ଷ ନେତା ଫତାହ ଶରିଫ ଅବୁ ଅଲ୍ ଆମିନର ମୃତ୍ୟୁ ହୋଇଛି ବୋଲି ହମାସ ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ଲେବାନନର ଘରେ ତାର ମୃତ୍ୟୁ ଘଟିଛି । ଫତାହ ସମେତ ତାର ପତ୍ନୀ, ପୁଅ ଓ ଝିଅଙ୍କ ମୃତ୍ୟୁ ହୋଇଛି ବୋଲି ହମାସ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରୁ ସ୍ପଷ୍ଟ ହୋଇଛି ।
ଏହା ପୂର୍ବରୁ ଲେବାନନର ସରକାରୀ ମିଡିଆ ରିପୋର୍ଟ କରିଥିଲା ଯେ, ଟାଇର ସହର ନିକଟ ଅଲବାସ୍ରେ ଶରଣାର୍ଥୀ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍ ହୋଇଥିଲା । ଲେବାନନରେ ରହୁଥିବା ହମାସର ନେତାଙ୍କୁ ଟାର୍ଗେଟ କରିଆସିଛି ଇସ୍ରାଏଲ ସେନା । ଏହା ପୂର୍ବରୁ ଇସ୍ରାଏଲର ଆକ୍ରମଣରେ ହମାସର ଡେପୁଟି ନେତା ସାଲେହ ଅଲ-ଆରୁରି ଏବଂ ଅନ୍ୟ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ।
ଦକ୍ଷିଣ ଲେବାନନରେ ଏୟାର ଷ୍ଟ୍ରାଇକ୍ କରି ହମାସର କମାଣ୍ଡର ସାମେର ଅଲ-ହାଜକୁ ମାରିଥିଲା ଇସ୍ରାଏଲ । କେବଳ ହମାସ ନୁହେଁ ଲେବାନନରେ ହେଜବୁଲ୍ଲା ସଂଗଠନ ଉପରେ ମଧ୍ୟ ଆକ୍ରମଣ ଜୋରଦାର କରିଛି ଇସ୍ରାଏଲ ସେନା । ସେପଟେ ଇରାନ୍ ସରକାର କହିଥିଲେ ଯେ, ଇସ୍ରାଏଲ ସେନା ସହ ଲଢ଼ିବା ଲାଗି ଅତିରିକ୍ତ ସୈନିକଙ୍କୁ ଲେବାନନକୁ ପଠାଯିବ ନାହିଁ । ଲେବାନନ ଏବଂ ଏହାର ଯୋଦ୍ଧା ଇସ୍ରାଏଲ ସହ ମୁକାବିଲା କରିବାକୁ ଯଥେଷ୍ଟ ବୋଲି ଇରାନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ନାସର କାନାନୀ କହିଥିଲେ ।