କଣ୍ଟାବାଞ୍ଜି,୦୯/୦୮: କଣ୍ଟାବାଞ୍ଜି ସହରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶୁକ୍ରବାର ଭୋର ସମୟରେ ଶାନ୍ତି ପେଟ୍ରୋଲ ପମ୍ପ ପାଖରେ ଏକ ଅଜଣା ଗାଡି ପରିବା ବିକାଳୀଙ୍କୁ ଧକ୍କା ଦେଇଛି । ଫଳରେ ଘଟଣା ସ୍ଥଳରେ ପରିବା ବିକାଳୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ବେଲପଡା ଥାନା ମୁଣ୍ଡାପଲା ଗାଁର ଜଳନ୍ଧର ଦୀପ ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଜଳନ୍ଧର ସବୁ ଦିନ ପରି ଶୁକ୍ରବାର ମଧ୍ୟ ପନିପରିବା କିଣି ବାକୁ କଣ୍ଟାବାଞ୍ଜି ଆସିଥିଲେ । ସେଠାରୁ ପରିବା କିଣି ନିଜ ଗାଁ ପାଖ ପାଖରେ ବିକ୍ରି କରିଥାନ୍ତେ । ଜଳନ୍ଧର ନିଜର ସୁପର ଏକ୍ସେଲ ଗାଡିରେ କଣ୍ଟାବାଞ୍ଜି ଆସୁଥିବା ବେଳେ ତାଙ୍କୁ କୌଣସି ଅଜଣା ଗାଡି ଧକ୍କା ଦେଇଥିଲା । ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପ୍ରଚୁର ରକ୍ତସ୍ରାବ ଯୋଗୁଁ ଘଟଣା ସ୍ଥଳରେ ଜଳନ୍ଧରଙ୍କ ମୃତ୍ୟୁ ହୋଇଥିଲା । ଏନେଇ ତାଙ୍କ ସମ୍ପର୍କୀୟଙ୍କୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ଜଳନ୍ଧରଙ୍କ ସମ୍ପର୍କୀୟ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରେ ଶବ ରଖି ଦୁର୍ଘଟଣା ଘଟାଇଥିବା ଗାଡି ମାଲିକକୁ ଖୋଜାଖୋଜି କରିଥିଲେ । ଏଥି ସହିତ କ୍ଷତି ପୂରଣ ଦାବି ନେଇ କଣ୍ଟାବାଞ୍ଜି-ପାଟଣାଗଡ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଦୀର୍ଘ ସମୟ ରାସ୍ତ ଅବରୋଧ ପରେ ଖବର ପାଇ ଘଟଣାସ୍ଥଳରେ କଣ୍ଟାବାଞ୍ଜି ପୋଲିସ ପହଞ୍ଚିଛି । ପୋଲିସ ସେମାନଙ୍କୁ ବୁଝାସୁଝା କରି ଶବକୁ ଜବତ କରି କଣ୍ଟାବାଞ୍ଜି ଡାକ୍ତରଖାନା ନେଇଛି । ତେବେ ସବୁ ଦାବି ପୂରଣ ହେବ ବୋଲି ପୋଲିସ ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ପୋଲିସ ଘଟଣା ସ୍ଥଳର ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରି ଅଧିକ ତଦନ୍ତ ଆରମ୍ଭ କରିଛି । ପରିବା ବିକାଳୀ ଜଳନ୍ଧର ତାଙ୍କ ପରିବାରର ମୁଖ୍ୟ ଥିବା ବେଳେ ୩ ସନ୍ତାନ ଅସହାୟ ହୋଇ ପଡିଛନ୍ତି । ତାଙ୍କ ପରିବାରକୁ ସରକାର ସରକାରୀ ସାହାଯ୍ୟ ଦେଉ ବୋଲି ଦାବି କରିଯାଇଛି ।