ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ନୂଆ ଆଇନ ପାଇଁ ପୁଲିସ ପ୍ରସ୍ତୁତ, କ୍ରାଇମ୍‌ବ୍ରାଞ୍ଚ୍‌ ଜାରି କରିଛି ମାର୍ଗଦର୍ଶିକା

ଭୁବନେଶ୍ୱର,୦୧/୦୭: ଆଜିଠୁ ବ୍ରିଟିଶ ଅମଳରୁ ଚଳିଆସୁଥିବା ଭାରତୀୟ ପିଙ୍ଗଳ କୋଡ (ଆଇପିସି), ଫୌଜଦାରୀ ଦଣ୍ଡବିଧି ଆଇନ୍‌ (ସିଆର୍‌ପିସି) ଓ ଭାରତୀୟ ସାକ୍ଷ୍ୟ ଆଇନ୍‌ (ଇଣ୍ଡିଆନ୍‌ ଏଭିଡେନ୍ସ ଆକ୍ଟ) ଇତିହାସ ପାଲଟି ଯାଇଛି । ଏହା ବଦଳରେ ୩ ନୂଆ ଫୌଜଦାରୀ ଆଇନ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌), ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ୍‌) ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ (ବିଏସ୍‌ଏ) କାର୍ଯ୍ୟକାରୀ ହୋଇଛି । ଏହି ନୂଆ ଆଇନରେ ଦଣ୍ଡବିଧାନ ଅପେକ୍ଷା ନ୍ୟାୟ ପ୍ରଦାନକୁ ପ୍ରାଥମିକତ ଦେବ। ସଂଶୋଧିତ ଧାରା ଓ ଦଣ୍ଡବିଧାନ ଅନୁସାରେ ଦୋଷୀକୁ ଦଣ୍ଡ ମିଳିବ । ନ୍ୟାୟ ପାଇବ ନିର୍ଦ୍ଦୋଷ । 

ନୂଆ ଆଇନ୍‌ର କାର୍ଯ୍ୟକାରିତା ନେଇ ପୁଲିସ ବାହିନୀ ସଜବାଜ ହୋଇଛି । ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଏ ନେଇ ବିସ୍ତୃତ ମାର୍ଗଦର୍ଶିକା ଜାରି ହୋଇଛି । ନୂଆ ଆଇନ୍‌ରେ ବଳାତ୍କାର, କର୍ମକ୍ଷେତ୍ରରେ ଯୌନ ନିର୍ଯାତନା, ହତ୍ୟା, ଶିଶୁ ଓ ମହିଳା ଚାଲାଣ, ଆତଙ୍କବାଦ, ଭିଡ଼ ହିଂସା, ଏସିଡ୍‌ ଆକ୍ରମଣ ଭଳି ମାମଲାରେ ଦଣ୍ଡବିଧାନକୁ କଠୋର କରାଯାଇଛି । ଏସବୁ ମାମଲାର କେମିତି ସୁପରିଚାଳନା କରିହେବ, ସେ ନେଇ ମାର୍ଗଦର୍ଶିକାରେ ପରାମର୍ଶ ଦିଆଯାଇଛି । ଏହାଛଡ଼ା ଅଦାଲତରେ ଚାର୍ଜସିଟ୍‌ ଦାଖଲ, ଭିଡିଓ କନଫରେନ୍ସିଂ ଯୋଗେ ସାକ୍ଷ୍ୟ ସଂଗ୍ରହ, ବୟାନ ରେକର୍ଡ, ନୋଟିସ୍‌ ପଠାଇବା ଓ ସମନ ଜାରି କରିବା ପଦ୍ଧତି ସମ୍ପର୍କରେ ମଧ୍ୟ ସୂଚାଯାଇଛି । ଏହିଭଳି ୨୩ରୁ ଅଧିକ ମାର୍ଗଦର୍ଶିକା ସମସ୍ତ ଜିଲ୍ଲା ଏସ୍‌ପିଙ୍କୁ ପଠାଯାଇଛି । କୌଣସି ମାମଲାର ପଞ୍ଜୀକରଣଠାରୁ ତଦନ୍ତ ପ୍ରକ୍ରିୟା ଯାଏ ସବୁଥିରେ ଏସବୁ ମାର୍ଗଦର୍ଶିକା ସହାୟକ ହେବ । 

ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ କହିଛନ୍ତି, ସମସ୍ତ ପୁଲିସ ଅଧିକାରୀମାନଙ୍କୁ ନୂଆ ଆଇନ୍‌ର କାର୍ଯ୍ୟକାରିତା ନେଇ ତାଲିମ୍‌ ଦିଆଯାଇଛି । ଏମିତିକି ଉପାନ୍ତ ଇଲାକାରେ ଥିବା ଥାନାର ପୁଲିସମାନେ ମଧ୍ୟ ପର୍ଯ୍ୟାପ୍ତ ତାଲିମ୍‌ ନେଇଛନ୍ତି । ଏବେ ବିଏନ୍‌ଏସ୍‌, ବିଏନ୍‌ଏସ୍‌ଏସ୍‌ ଓ ବିଏସ୍‌ଏର ସଂଶୋଧିତ ଧାରା ଅନୁସାରେ କାର୍ଯ୍ୟକାରିତା କରିବାର ସମୟ । ପୁଲିସ ଅଧିକାରୀମାନେ ଏ ଦିଗରେ ଯତ୍ନଶୀଳ ହୋଇ ନୂଆ ଆଇନ୍‌କୁ ଆଗେଇ ନେବେ ବୋଲି ଦୃଢ଼ ବିଶ୍ୱାସ ଅଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।  

ବଳାତ୍କାର ମାମଲାରେ ମେଡିକାଲ୍‌ ରିପୋର୍ଟକୁ ଗୁରୁତ୍ୱ

ବଳାତ୍କାର ମାମଲାରେ ଖବର ମିଳିବାର ୨୪ ଘଣ୍ଟା ଭିତରେ ପୀଡି଼ତାର ଡାକ୍ତରୀମାଇନା କରିବାକୁ ମାର୍ଗଦର୍ଶିକାରେ କୁହାଯାଇଛି । ୧୨ ବର୍ଷରୁ ଅଧିକ ପୀଡି଼ତାଙ୍କ ଲିଖିତ ଅନୁମତିରେ ଏହି ପରୀକ୍ଷା କରାଯାଇପାରିବ । ପୀଡି଼ତାର ବୟସ ୧୨ବର୍ଷରୁ କମ୍‌ ହୋଇଥିଲେ, ତା’ର ଅଭିଭାବକଙ୍କ ଅନୁମତି ଦରକାର ପଡି଼ବ । ମେଡିକାଲ ରିପୋର୍ଟ ସଂଗ୍ରହର ସମୟସୀମା ସପ୍ତାହେ ରହିଛି । ସପ୍ତାହକ ମଧ୍ୟରେ ରିପୋର୍ଟ ନ ମିଳିଲେ, ତଦନ୍ତକାରୀ ଅଧିକାରୀ ତୁରନ୍ତ ଏସ୍‌ଡିପିଓ କିମ୍ବା ଏସ୍‌ପିଙ୍କୁ ଅବଗତ କରାଇବାକୁ କୁହାଯାଇଛି । 

ହାତକଡି ପିନ୍ଧାଇବାରେ କଟକଣା

ସବୁ ଅଭିଯୁକ୍ତଙ୍କୁ ଗିରଫ କରିବା ବେଳେ କିମ୍ବା କୋର୍ଟରେ ହାଜିରା ବେଳେ ହାତକଡ଼ି ପିନ୍ଧାଇବା ଉପରେ କଟକଣା ଲଗାଯାଇଛି । ବିଏନ୍‌ଏସ୍‌ ଧାରା ୪୩ (୩) ଅନୁସାରେ, କେବଳ ଅଭ୍ୟାସଗତ ଅପରାଧୀ, ଫେରାର୍‌ ଅଭିଯୁକ୍ତ, ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ବ୍ୟକ୍ତିକୁ ହାତକଡ଼ି ଲଗାଯାଇପାରିବ । ଏଥିସହ ହତ୍ୟା, ବଳାତ୍କାର, ଏସିଡ୍‌ ଆକ୍ରମଣ, ମାନବଚାଲାଣ, ଡ୍ରଗ୍ସ ଓ ଶିଶୁଙ୍କୁ ଯୌନ ଶୋଷଣ ଆଦି ମାମଲାର ଅଭିଯୁକ୍ତଙ୍କୁ ମଧ୍ୟ ହାତକଡ଼ି ପକାଇହେବ । ଏହାବାଦ୍‌ ଅନ୍ୟ ଅଭିଯୁକ୍ତମାନଙ୍କୁ ହାତକଡ଼ି ନ ପିନ୍ଧାଇବାକୁ ମାର୍ଗଦର୍ଶିକାରେ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଅଭିଯୁକ୍ତମାନଙ୍କ ମୁହଁ ଲୁଚାଇବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । 

ଜିରୋ ଏଫ୍‌ଆଇଆର୍‌କୁ ପ୍ରାଧାନ୍ୟ

ପୂର୍ବରୁ ଅନ୍ୟ ଥାନା ପରିସୀମାରେ ଘଟିଥିବା ଅପରାଧ କ୍ଷେତ୍ରରେ ଜିରୋ ଏଫ୍‌ଆଇଆର୍‌ ରୁଜୁକୁ ନେଇ ପୁଲିସ କୁନ୍ଥକୁନ୍ଥ ହେଉଥିଲା । ବର୍ତ୍ତମାନ ଜଣେ ଚାହିଁଲେ ଅନ୍‌ଲାଇନ୍‌ରେ କିମ୍ବା ଜିରୋ-ଏଫ୍‌ଆଇଆର୍‌ ବ୍ୟବସ୍ଥା ଅନୁସାରେ ଦେଶର ଯେକୌଣସି ଥାନାରେ ଏତଲା ଦେଇପାରିବ । ଜିରୋ ଏଫ୍‌ଆଇଆର୍‌କୁ ବାଧ୍ୟତାମୂଳକ ବୋଲି ମାର୍ଗଦର୍ଶିକାରେ ଦର୍ଶାଯାଇଛି । ପରାମର୍ଶ ଦିଆଯାଇଛି, ପ୍ରତି ଥାନାରେ ଏକ ସ୍ୱତନ୍ତ୍ର ରେଜିଷ୍ଟର ରଖାଯାଉ । ସେଥିରେ କେବଳ ଜିରୋ ଏଫ୍‌ଆଇଆର୍‌ ସଂକ୍ରାନ୍ତୀୟ ମାମଲାର ତଥ୍ୟ ଲେଖାଯାଉ । ଅଭିଯୋଗକାରୀଙ୍କୁ ମାଗଣାରେ ଏତଲାର ନକଲ (କପି) ଯୋଗାଯାଉ । ୯୦ ଦିନ ଭିତରେ ପ୍ରାଥମିକ ତଦନ୍ତ ପ୍ରକ୍ରିୟାର ଅଗ୍ରଗତି ନେଇ ଜଣାଇବାକୁ ପଡ଼ିବ । ୧୫ ବର୍ଷରୁ କମ୍‌ ନାବାଳକ, ୬୦ ବର୍ଷରୁ ଅଧିକ ବୟସ୍କ, ଦିବ୍ୟାଙ୍ଗ ଓ ଗୁରୁତର ଅସୁସ୍ଥ ଅଭିଯୋଗକାରୀଙ୍କ କ୍ଷେତ୍ରରେ ସେମାନଙ୍କ ଘରକୁ ଯିବାକୁ ମାର୍ଗଦର୍ଶିକାରେ କୁହାଯାଇଛି ।

ଡିଜିଟାଲ୍‌ ପ୍ରମାଣପତ୍ରକୁ ଗୁରୁତ୍ୱ

ନୂଆ ଆଇନ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ଡିଜିଟାଲ ପ୍ରମାଣପତ୍ର । ତଦନ୍ତ ପ୍ରକ୍ରିୟାରେ ଏହାକୁ ଫୋକସ ଦେବାକୁ କୁହାଯାଇଛି । ଜବତ ପ୍ରକ୍ରିୟା କିମ୍ବା ଖୋଜାଖୋଜି ସମୟର ଦୃଶ୍ୟକୁ ଭିଡିଓ ରେକର୍ଡିଂ କରିବାକୁ ପଡି଼ବ । ୭ବର୍ଷରୁ ଅଧିକ ଅପରାଧ କ୍ଷେତ୍ରରେ ଫୋରେନ୍ସିକ ପ୍ରମାଣ ଦାଖଲ କରିବାକୁ ହେବ । ଆଇନ୍‌ଜୀବୀଙ୍କ ଉପସ୍ଥିତିରେ ଅଭିଯୁକ୍ତର ଅଡିଓ ଭିଡିଓ ଯୋଗେ ବୟାନ ରେକର୍ଡ କରିବାକୁ ହେବ । ଶୁଣାଣି ବେଳେ ଭିଡିଓ କନଫରେନ୍ସିଂରେ ସାକ୍ଷୀ, ଅଭିଯୋଗକାରୀ, ଅନ୍ୟାନ୍ୟ ଅଧିକାରୀଙ୍କ ସାକ୍ଷ୍ୟ ଓ ବୟାନ ରେକର୍ଡ କରାଯିବ । ଏ ନେଇ ଥାନାସ୍ତରରେ ପର୍ଯ୍ୟାପ୍ତ ଭିତ୍ତିଭୂମି ସଜାଡ଼ିବାକୁ ପରାମର୍ଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.