ପ୍ରମୂଖ ଖବର

ଶୁକ୍ରବାର ବସିବ ଏନ୍‌ଡିଏର ସଂସଦୀୟ ଦଳ ବୈଠକ, ନୂଆ କ୍ୟାବିନେଟରେ ପୁରୁଣାଙ୍କୁ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ, ୦୭/୦୬: ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ନରେନ୍ଦ୍ର ମୋଦି ଆସନ୍ତା ଜୁନ ୯ ତାରିଖ (ରବିବାର) ଦିନ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ସନ୍ଧ୍ୟା ୬ଟାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ମୋଦି ଜୁନ ୮ ତାରିଖ (ଶନିବାର) ଶପଥ ଗ୍ରହଣ କରିପାରନ୍ତି ବୋଲି ପୂର୍ବରୁ କୁହାଯାଇଥିଲା ବେଳେ ଏବେ ୯ ତାରିଖକୁ ଶପଥ ଦିବସ ଭାବେ ଚୂଡ଼ାନ୍ତ କରାଯାଇଛି ।

ଶପଥ ଗ୍ରହଣ ସମାରୋହକୁ ବେଶ୍‌ ଆଡ଼ମ୍ବରପୂର୍ଣ୍ଣ ଭାବେ କରାଯିବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିପାଇଁ ଦେଶ ବିଦେଶର ବହୁ ଅତିଥିଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଇଛି । ପଡ଼ୋଶୀ ଦେଶ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ, ନେପାଳ ପ୍ରଧାନମନ୍ତ୍ରୀ ପୁସ୍ପକମଲ ଦହଲ, ଭୂଟାନ ରାଜା ଜିଗ୍‌ମେ ଖେସର ନାମଗ୍ୟେଲ ୱାଙ୍ଗଚୁକ, ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପ୍ରମୁଖ ବିଦେଶୀ ନେତାଙ୍କୁ ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରିତ କରାଯାଇଛି । ମରିସସ ଓ ସେସେଲ୍ସକୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି । ଦେଶ ବିଦେଶର ପ୍ରାୟ ୮ ହଜାର ଅତିଥି ଶପଥ ସମାରୋହକୁ ଆସିବେ ବୋଲି ସୂଚନା ମିଳିଛି । ସେମାନଙ୍କ ରହିବା ପାଇଁ ଦିଲ୍ଲୀର ୪ଟି ହୋଟେଲ (ତାଜ ପ୍ୟାଲେସ, ଦି ଓବେରୟ, ଦି ଲୀଳା ପ୍ୟାଲେସ ଓ ଆଇଟିସି ମୌର୍ଯ୍ୟ)ରେ ବ୍ୟବସ୍ଥା ହୋଇଛି । ଅତିଥିଙ୍କ ଆସିବା ଓ ରହିବା ଲାଗି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ମଧ୍ୟ ଗ୍ରହଣ କରାଯାଇଛି । ୨୦୧୪ରେ ମୋଦିଙ୍କ ଶପଥ ସମାରୋହରେ ସାର୍କ ଦେଶର ରାଷ୍ଟ୍ରମୁଖ୍ୟମାନେ ଯୋଗ ଦେଇଥିଲା ବେଳେ ୨୦୧୯ରେ ବିମ୍ସଟେକ ସଦସ୍ୟ ରାଷ୍ଟ୍ରର ପ୍ରତିନିଧିମାନେ ସାମିଲ ହୋଇଥିଲେ ।

ମୋଦିଙ୍କ ସହ କିଛି ମନ୍ତ୍ରୀ ମଧ୍ୟ ଶପଥ ନେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରାଯିବ । ସୂଚନା ଅନୁସାରେ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ନିଆଯିବ । ତେବେ ବିବାଦରେ ଛନ୍ଦି ହୋଇପଡ଼ିଥିବା ଚେହେରାଙ୍କୁ ନୂଆ ମନ୍ତ୍ରୀ ତାଲିକାରୁ ବାଦ୍‌ ଦିଆଯିବ । ଅନ୍ୟପକ୍ଷରେ ନିର୍ବାଚନ ହାରିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ରାଜୀବ ଚନ୍ଦ୍ରଶେଖରଙ୍କୁ ପୁଣିଥରେ ମୋଦିଙ୍କ କ୍ୟାବିନେଟରେ ସ୍ଥାନ ମିଳିବାର ସମ୍ଭାବନା ରହିଛି । ସେପଟେ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ବାସଭବନରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଦଳର ବରିଷ୍ଠ ନେତା ଅମିତ ଶାହ ଓ ରାଜନାଥ ସିଂହ ସାମିଲ ଥିଲେ । କେନ୍ଦ୍ରରେ ନୂଆ ସରକାର ଗଠନ, ମନ୍ତ୍ରିମଣ୍ଡଳରେ ବିଜେପି ଓ ସହଯୋଗୀ ଦଳର ନେତାଙ୍କୁ ସାମିଲ କରିବା ଓ ଶପଥ ଗ୍ରହଣ ପ୍ରସ୍ତୁତି ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଶୁକ୍ରବାର ଏନ୍‌ଡିଏ ସଂସଦୀୟ ଦଳର ସଦସ୍ୟଙ୍କ ବୈଠକ ବସିବ।

ଆଗାମୀ ୨-୩ ଦିନ ଭିତରେ ମୋଦିଙ୍କ ତୃତୀୟ ପାଳି କ୍ୟାବିନେଟ ଗଠନର ରୂପରେଖ ଚୂଡ଼ାନ୍ତ ହେବ ବୋଲି କୁହାଯାଉଛି । ଏନ୍‌ଡିଏର ପ୍ରମୁଖ ସହଯୋଗୀ ଟିଡିପି ଓ ଜେଡିୟୁ କେନ୍ଦ୍ର କ୍ୟାବିନେଟରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାବି କରିଛନ୍ତି । ଏପରିକି ବାଚସ୍ପତି ପଦ ସମେତ ସ୍ୱରାଷ୍ଟ୍ର, ଅର୍ଥ, ରେଳ ଆଦି ବିଭାଗ ସେମାନେ ଚାହୁଁଛନ୍ତି । ହେଲେ ଏସବୁ ଛାଡ଼ିବାକୁ ବିଜେପି ନାରାଜ । କୌଣସି ପରିସ୍ଥିତିରେ ସ୍ୱରାଷ୍ଟ୍ର, ପ୍ରତିରକ୍ଷା, ବିଦେଶ, ଅର୍ଥ, ରେଳ ଓ ଆଇଟି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ବିଜେପି ଛାଡ଼ିବାକୁ ପ୍ରସ୍ତୁତ ନାହିଁ । 

ସେହିଭଳି ଏଲଜେପିର ଚିରାଗ ପାଶ୍ୱାନ, ହାମ୍‌ର ଜିତନ ରାମ ମାଁଝୀ ଏବଂ ଜେଡିଏସ୍‌ର ଏଚ.ଡି କୁମାରସ୍ୱାମୀ ମଧ୍ୟ ପ୍ରମୁଖ ବିଭାଗ ଉପରେ ନଜର ରଖିଛନ୍ତି । ସେମାନଙ୍କୁ କିଭଳି ମନାଇବାରେ ବିଜେପି ସଫଳ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଏଥର ଲୋକସଭା ନିର୍ବାଚନରେ ବିଜେପିକୁ ସ୍ପଷ୍ଟ ବହୁମତ ମିଳିନାହିଁ । ସରକାର ଗଠନ ଲାଗି ୨୭୨ ସଦସ୍ୟଙ୍କ ସମର୍ଥନ ଥିବା ବେଳେ ବିଜେପି ୨୪୦ଟି ଆସନ ପାଇଛି । ତେଣୁ ବିଜେପିକୁ ଏବେ ଏନ୍‌ଡିଏର ଅନ୍ୟ ସହଯୋଗୀ ଦଳମାନଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ପଡ଼ିବ । ଟିଡିପି ବାଚସ୍ପତି ପଦ ଦାବି କରୁଥିଲା ବେଳେ ବିଜେପି ତାକୁ ଉପବାଚସ୍ପତି ପଦରେ ସନ୍ତୁଷ୍ଟ କରାଇବାକୁ ଚାହୁଁଛି ।

ସଦ୍ୟ ସମାପ୍ତ ନିର୍ବାଚନରେ ଲୋକସଭାର ୫୪୩ ଆସନରୁ ଏନ୍‌ଡିଏ ୨୯୩ଟି ଆସନ ହାସଲ କରିଛି । ଯାହାକି ମ୍ୟାଜିକ ସଂଖ୍ୟା ୨୭୨ ଠାରୁ ଅଧିକ । ତେବେ ବିଜେପି ୨୪୦ରେ ସୀମିତ ରହିଯାଇଛି । ଫଳରେ ବିଜେପି ଲାଗି ଅନ୍ୟ ୧୪ଟି ଦଳର ୫୩ ସଦସ୍ୟଙ୍କ ସମର୍ଥନ ଦରକାର ପଡ଼ିଛି । ସେମାନଙ୍କ ମଧ୍ୟରେ ଟିଡିପି ୧୬, ଜେଡିୟୁ ୧୨, ଶିବସେନା ୭, ଏଲ୍‌ଜେପି ୫, ଜନସେନା ପାର୍ଟି ୨, ଜେଡିଏସ୍‌ ୨, ଆରଏଲ୍‌ଡି ୨ଟି ଓ ଅନ୍ୟାନ୍ୟ ଛୋଟ ଦଳ ୭ଟି ଆସନ ରହିଛି । ଅନ୍ୟପକ୍ଷରେ ଇଣ୍ଡିଆ ମେଣ୍ଟ ୨୩୪ ଆସନ ପାଇଛି । ମେଣ୍ଟ ଦଳ ଭାବେ କଂଗ୍ରେସ ସର୍ବାଧିକ ୯୯ ଆସନ ଲାଭ କରିଥିଲା ବେଳେ ସମାଜବାଦୀ ପାର୍ଟି ୩୭, ଟିଏମ୍‌ସି ୨୯, ଡିଏମ୍‌କେ ୨୨, ଶିବସେନା (ୟୁବିଟି) ୯, ଏନ୍‌ସିପି (ଶରଦ) ୮, ଆରଜେଡି ୪, ସିପିଏମ୍‌ ୪, ଜେଏମ୍‌ଏମ ୩, ଆଇୟୁଏମ୍‌ଏଲ ୩, ଆପ୍‌ ୩, ଭିସିକେ ୨, ସିପିଆଇ ୨, ସିପିଆଇ (ଏମ୍‌ଏଲ) ୨, ଜେକେଏନ୍‌ସି ୨ ଓ ଅନ୍ୟାନ୍ୟ ଛୋଟ ଦଳ ୫ଟି ଆସନ ପାଇଛନ୍ତି । ସେହିଭଳି ଏନ୍‌ଡିଏ କିମ୍ବା ଇଣ୍ଡିଆ ମେଣ୍ଟରେ ସାମିଲ ନଥିବା ଅନ୍ୟାନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ୧୬ ଆସନରେ ବିଜୟଲାଭ କରିଛନ୍ତି । ସେମାନଙ୍କ ମଧ୍ୟରେ ୱାଇଏସ୍‌ଆର କଂଗ୍ରେସ ପାର୍ଟିର ୪, ଜେଡ୍‌ପିଏମ୍‌, ଏଏସ୍‌ପିକେଆର, ଏସ୍‌ଏଡି, ଏଆଇଏମ୍‌ଆଇଏମ୍‌ ଓ ଭିଓଟିପିପି ଗୋଟିଏ ଲେଖାଏ ଆସନ ଥିଲାଥିଲା ବେଳେ ସ୍ୱାଧୀନ ପ୍ରାର୍ଥୀ ୭ ଆସନରେ ବିଜୟୀ ହୋଇଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.