ଭୁବନେଶ୍ୱର, ୨୫।୯: ଶିକ୍ଷାନୁଷ୍ଠାନରେ ରାଗିଂ ଅଭିଯୋଗ ବାରମ୍ବାର ଆସୁଛି । ରାଗିଂ ରୋକିବା ଦିଗରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଯେତିକି ତତ୍ପର ହେବା କଥା ସେତିକି ହେଉନାହାନ୍ତି । କେବଳ ସଚେତନତା କାର୍ଯ୍ୟକ୍ରମ, ପୋଷ୍ଟର ଏବଂ ଅଣ୍ଡରଟେକିଂ ଫର୍ମ ପୂରଣ କରି ନିଜର କର୍ତ୍ତବ୍ୟ ସାରି ଦେଉଛନ୍ତି । ଆଣ୍ଟି ରାଗିଂ ସେଲ୍ କାମ କରୁଛି କି ନାହିଁ ତାହା ଜଣାପଡ଼ୁନି । କାରଣ ପ୍ରତିବର୍ଷ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରୁ ରାଗିଂ ଅଭିଯୋଗ ସାମ୍ନାକୁ ଆସୁଛି । ଗତ ଫେବ୍ରୁଆରୀରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ ଆସିଥିଲା । ଏବେ ପୁଣି ସେହି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ରାଗିଂ ଅଭିଯୋଗ ହୋଇଛି । ସେହିପରି ସମ୍ବଲପୁରର ହୋମିଓପାଥି ମେଡିକାଲ କଲେଜରେ ମଧ୍ୟ ଏପରି ରାଗିଂ ଅଭିଯୋଗ ସାମ୍ନାକୁ ଆସିଥିଲା ରାଜ୍ୟର ବିଭିନ୍ନ ସ୍ଥାନରୁ ଏପରି ଅଭିଯୋଗ ଆସୁଛି । ଏଥିରେ ରୋକ୍ ଲଗାଇବାକୁ ଉଚ୍ଚଶିକ୍ଷା ବିଭାଗ କେବଳ ଚିଠି କରି ଦେଇ ବସି ପଡ଼ୁଛି ।
ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଆଣ୍ଟି ରାଗିଂ ମାର୍ଗଦର୍ଶିକା ଜାରି କରିଛି । ଏହାକୁ କଡ଼ାକଡ଼ି ପାଳନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୟୁଜିସି ଗାଇଡ୍ଲାଇନକୁ ଆଧାର କରି ସମସ୍ତ ଶିକ୍ଷାନୁଷ୍ଠାନକୁ ଚିଠି କରାଯାଇଛି । ଏପରିକି ୟୁଜିସି ପକ୍ଷରୁ ପ୍ରତିବର୍ଷ ଏହି ଆଣ୍ଟି ରାଗିଂ ମାର୍ଗଦର୍ଶିକା ପାଳନ କରିବାକୁ ବିଶ୍ୱବିଦ୍ୟାଳୟ କୁଳପତି, କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଉଛି । ମାତ୍ର ରାଗିଂ ବନ୍ଦ ହେଉନାହିଁ । ୨୦୨୨ ଏପ୍ରିଲରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ରାଗିଂ ଯୋଗୁ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା । ସେହବର୍ଷ ଜୁଲାଇରେ ଭୁବନେଶ୍ୱର ବିଜେବି କଲେଜର ଜଣେ ଯୁକ୍ତ ୩ ଛାତ୍ରୀ ଆତ୍ମହତ୍ୟା କଲେ । ଏସବୁ ଘଟଣା ପଛରେ ରାଗିଂ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ସେହିପରି ୨୦୨୧ରେ ଭଦ୍ରକ ଜିଲ୍ଲାରେ ମଧ୍ୟ ଏକ ଆଇଟିଆଇ କଲେଜରେ ରାଗିଂ ପାଇଁ ଜଣେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ରେଭେନ୍ସାରେ ୨୦୨୦ରେ ରାଗିଂ ଅଭିଯୋଗକୁ ଆଧାର କରି କର୍ତ୍ତୃପକ୍ଷ କିଛି ଛାତ୍ରଙ୍କୁ ହଷ୍ଟେଲରୁ ବାହାର କରିଥିଲେ । ଏମିତି ଅନେକ କଲେଜରେ ରାଗିଂ ଘଟଣା ସାମ୍ନାକୁ ଆସୁଛି । ୟୁଜିସି ଗାଇଡ୍ଲାଇନ୍ ଅନୁଯାୟୀ, ସବୁ ଶିକ୍ଷାନୁଷ୍ଠାନରେ ଆଣ୍ଟି ରାଗିଂ କମିଟି ଗଠନ, ଆଣ୍ଟି ରାଗିଂ ସ୍କ୍ୱାଡ୍, ଆଣ୍ଟି ରାଗିଂ ସେଲ୍ ଗଠନ ବାଧ୍ୟତାମୂଳକ । ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ସ୍ଥାପନ ମଧ୍ୟ କରାଯିବ । ନିୟମିତ ବ୍ୟବଧାନରେ ରାଗିଂ ଓ ଏହାର କୁପୟଭାବ ସଂକ୍ରାନ୍ତରେ ଆଲୋଚନାଚକ୍ର କରିବାକୁ କୁହାଯାଇଛି । ଏସବୁ କାର୍ଯ୍ୟକାରୀ କରିବାକୁ ନିକଟରେ ୟୁଜିସି ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା । ଏଥିରେ ଅବହେଳା କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି ।
ଏପରିକି କୁହାଯାଇଥିଲା, ଛାତ୍ରାବାସ, କ୍ୟାଣ୍ଟିନ୍, ଶୌଚାଳୟ, ବସ୍ଷ୍ଟାଣ୍ଡ ଆଦିକୁ ଅଚାନକ ପରିଦର୍ଶନ କରିବେ ସ୍କ୍ୱାଡ୍ । ନାମଲେଖା କେନ୍ଦ୍ର, ଲାଇବ୍ରେରୀ, କ୍ୟାଣ୍ଟିନ୍, ହଷ୍ଟେଲ ଆଦିରେ ଆଣ୍ଟି ରାଗିଂ ପୋଷ୍ଟର ଲଗାଇବାକୁ ୟୁଜିସି ପରାମର୍ଶ ଦେଇଛି । ୟୁଜିସି ୱେବ୍ସାଇଟ୍ରେ ଏହି ପୋଷ୍ଟର ଗୁଡ଼ିକ ଉପଲବ୍ଧ । ନାମଲେଖା ଫର୍ମରେ ଆଣ୍ଟି ରାଗିଂ ଅଣ୍ଡରଟେକିଂ ବାଧ୍ୟତାମୂଳକ କରିବାକୁ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ରାଗିଂ ସଂପର୍କିତ ଘଟଣା ପାଇଁ ଅସୁବିଧାରେ ପଡ଼ିଥିବା ଛାତଛାତ୍ରୀମାନେ ନ୍ୟାସନାଲ ଆଣ୍ଟି-ରାଗିଂ ହେଲ୍ପ ଲାଇନକୁ କଲ କରିପାରିବେ । ନଚେତ ଆଣ୍ଟି-ରାଗିଂ ହେଲ୍ପ ଲାଇନ୍କୁ ଇ-ମେଲ କରିପାରିବେ । ଛାତ୍ରଛାତ୍ରୀ କଲେଜରେ ଦେଇଥିବା ନିଜର ପଞ୍ଜୀକରଣ ନମ୍ବର ସହିତ ଇ-ମେଲ କରିପାରିବେ । ଏତେସବୁ ସତର୍କତାମୂଳକ ପଦକ୍ଷେପ ଏବଂ ୟୁଜିସି ନିର୍ଦ୍ଦେଶ ସତ୍ତେ୍ୱ ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଗିଂ ବନ୍ଦ ହେଉନି ଯାହାକି ବିଦ୍ୟାର୍ଥୀ ଓ ଅଭିଭାବକଙ୍କ ଚିନ୍ତା ବଢ଼ାଇଛି ।