ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଏକାକୀ ବହୁମତ ପାଇପାରିଲା ନାହିଁ ବିଜେପି । ଫଳରେ ବିଜେପି ଏନଡିଏର ସହଯୋଗୀଙ୍କ ହାତ ଧରି ସରକାର ଗଠନ କରିଛି । ମୋଦୀ ୩.୦ ସରକାରରେ ସହଯୋଗୀ ଦଳ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଏପରିକି ମୋଦୀଙ୍କ ତୃତୀୟ ପାଳିର କ୍ୟାବିନେଟରେ ସହଯୋଗୀ ଦଳଗୁଡ଼ିକୁ ପ୍ରଧାନ୍ୟ ଦିଆଯାଇଛି ।ଏଭଳି ସ୍ଥିତିରେ ଏନଡିଏ ସରକାର ତିଷ୍ଠି ରହିବା ଲାଗି ବହୁ ସଂଘର୍ଷ କରିବ ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଦାବି କରିଛନ୍ତି ।
୨୦୨୪ ଲୋକସଭା ନିର୍ବାଚନର ଫଳାଫଳକୁ ‘ଟକ୍ଟୋନିକ୍ ଶିଫ୍ଟ’ ବୋଲି କହିଛନ୍ତି ରାହୁଲ । ବ୍ରିଟେନ୍ର ‘ଫାଇନାନ୍ସିଆଲ୍ ଟାଇମ୍ସ’କୁ ସାକ୍ଷାତକାର ଦେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ, ‘ଭାରତୀୟ ରାଜନୀତିରେ ଗୋଟିଏ ଟେକ୍ଟୋନିକ୍ ଶିଫ୍ଟ ଦେଖିବାକୁ ମିଳିଛି । ସଂଖ୍ୟା ଗଣିତ ଖୁବ କମଜୋର ଥିବା ବେଳେ ଟିକିଏ ଗଡ଼ବଡ଼ ହେଲେ ସରକାର ଗଡ଼ିପଡ଼ିବ ।’ ୨୦୨୪ ଲୋକସଭା ନିର୍ବାଚନରେ ଇଣ୍ଡି ମେଣ୍ଟ ୫୪୩ରୁ ୨୩୪ଟି ଆସନରେ ବିଜୟୀ ହୋଇଛି । ଉତ୍ତର ପ୍ରଦେଶର ମେଣ୍ଟ ବିଜେପିକୁ ଶକ୍ତ ଝଟକା ଦେବା ସହ ସଂସଦରେ ଏକ ଶକ୍ତିଶାଳୀ ବିରୋଧୀ ଭାବରେ ଉଭା ହୋଇଛି । ୧୫ ବର୍ଷ ପରେ କଂଗ୍ରେସ ୯୯ ଟି ଆସନରେ ବିଜୟୀ ହୋଇ ବହୁତ ଭଲ ପ୍ରଦର୍ଶନ କରିଛି ।
ସେପଟେ ବିଜେପି ନେତୃତ୍ବାଧୀନ ଏନଡିଏ ୨୯୩ ଆସନ ଜିତିଥିବା ବେଳେ ବିଜେପି ଖାତାକୁ ୨୪୦ ଆସନ ଯାଇଛି । ମ୍ୟାଜିକ ନମ୍ବରରୁ ବହୁ ଦୂରରେ ରହିଛି ବିଜେପି । ମୋଦୀଙ୍କ କ୍ୟାମ୍ପରେ ଗଡ଼ବଡ଼ ଥିବା କଥା କହିବା ସହ ମେଣ୍ଟରେ ଫାଟ ଅଛି ବୋଲି ରାହୁଲ ଗାନ୍ଧୀ ଦାବି କରିଛନ୍ତି । ଏପରିକି ଏନଡିଏର କିଛି ନେତା ତାଙ୍କ ଯୋଗଯୋଗରେ ଅଛନ୍ତି ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ‘ଏହା ସହ ୨୦୨୪ ଲୋକସଭା ରେଜଲ୍ଟ ବିଜେପିର ବିଭାଜନକାରୀ ରାଜନୀତି ବିରୋଧରେ ଜନାଦେଶ । ନିର୍ବାଚନୀ ପ୍ରଚାର ସମୟରେ ପିଏମ ମୋଦୀ ମୁସଲମାନ ସଂପ୍ରଦାୟକଙ୍କୁ ‘ଅନୁପ୍ରବେଶକାରୀ’ କହିଥିଲେ । ଏପରିକି କଂଗ୍ରେସ ସରକାରକୁ ଆସିଲେ ସଂରକ୍ଷଣ ଏବଂ ରୋଜଗାର ଛଡ଼ାଇ ନେବ ବୋଲି କହିଥିଲେ । କିନ୍ତୁ ବହୁମତ ସହ ସରକାରକୁ ଆସିଲେ ବିଜେପି ସମ୍ବିଧାନ ପରିବର୍ତ୍ତନ କରିବ ବୋଲି ଦଳିତ ବର୍ଗଙ୍କ ମନରେ ଭୟ ହିଁ ଇଣ୍ଡି ମେଣ୍ଟକୁ ଫାଇଦା ଦେଇଛି । ଏହା ହିଁ ଦର୍ଶାଉଛି କିଭଳି ୨୦୧୪ ଏବଂ ୨୦୧୯ରେ ବିଜେପିର କାର୍ଯ୍ୟ ଲୋକଙ୍କୁ ପସନ୍ଦ ଆସିଲା ନାହିଁ ।’ ସେପଟେ ବିଜେପିର ‘ଧର୍ମକୁ ନେଇ ରାଜନୀତି’ ଧ୍ବଂସ ପାଇଛି ବୋଲି ରାହୁଲ ଗାନ୍ଧୀ ଦାବି କରିଛନ୍ତି ।