ନୂଆଦିଲ୍ଲୀ: ସନାତନ ଧର୍ମ ଉପରେ ଡିଏମକେ ନେତା ଉଦୟାନିଧି ଷ୍ଟାଲିନ ଦେଇଥିବା ବିବୃତ୍ତି ପରେ ରାଜନୀତି ଜୋରଦାର ହୋଇଛି । ଏହାକୁ ନେଇ ବିଜେପି 'ଇଣ୍ଡିଆ' ମହାମେଣ୍ଟ ଉପରେ ଟାର୍ଗେଟ କରୁଛି । ଏହି ସମୟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ବିବୃତ୍ତି ଦେଇଛନ୍ତି। ଡିଏମକେ ନେତାଙ୍କ ବିବୃତ୍ତିକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ, ସନାତନ ଧର୍ମ ଶାଶ୍ବତ, ଦୁନିଆର କୌଣସି ଶକ୍ତି ଏହାକୁ ନଷ୍ଟ କରିପାରିବ ନାହିଁ ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଏହା ଦୁର୍ଭାଗ୍ୟଜନକ । ସନାତନ ଧର୍ମ ବସୁଧୈବ କୁଟୁମ୍ବକମ ବାର୍ତ୍ତା ଦେଇଥାଏ, ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ୱ ଆମର ପରିବାର। ଏକ ଉଦାହରଣ ଦେଇ ପ୍ରତିରକ୍ଷା ମନ୍ତ୍ରୀ ଡିଏମକେ ନେତାମାନଙ୍କୁ ଟାର୍ଗେଟ କରିଥିଲେ। ରାଜନାଥ ସିଂ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ଆମର ମା ଏବଂ ଭଉଣୀ ମାନେ ଅଟା ଚକଟୁଥାନ୍ତି ଏବଂ ସେହି ପାଖରେ ଯଦି କୌଣସି ଚଢେଈ ଉଡୁଥାଏ ତେବେ ସେମାନେ ଏହାକୁ ଅଟାର ଛୋଟ ଗୋଲି ଖାଇବାକୁ ଦିଅନ୍ତି । ଦୁନିଆର କୌଣସି ଶକ୍ତି ସନାତନ ଧର୍ମକୁ ଧ୍ୱଂସ କରିପାରିବ ନାହିଁ ।
ବହୁ ବିଜେପି ନେତା ଓ ପୁରୋହିତ ସନାତନ ଧର୍ମ ଉପରେ ଡିଏମକେ ନେତା ଉଦୟାନିଧି ଷ୍ଟାଲିନଙ୍କ ବକ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି। ଅନେକ ବିରୋଧୀ ଦଳ ମଧ୍ୟ ଉଦୟାନିଧିଙ୍କ ବିବୃତ୍ତିରୁ ନିଜକୁ ଦୂରେଇ ରଖିଛନ୍ତି। ତେବେ ଚତୁର୍ଦ୍ଦିଗରୁ ଘେରି ରହିବା ପରେ ଉଦୟନିଧି ବିଜେପିକୁ ତାଙ୍କ ବିବୃତ୍ତିକୁ ମିଥ୍ୟା ଢଙ୍ଗରେ ବିକୃତ ଏବଂ ବିସ୍ତାର କରିଥିବା ଅଭିଯୋଗ କରିଛନ୍ତି।