ନୂଆଦିଲ୍ଲୀ,୦୮/୦୨: ବିଦେଶରେ ପଢ଼ୁଥିବା ଭାରତୀୟ ଶିକ୍ଷାର୍ଥୀଙ୍କୁ ନେଇ ପ୍ରସଙ୍ଗ କିଛି ଦିନ ହେଲା ଚର୍ଚ୍ଚାରେ। ଗୋଟିଏ ପଟେ ବିଦେଶରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀ ସାମ୍ନା କରୁଥିବା ସମସ୍ୟା ଆଗକୁ ଆସିଥିବା ବେଳେ, ଅନ୍ୟ ପଟେ ଆମେରିକା, ଅଷ୍ଟ୍ରେଲିଆ, କାନାଡ଼ା ଓ ବ୍ରିଟେନ ଆଦି ଦେଶରେ ଅନେକ ଭାରତୀୟ ଶିକ୍ଷାର୍ଥୀଙ୍କ ଉପରେ ହୋଇଥିବା ଆକ୍ରମଣ ବହୁତ ଗମ୍ଭୀର ମୁଦ୍ଦା ପାଲଟିଛି। କେନ୍ଦ୍ର ସରକାର ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ୨୦୧୮ରୁ ଏପର୍ଯ୍ୟନ୍ତ ବିଦେଶରେ ୪୦୩ ଭାରତୀୟ ଛାତ୍ରଛତାତ୍ରୀଙ୍କର ଜୀବନ ଗଲାଣି। ଏମାନଙ୍କ ମୃତ୍ୟୁର କାରଣ ମଧ୍ୟ ଭିନ୍ନ ଭିନ୍ନ। ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଦୁର୍ଘଟଣା ଓ ରୋଗାକାନ୍ତରେ ମୃତ୍ୟୁ ଭଳି କାରଣ ସାମିଲ ଅଛି। ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର ଲୋକସଭାରେ ଆଶ୍ବାସନା ଦେଇ କହିଛନ୍ତି ଯେ, ବିଦେଶରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସୁବିଧା ଓ ସୁରକ୍ଷା ସରକାରଙ୍କର ଶିର୍ଷ ପ୍ରାଥମିକତା ଅଟେ।
କାନାଡ଼ାରେ ଜୀବନ ହରାଇଛନ୍ତି ଅଧିକ ଭାରତୀୟ ଛାତ୍ର:
ଜୟଶଙ୍କର କହିଛନ୍ତି ଯେ, ମନ୍ତ୍ରଣାଳୟ ପାଖରେ ଥିବା ରିପୋର୍ଟରୁ ବିଦେଶରେ ପଢ଼ୁଥିବା ୪୦୩ ଛାତ୍ରଙ୍କ ମୃତ୍ୟୁ ୨୦୧୮ ରୁ ବର୍ତ୍ତମାନ ମଧ୍ୟରେ ହୋଇଛି। ଏଥିମଧ୍ୟରୁ ସବୁଠାରୁ ଅଧିକ କାନାଡ଼ାରେ ୯୧ ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଛି। ବ୍ରିଟେନରେ ୪୮, ଋଷରେ ୪୦, ଆମେରିକାରେ ୩୬, ଅଷ୍ଟ୍ରେଲିଆରେ ୩୫, ୟୁକ୍ରେନରେ ୨୧ ଏବଂ ଜର୍ମାନୀରେ ୨୦ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଜୟଶଙ୍କର କହିଛନ୍ତି ଯେ, ସାଇପ୍ରସରେ ୧୪, ଫିଲିପାଇନ୍ସ ଓ ଇଟାଲିରେ ୧୦-୧୦, କତାର, ଚୀନ୍ ଓ କିର୍ଗିସ୍ତାନରେ ୯-୯ ଜଣ ଭାରତୀୟ ଶିକ୍ଷାର୍ଥୀଙ୍କ ମୃତ୍ୟୁ ହୋଇସାରିଛି।
ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ଭି. ମୁରଲୀଧରନ୍ ଲୋକସଭାରେ ଆଉ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ପାଲେଷ୍ଟାଇନ ସମ୍ବନ୍ଧରେ ଭାରତ କିଛି ପରିବର୍ତ୍ତନ କରିନାହିଁ। ଭାରତ ନିଜର ପୁରୁଣା ନୀତିରେ ଅବ୍ୟାହତ ରହିଛି। ସେ କହିଛନ୍ତି, ସମାଧାନ ଖୋଜିବା ପାଇଁ ଆମେ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତାକୁ ସମର୍ଥନ କରୁଛୁ। ଯାହାଫଳରେ ଏକ ସାର୍ବଭୌମ, ସ୍ବାଧୀନ ଏବଂ ସ୍ଥିର ପାଲେଷ୍ଟାଇନ ଦେଶର ପ୍ରତିଷ୍ଠା ସୁରକ୍ଷିତ ଏବଂ ସ୍ଥିର ସୀମା ମଧ୍ୟରେ ହୋଇପାରିବ। ଏହା ବ୍ୟତୀତ ଇସ୍ରାଏଲରେ ମଧ୍ୟ ଶାନ୍ତି ପ୍ରତିଷ୍ଠା ହୋଇପାରିବ। ଏଥି ସହିତ, ଅକ୍ଟୋବର ୭ ରେ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ସେ ପୁଣି ଥରେ ଦୃଢ଼ ନିନ୍ଦା କରିଛନ୍ତି।
ପଡ଼ୋଶୀ ପ୍ରଥମ ନୀତିରେ ଭାରତ କାଏମ:
ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ରାଜକୁମାର ରଂଜନ ସିଂହ ଭାରତର 'ପଡୋଶୀ ପ୍ରଥମ ନୀତି' ସମ୍ବନ୍ଧୀୟ ଏକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ଭାରତ ଏହାର ପଡ଼ୋଶୀ ପ୍ରଥମ ନୀତି ସହିତ ଜଡ଼ିତ, ଯାହାକି ଏହାର ପଡ଼ୋଶୀ ଦେଶ ସହିତ ସମ୍ପର୍କର ପରିଚାଳନାକୁ ପ୍ରତିଫଳିତ କରିଥାଏ। ପଡ଼ୋଶୀ ଦେଶରେ ଘଟୁଥିବା ସମସ୍ତ ପରିବର୍ତ୍ତନ ଉପରେ ଭାରତ ନଜର ରଖିଛି, ଯାହା ଏହାର ଜାତୀୟ ସୁରକ୍ଷା ସ୍ୱାର୍ଥ ସହ ଜଡ଼ିତ। ଏଥିସହିତ ସୁରକ୍ଷା ସ୍ୱାର୍ଥ ରକ୍ଷା ପାଇଁ ମଧ୍ୟ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଛି ଭାରତ।