ଭୁବନେଶ୍ୱର,୧୮/୦୩: ଡମ୍ ଡମ୍ ଡମ୍ ଡମ୍... ଡମ୍ବରରୁ ଏହି ଶବ୍ଦ ଶୁଣିବା ମାତ୍ରେ ପେଡ଼ି ହଲ୍ଚଲ୍ ହେଉଥିଲା । ଶବ୍ଦର ତାଳେତାଳେ ପେଡିରୁ ଫଣା ଟେକି ବାହାରୁଥିଲା ସାପ । ସାପକୁ ଦେଖି ପୁଣି ବାଜୁଥିଲା ଡମ୍ବରୁ ଯାହା ଶୁଣି ସାପ ନିଜ ଖେଳ ଦେଖାଉଥିଲା । ଏହି ଖେଳ ଦେଖିବାକୁ ସବୁଠି ଜମୁଥିଲା ଭିଡ଼ । ଯିଏ ଯାହା ଦେଉଥିଲେ ସେଥିରେ କେଳା ତାର ପରିବାର ପ୍ରତିପୋଷଣ କରୁଥିଲା । ହେଲେ ଏବେ ସମୟ ବଦଳିଛି । ସାପ ଖେଳ ଦେଖାଇବା ଏବେ ବେଆଇନ ହୋଇଥିବାବେଳେ କେଳାଙ୍କୁ ମଧ୍ୟ ମିଳୁନି ସରକାରୀ ସହାୟତା । ଯାହାଫଳରେ ସେମାନେ ଅତି ଦୁଃଖରେ କାଳାତିପାତ କରୁଛନ୍ତି ।
ଏ ହେଉଛି ରାଜଧାନୀ ଉପକଣ୍ଠ ପଟିଆ ପଦ୍ମକେଶରୀପୁର ଗ୍ରାମବାସୀଙ୍କ କଥା । ଏହି ଗ୍ରାମରେ ୭ ଶହରୁ ଅଧିକ କେଳା ପରିବାର ରହୁଛନ୍ତି । ସାପ ଧରିବା ପାଇଁ ଏମାନେ ପୁରୀ ଜିଲ୍ଲାରୁ ନାଗ, ବାଲେଶ୍ୱରରୁ ତମ୍ପ, କୋରାପୁଟ ଓ ମାଲକାନଗିରି ଅଞ୍ଚଳରୁ ଅହିରାଜ ଓ ଅଜଗର, ନୟାଗଡ଼, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ଅନ୍ୟ ସାପ ଧରିଥାନ୍ତି । ସାପ ଖେଳ ଦେଖାଇବା ସହ ଚେରମୂଳି ଓ ଡେଉଁରିଆ ବି ଦେଉଥିଲେ । ଘରେ ସାପ ପଶିଲେ କି କୌଣସି ଚଳଚ୍ଚିତ୍ର ପାଇଁ ସାପ ଆବଶ୍ୟକ ହେଲେ ଏମାନେ ଖୋଜା ପଡ଼ୁଥିଲେ । ସେଥିରେ ଯାହା ରୋଜଗାର ହେଉଥିଲା ସେଥିରେ ପରିବାର ଚଳିଯାଉଥିଲା । ଏବେ ସେସବୁ ନାହିଁ । ଯଦି କେହି ସାପ ଖେଳାଉଛି ତାକୁ ପୁଲିସ ଧରି ନେଉଛି । ଏହା ସତ୍ତେ୍ୱ ଘରେ ଅଛି ସାପ ପେଡି ଓ ଡମ୍ବରୁ । ସାପ ପେଡିରେ ମାଟି ଗୋବର ଲେପ ଦେଇ ତାକୁ ଯତ୍ନର ସହ ସାଇତି ରଖିଛନ୍ତି ।
ସରକାରଙ୍କ କଟକଣା ଲାଗିବା ପରେ ପୁରୁଷମାନେ ମଜୁରି ଲାଗୁଛନ୍ତି । ମହିଳାମାନେ ପର ଘରେ ବାସନ ମାଜୁଛନ୍ତି । ପୂର୍ବରୁ ସାପ ଖେଳ ଦେଖାଇବା ପାଇଁ ଯାଉଥିବା ରୁନିଆ ଦାସ କହିଛନ୍ତି, ବିନା ବାଡ଼ିରେ ଆମେ ସାପ ଧରୁଥିଲୁ । ଏବେ ଚିମୁଟା ଧରି ସାପ ଧରୁଛନ୍ତି । ସାପ ପେଡ଼ିକୁ ଦେଖିଲେ ମନ ଦୁଃଖ ହୁଏ । ସରକାର କିଛି ସାହାଯ୍ୟ କଲେନି । କୌଣସି ବ୍ୟବସ୍ଥା ନ କରି ଏମିତି ଆମ ବେଉସାକୁ ବନ୍ଦ କରିବାରୁ ନାହିଁ ନଥିବା ହଇରାଣ ହେଉଛୁ । ଓଳିଏ ଖାଇଲେ ଓଳିଏ ଓପାସ ରହୁଛୁ । ଏଥିପାଇଁ ଆମେ ବିଧାନସଭା ଆଗରେ ଦାବି କରିଥିଲୁ । ଇତିମଧ୍ୟରେ ୧୦ ବର୍ଷ ବିତିଗଲାଣି ହେଲେ କିଛି ଲାଭ ହେଲା ନାହିଁ । ଆମେ ସରକାରୀ ସହାୟତା ବିନା ଅତି ଦୁଃଖରେ ବଞ୍ଚୁଛୁ ବୋଲି ସେ କହିଛନ୍ତି । ତେବେ କେବଳ ରୁନିଆ ନୁହନ୍ତି ତାଙ୍କ ଭଳି ଅନ୍ୟମାନେ ମଧ୍ୟ ଏହିଭଳି ଦୁଃଖରେ କାଳ କାଟୁଛନ୍ତି । ସରକାରୀ ସହାୟତାକୁ ଚାତକ ଭଳି ଚାହିଁ ରହିଛନ୍ତି ।