ପ୍ରମୂଖ ଖବର

ଦୁଇଭାଇଙ୍କ ନିଆରା କାର୍ଯ୍ୟ, ମାରୁତି ୱାଗନ୍‌ କାର୍‌କୁ ଦେଲେ ହେଲିକପ୍ଟର ରୂପ

ନୂଆଦିଲ୍ଲୀ ୧୯/୦୩ : ଉତ୍ତରପ୍ରଦେଶ ଆମ୍ବେଦକର ନଗରରୁ ଏବେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ସେଠାକାର ବାସିନ୍ଦା ଦୁଇଭାଇ ଏକ ପୁରୁଣା ମାରୁତି ୱାଗନ ଆର କାର୍‌ରେ ପରିବର୍ତ୍ତନ ଆଣି ତାକୁ ହେଲିକପ୍ଟରରେ ରୂପାନ୍ତର କରିଛନ୍ତି । ବିବାହ ସମୟରେ ବରବଧୂ ଯିବାପାଇଁ ଲୋକମାନେ ଏହାକୁ ଆଗ୍ରହର ସହ ବୁକିଂ କରି ଭଡ଼ାରେ ନେବେ ଏବଂ ଏହାଦ୍ୱାରା ବେଶ୍‌ ଦୁଇ ପଇସା ରୋଜଗାର କରିବା ସେମାନଙ୍କର ସ୍ୱପ୍ନ ଥିଲା । କିନ୍ତୁ ପୁଲିସର ନଜର ପଡି଼ବା ପରେ ସେମାନଙ୍କର ଏହି ଯୋଜନା ଭଣ୍ଡୁର ହୋଇଯାଇଛି । 

ପୁଲିସ ଏସ୍‌ପି ବିଶାଲ ପାଣ୍ଡେଙ୍କ ଅନୁସାରେ, ଆମ୍ବେଦକର ନଗରର ଭିଟି ଥାନା କ୍ଷେତ୍ର ଅଞ୍ଚଳର ଖଜୁରୀ ବାଜାରରେ ଦୁଇ ଭାଇ ଈଶ୍ୱରଦୀନ ଓ ପରମେଶ୍ୱରଦୀନ ରହନ୍ତି । ସେମାନେ ଏକ ପୁରୁଣା ୱାଗନ ଆର କାର୍‌କୁ ନୂଆ ରୂପ ଦେଇ ହେଲିକପ୍ଟରରେ ରୂପାନ୍ତର କରିଥିଲେ । ସେଥିଲାଗି କାର୍‌ ଉପରେ ଏକ ବଡ଼ ଫ୍ୟାନ୍‌ ଲଗାଇଥିଲେ । ହେଲିକପ୍ଟରର ପଛପଟ ଭଳି ଲୁକ୍‌ ଆଣିବା ଲାଗି କାର୍‌ର ପଛପଟେ ଲୁହା ଚାଦରକୁ ଗୋଲ୍‌ କରି ଲଗାଇ ସେହିଭଳି ଆକାର ଦେଇଥିଲେ । ପରେ ଚୂଡ଼ାନ୍ତ ପର୍ଯ୍ୟାୟରେ ତାକୁ ରଙ୍ଗ କରିବା ଲାଗି ରବିବାର ଭିଟିରୁ ଆମ୍ବେଦକର ନଗର ଜିଲ୍ଲା ମୁଖ୍ୟାଳୟକୁ ନେଇ ଆସିଥିଲେ । ଏହି ସମୟରେ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଲୋକେ । ଆକବରପୁର ବସ୍‌ଷ୍ଟେସନ ପାଖରେ ଟ୍ରାଫିକ୍‌ ପୁଲିସ୍‌ର ନଜର ପଡ଼ିବା ପରେ ଟ୍ରାଫିକ୍‌ ପୁଲିସ ତାକୁ ଅଟକାଇଥିଲା । 




ସୂଚନା ପାଇ ସ୍ଥାନୀୟ ପୁଲିସ ସେଠାରେ ପହଞ୍ଚିଥିଲା । ପରେ ରୂପାନ୍ତରିତ ଗାଡି଼ଟିକୁ ଜବତ କରିନେଇଥିଲା ପୁଲିସ । ଗାଡ଼ିର ନବୀକରଣ ଲାଗି ସେମାନେ କୌଣସି ପ୍ରକାର ଅନୁମତି ନେଇନଥିବାରୁ ୨୦୭ ଏମ୍‌ଭି ଆକ୍ଟ ଅନୁସାରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା । ଅବଶ୍ୟ ପରବର୍ତ୍ତୀ ସମୟରେ ଜରିମାନା ନେଇ ଗାଡି଼କୁ ଛଡ଼ାଯାଇଥିଲା । ତେବେ ଦୁଇଭାଇଙ୍କୁ ଗାଡ଼ି ବ୍ୟବହାର କରିବାକୁ ମନା କରାଯାଇଛି । ସୂଚନାଥାଉକି, ଆରଟିଓ ବିଭାଗର ଅନୁମତି ବିନା ଗାଡି଼ର ନବୀକରଣ ହୋଇପାରିବ ନାହିଁ । ସେପଟେ ସୋସିଆଲ୍‌ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ୍‌ ହେଉଛି । ବହୁ ଲୋକେ ଏହି ନିଆରା କାର୍ଯ୍ୟ ଲାଗି ଦୁଇ ଭାଇଙ୍କୁ ପ୍ରଶଂସା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.