ଝାରସୁଗୁଡ଼ା, ୨୨/୦୮ : ପୋଲିସ ହାବୁଡ଼ରୁ ଖସି ଆସିଲେ, ହେଲେ ବାରହା ଫାଶରେ ପଡ଼ି ଚାଲିଗଲା ଜୀବନ। ଝାରସୁଗୁଡ଼ା ରେଙ୍ଗାଲି ଥାନା ଅନ୍ତର୍ଗତ ଚାଣ୍ଟିପାଲି ସରେଇପାଳି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ଜଣଙ୍କ ଛତିଶଗଡ଼ ପୁଷୋର ଥାନା ଅନ୍ତର୍ଗତ କେସେଇପାଲି ଗ୍ରାମର ଜଣେ ନାବାଳକ ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ଛତିଶଗଡ଼ ପୁଷୋର ଥାନା ଅନ୍ତର୍ଗତ କେସେଇପାଲି ଗ୍ରାମର ଜଣେ ନାବାଳକ ତାଙ୍କ ମାମୁଁ ଘର ଗାଁ ସରେଇପାଲିକୁ ଆସିଥିଲେ। ସେ ଏକ ମାମଲାର ଅଭିଯୁକ୍ତ ହୋଇଥିବାରୁ ମାମୁଁ ଘରେ ଆସି ଲୁଚିଥିଲେ। ବୁଧବାର ବିଳମ୍ଵିତ ରାତିରେ ପୋଲିସ ଚଢାଉ କରିବା ଦେଖି ଫେରାର ମାରିଥିଲେ। ଏତିକି ବେଳେ ଗାଁରେ ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବିଦ୍ୟୁତ ତାରରେ ଛନ୍ଦି ହୋଇ ଯାଇଥିଲେ। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ମୃତଦେହ ଉଦ୍ଧାର କରିବା ସହ ଅଧିକ ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ରେଙ୍ଗାଲି ଥାନା ଅଧିକାରୀ।