ନୀଳଗିରି, ୦୯/୦୨ : ବାଲେଶ୍ଵର ଜିଲ୍ଲା ନୀଳଗିରି ମିତ୍ରପୁର ବ୍ଲୁ ଲେକ୍ରୁ ମିଳିଲା ଆଉ ଜଣଙ୍କ ମୃତଦେହ। ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସୋମବାର ଠାରୁ ଦୁଇ ସାଙ୍ଗ ନିଖୋଜ ଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ୨ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ୨ ଯୁବକଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ଏନେଇ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
ସୂଚନାନୁଯାୟୀ, ନୀଳଗିରି ବ୍ଲକ୍ ଅନ୍ତର୍ଗତ କାଂଶ ପଞ୍ଚାୟତର ସନ୍ତୋଷ ରାଉତର ପୁଅ ଭବାନୀ ସୋମବାର ଅପରାହ୍ନରେ ସାଙ୍ଗ ମନୋରଞ୍ଜନ ମହାପାତ୍ର ସାଙ୍ଗରେ କୁଆଡେ ଯାଇ ଆଉ ଫେରିନଥିଲେ। ସେପଟେ ଘରକୁ ଫେରିବାର ବିଳମ୍ବ ହେଉଥିବାରୁ ଉଭୟ ପରିବାର ଲୋକେ ଦୁଇ ଜଣଙ୍କୁ ଖୋଜାଖୋଜି କରିଥିଲେ। କୌଣସି ସନ୍ଧାନ ମିଳିବାରୁ ଥାନାରେ ଅଭିଯୋଗ କରିଥିଲେ। ପରଦିନ ସକାଳେ ମିତ୍ରପୁର ଅଞ୍ଚଳରେ ଥିବା ବ୍ଲୁ ଲେକ ନିକଟରେ ତାଙ୍କର ହିରୋହୋଣ୍ଡା ବାଇକ୍ ଥୁଆହୋଇଥିବା ବେଳେ ପାଖରେ ରକ୍ତ ପଡିଥିବା ଦେଖିବାକୁ ମିଳିଥିଲା। ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଥିଲା।
ବାଇକର ପ୍ଲକରୁ ତାର ଖୋଲା ଯାଇଥିବା ବେଳେ ଏକ ସ୍ଥାନରେ ପଥରରେ ରକ୍ତ ଲାଗିଥିବା ଦେଖାଯାଇଥିଲା। ନୀଳଗିରି ଏସଡ଼ିପିଓ ସରୋଜ କୁମାର ଉପାଧ୍ୟାୟ ଓ ଆଇଆଇସି ଗୋପାଳ କର୍ଣ୍ଣ ପହଁଚି ତଦନ୍ତ କରିବା ପରେ ସାଇଣ୍ଟିଫିକ୍ ଟିମ୍ ସହିତ ସନ୍ଧାନୀ କୁକୁର ବ୍ଲୁ ଲେକ୍ରେ ଯାଞ୍ଚ୍ କରିଥିଲେ। ଚାରିଦିନ ପରେ ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଦୁଇ ଯୁବକଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଥିବା ବେଳେ ପ୍ରଶାସନିକ ସ୍ତରରେ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ଵିତ କରିବାକୁ ଦାବି ହୋଇଥିଲା। ତେବେ ଏହି ଘଟଣାରେ ତିନିଜଣଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଥିବା ଜଣାପଡ଼ିଛି।