ନୂଆଦିଲ୍ଲୀ: ହରିୟାଣା ନୁହର ଏକ ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଶୋଇବା ଘରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଝୁଲୁଥିବା ବେଳେ ତାଙ୍କ ତିନି ପିଲାଙ୍କ ମୃତଦେହ ଶେଯ ଉପରେ ପଡ଼ିଥିବାର ଦେଖିବାକୁ ମିଳିଛି । ଶନିବାର ସକାଳେ ଏହି ଘଟଣା ଘଟିଛି । ପୋଲିସ ଏନେଇ ସୂଚନା ଦେଇ କହିଛି ଯେ, ମୃତକଙ୍କ ବାପା ଅଭିଯୋଗ ଆଣିଛନ୍ତି କି, ତାଙ୍କ ବୋହୂ ତାଙ୍କ ପୁଅକୁ ହତ୍ୟା କରିଛନ୍ତି ।
ପୋଲିସକୁ ଦିଆଯାଇଥିବା ଅଭିଯୋଗରେ ମୃତକ ଜିତ୍ ସିଂଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ତାଙ୍କ ବୋହୂ ମୀନା ଶୁକ୍ରବାର ରାତିରେ ତାଙ୍କ ସାଙ୍ଗ ଏବଂ ପିତାମାତାଙ୍କ ସହାୟତାରେ ସ୍ୱାମୀଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଫାଶୀରେ ଝୁଲାଇ ଦେଇଛନ୍ତି। ପୋଲିସ କହିଛି ଯେ ସେ ତାଙ୍କ ତିନି ପିଲାଙ୍କୁ ବିଷ ଦେଇଥିବାର ମଧ୍ୟ ଅଭିଯୋଗ ହୋଇଛି । ଅଭିଯୋଗକାରୀଙ୍କ ଅନୁଯାୟୀ ମୀନା ଜିତ ସିଂଙ୍କ ଦ୍ୱିତୀୟ ପତ୍ନୀ ଏବଂ ସେମାନଙ୍କର ତିନୋଟି ସନ୍ତାନ ଥିଲେ । ଅଭିଯୋଗ ଆଧାରରେ ମୀନା, ତାଙ୍କ ପିତା ମାତା ଏବଂ ତାଙ୍କ ବନ୍ଧୁ ରୋହିତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା 302 (ହତ୍ୟା) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ।
ପୋଲିସ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ଜିତ ସିଂ ଏବଂ ତାଙ୍କ ପତ୍ନୀ ମୀନାଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲା । ମୀନା ଅନେକ ଥର ଘରୁ ବାହାରି ଯାଉଥିଲେ । ମୀନାଙ୍କ ଚରିତ୍ର ଏବଂ ତାଙ୍କ ପରିବାରକୁ ନେଇ ଜିତ୍ ସର୍ବଦା ସନ୍ଦେହ କରୁଥିଲେ । ତାଙ୍କ ପିତାମାତାଙ୍କୁ ମୀନାଙ୍କ ବିଷୟରେ କୁହାଯାଇଥିଲା, କିନ୍ତୁ ତାଙ୍କ ଠାରେ କୌଣସି ଉନ୍ନତି ହୋଇନଥିଲା । ମୃତ ଜିତଙ୍କ ସମ୍ପର୍କୀୟମାନେ କହିଛନ୍ତି ଯେ ଘଟଣାର ଗୋଟିଏ ଦିନ ପୂର୍ବରୁ ମୀନା ବ୍ୟାଙ୍କରୁ ୩୦ ହଜାର ଟଙ୍କା ପ୍ରତ୍ୟାହାର କରି ନେଇଥିଲେ, ଯେଉଁଥିପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା ।