ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ରାସ୍ତାରେ ଗଡୁଛି ବିପଦ: ୪ଲକ୍ଷ ବ୍ୟବସାୟିକ ଗାଡ଼ିର ଫିଟ୍‌ନେସ୍‌ ନାହିଁ, ବିନା ଇନସ୍ୟୁରାନ୍ସରେ ଚାଲୁଛି ୪୦ ଲକ୍ଷ ଗାଡ଼ି

କଟକ,୦୯/୦୭: ରାଜ୍ୟରେ ପ୍ରାୟ ୪ଲକ୍ଷ ବ୍ୟବସାୟିକ ଗାଡ଼ିର ଫିଟ୍‌ନେସ୍‌ ନାହିଁ । ବିନା ଫିଟ୍‌ନେସରେ ଏହି ସବୁ ଗାଡ଼ି ନିଧଡ଼କ ରାସ୍ତାରେ ଗଡୁଛି । କେବଳ ସେତିକି ନୁହେଁ, ୪୦ଲକ୍ଷ ଗାଡ଼ି ବିନା ଇନସ୍ୟୁରାନ୍ସରେ ଗଡ଼ୁଛନ୍ତି । ରାସ୍ତାରେ ଅନବରତ ଚାଲୁଥିବା ଏଭଳି ଗାଡ଼ି ଜନସାଧାରଣଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଏହି ସବୁଗାଡ଼ି ଅନେକ ସମୟରେ ଦୁର୍ଘଟଣା ଘଟାଉଥିବା ବେଳେ ପ୍ରଶାସନିକ ସ୍ତରରେ ନିରବତା ସମସ୍ୟାକୁ ଅଧିକ ଗୁରୁତର କରିଛି । ବିଶେଷ କରି ସ୍କୁଲ୍‌ ଛାତ୍ରଛାତ୍ରୀଙ୍କୁ ପରିବହନ କରୁଥିବା ଗାଡ଼ି ମଧ୍ୟରୁ ଅଧିକାଂଶ ଗାଡ଼ିର ଫିଟ୍‌ନେସ୍‌, ଇନ୍‌ସୁରାନ୍ସ ନଥିବା ଜଣାଯାଇଛି । 

ପରିବହନ ବିଭାଗର ନିୟମ ଅନୁସାରେ, ଗାଡ଼ି କିଣାଯିବାର ୮ ବର୍ଷ ପର୍ଯ୍ୟନ୍ତ ୨ବର୍ଷକୁ ଥରେ ଲେଖାଏଁ ଫିଟ୍‌ନେସ୍‌ କରାଯାଇଥାଏ । ୮ବର୍ଷ ପୁରିଗଲା ପରେ ପ୍ରତ୍ୟେକ ଗାଡ଼ିକୁ ବର୍ଷକୁ ଥରେ ଲେଖାଏଁ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନେବାକୁ ପଡ଼େ । ସଂପୃକ୍ତ ଗାଡ଼ି ରାସ୍ତାରେ ଚାଲିବା ପାଇଁ ଠିକ୍‌ ଅଛି କି’ ନାହିଁ ତାହାର ସାର୍ଟିଫିକେଟ୍‌ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଥାଏ । ପରିବହନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ଚାଲୁଥିବା ପ୍ରାୟ ୧୨ଲକ୍ଷ ବ୍ୟବସାୟକ ଗାଡ଼ି ଭିତରୁ ପ୍ରାୟ ୪ ଲକ୍ଷ ଗାଡ଼ି ଯେମିତିକି ବସ୍‌, ଟ୍ରକ୍‌, ପିକ୍‌ଅପ୍‌, ଅଟୋ, ଟ୍ୟାକ୍ସିର ଫିଟ୍‌ନେସ୍‌ ନାହିଁ । ବିଭିନ୍ନ ଗଳାବାଟ ଦେଇ ଏହିସବୁ ଗାଡ଼ିଗୁଡ଼ିକ ସେମାନଙ୍କ ବ୍ୟବସାୟ ଚଳାଇ ଆସୁଛନ୍ତି । କେବଳ ଫିଟ୍‌ନେସ୍‌ ନୁହେଁ ଅନେକ ଗାଡ଼ି ପରମିଟ୍‌ ମଧ୍ୟ ନେଉନାହାନ୍ତି । 

ସେହିପରି ରାଜ୍ୟରେ  ଦୁଇଚକିଆଠାରୁ ଆରମ୍ଭ କରି ତିନିଚକିଆ, ଚାରି ଚକିଆ, ଛଅ ଚକିଆ, ଆଠ ଚକିଆ, ୧୨ ଚକିଆ ଆଦି ପ୍ରାୟ ୭୦ ଲକ୍ଷ ଘରୋଇ ଏବଂ ବ୍ୟବସାୟିକ ଗାଡ଼ି ଚାଲୁଛି । ଆଶ୍ଚର୍ଯ୍ୟଜନକ କଥା, ଏଥିରୁ ପ୍ରାୟ ୪୦ଲକ୍ଷ ଗାଡ଼ି ବିନା ଇନସ୍ୟୁରାନ୍ସରେ ଚାଲୁଛନ୍ତି । ପ୍ରତ୍ୟେକ ଘରୋଇ ଯାନ ପାଇଁ ନିୟମ ହେଉଛି ଗାଡ଼ି ୧୫ବର୍ଷ ପୂରିଗଲେ ପଞ୍ଜିକରଣର ନବୀକରଣ(ରେଜିଷ୍ଟ୍ରେସନ୍‌ର ରିନୁଆଲ) କରାଯିବା କଥା । ରାଜ୍ୟରେ ଘରୋଇ ଗାଡ଼ି ସଂଖ୍ୟା ପ୍ରାୟ ୫୦ଲକ୍ଷ । ସେଥିରୁ ୨୦ଲକ୍ଷ ଗାଡ଼ି ୧୫ବର୍ଷରୁ ଊଦ୍ଧ୍ୱର୍ ରହିଛନ୍ତି । ଏଥିରେ ବେଶୀ ଦୁଇଚକିଆ ଯାନ ରହିଛି । ପ୍ରତିବର୍ଷ ଏଥିରେ ଆଉ କିଛି ୧୫ବର୍ଷୀୟ ଗାଡ଼ିକ ସଂଖ୍ୟା ଯୋଗହୋଇ ଚାଲୁଛି । କିନ୍ତୁ ଏହି ବର୍ଗର ଅଧିକାଂଶ ଗାଡ଼ି ପଞ୍ଜିକରଣ ନବୀକରଣ ନହୋଇ ରାସ୍ତାରେ ଚାଲୁଛି । 

ତେବେ ସ୍କୁଲ୍‌ ଯାତ୍ରୀ ନେଉଥିବା ବସ୍‌ଗୁଡ଼ିକ କ୍ଷେତ୍ରରେ ଏହି ନିୟମ ବେଶୀ ଉଲ୍ଲଂଘନ ହେଉଥିବା ପରିବହନ ବିଭାଗ ସୂତ୍ରରୁ ଜଣାପଡ଼ିଛି । ଅନେକ ସ୍କୁଲ୍‌ ବସ୍‌ର ଫିଟ୍‌ନେସ୍‌ ଏବଂ ଇନସ୍ୟୁରାନ୍ସ ନଥିବାରୁ ପିଲାଙ୍କ ଜୀବନକୁ ବିପଦକୁ ଠେଲି ଦିଆଯାଉଛି । 

ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀ କହିଛନ୍ତି, କୌଣସି  ଗାଡ଼ିର ଇନସ୍ୟୁରାନ୍ସ ଅବଧି ଶେଷ ହୋଇଗଲା ପରେ ପରିବହନ ବିଭାଗ ଦ୍ୱାରା ପରିଚାଳିତ ଦୁଇଟି ପୋର୍ଟାଲ ବାହାନ ଏବଂ ସାରଥି ଜରିଆରେ ସମ୍ପୃକ୍ତ ଗାଡ଼ି ମାଲିକଙ୍କ ନିକଟକୁ ଏକ ମେସେଜ୍‌ ପଠାଯାଇଥାଏ । କିନ୍ତୁ ଅନେକ ଗାଡ଼ି ମାଲିକ ଉକ୍ତ ମେସେଜ୍‌କୁ ଗୁରୁତ୍ୱ ଦେଉନଥିବାରୁ ଗାଡ଼ିର ଇନସ୍ୟୁରାନ୍ସ ହୋଇପାରୁନାହିଁ । ଦୁର୍ଘଟଣା ପରେ ଉକ୍ତ  ଗାଡ଼ିର ଫିଟ୍‌ନେସ୍‌ ଏବଂ ଇନସ୍ୟୁରାନ୍ସ ନଥିବା ସରକାରଙ୍କ ପାଇଁ ଚିନ୍ତାର କାରଣ ସାଜୁଛି । କାରଣ ଏହାଦ୍ୱାରା କେବଳ ଗାଡ଼ି ମାଲିକ ଯେ କ୍ଷତିଗ୍ରସ୍ତ ହେଉଛନ୍ତି ତାହା ନୁହେଁ ଗାଡ଼ିର ଯାତ୍ରୀମାନେ ମଧ୍ୟ ବୀମା ଓ ଅନ୍ୟାନ୍ୟ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ବେଲି ସଂପୃକ୍ତ ଅଧିକାରୀ ପ୍ରକାଶ କରିଛନ୍ତି ।  

ଅନ୍ୟପକ୍ଷରେ ପରିବହନ ବିଭାଗ ପାଖରେ ଯଥେଷ୍ଟ ସଂଖ୍ୟକ ମାନବସମ୍ବଳ ନଥିବାରୁ ଗାଡ଼ିର କାଗଜପତ୍ର ଯାଞ୍ଚ୍‌ କେବଳ କିଛି ବଡ଼ବଡ଼ ସହର ଏବଂ ଜାତୀୟ କିମ୍ବା ରାଜ୍ୟ ରାଜପଥ ମଧ୍ୟରେ ସୀମିତ ରହିଛି । ବିନା ଇନସ୍ୟୁରାନ୍ସ, ଫିଟ୍‌ନେସ୍‌ରେ ଗଡ଼ୁଥିବା ଗାଡ଼ିକୁ ଧରିବା ଲାଗି ଅନେକ ସମୟରେ ଏକ ଟେକ୍ନୋଲୋଜି ବା ଇ-ଡିଟେକ୍ସନ ମେସିନ୍‌ର ସହାୟତା ମଧ୍ୟ ନିଆଯାଇଥାଏ । ରାସ୍ତାକଡ଼ରେ ଏହି ମେସିନ୍‌କୁ ରଖାଯାଇ ବିଭିନ୍ନ ଗାଡ଼ିର ନମ୍ବର ଫଟୋ ଉଠାଇଥାଏ । ସେଥିରୁ ଗାଡ଼ିର ସବୁି କାଗଜପତ୍ର ଠିକ୍‌ ରହିଛି କି’ ନାହିଁ ତାହା ଯାଞ୍ଚ କରାଯାଇଥାଏ । କିନ୍ତୁ ଏହି ଇ-ଡିଟେକ୍ସନ ମେସିନ୍‌ ସଂଖ୍ୟା ବହୁ କମ୍‌ ଥିବାରୁ ଏହାଦ୍ୱାରା ସବୁଆଡ଼େ ବା ସବୁ ରାସ୍ତାରେ ଯାଞ୍ଚ୍‌ ସମ୍ଭବ ହୋଇପାରୁନାହିଁ । 

ଏ ଦିଗରେ ଯଦି ପରିବହନ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ ନକରେ ତାହେଲେ ନଦୁର୍ଘଟଣା ହ୍ରାସ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ, ସଚେତନତମୂଳକ କାର୍ଯ୍ୟକ୍ରମ ସବୁ କେବଳ ପ୍ରହସନରେ ପରିଣତ ହେବ ବୋଲି ପରିବହନ ବିଶେଷଜ୍ଞ ପ୍ରଶାନ୍ତ କୁମାର ପଣ୍ଡା ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.