ଅନୁଗୁଳ, ୨୭/୦୯(ଲିଟୁନ୍ କୁମାର ସାହୁ): ଧୂଳିଧୂଆଁରେ ଜର୍ଜରିତ ଅନୁଗୁଳ ସହର । ଯୁଆଡ଼େ ଚାହିଁଲେ କଂକ୍ରିଟ୍ ଜଙ୍ଗଲ³ ଖଣି, କାରଖାନା । କିନ୍ତୁ, ଏଇଠୁ ମାତ୍ର ୫ କିମି ଦୂରରେ ରହିଛି ପ୍ରାକୃତିକ ପର୍ଯ୍ୟଟନର ଅପାର ସମ୍ଭାର ‘ମନ୍ଦରଗିରି’ । ଏହି ପାହାଡ଼ ଔଷଧୀୟ ବୃକ୍ଷରାଜିରେ ପରିପୂର୍ଣ୍ଣ । ପର୍ଯ୍ୟଟକଙ୍କୁ ବିମୋହିତ କରିବାକୁ ପାହାଡ଼ ଉପରେ ରହିଛି ପ୍ରସିଦ୍ଧ ବଡ଼ଖୋଲ ଆଶ୍ରମ, ରାମମନ୍ଦିର ଓ ଠାକୁର ଅଭିରାମ ପରମହଂସ ଦେବଙ୍କ ଆଶ୍ରମ । ପର୍ଯ୍ୟଟକଙ୍କୁ ବାନ୍ଧି ରଖିବାର ମାଳ ମାଳ ଉପାଦାନ ଭରି ରହିଛି ମନ୍ଦରଗିରି ପାହାଡ଼ରେ । ମାତ୍ର ଏହାର ବିକାଶ ହେଉ ଅବା ପ୍ରଚାର ପ୍ରସାର, ଯେମିତି ହେବା କଥା ହୋଇପାରିନି । ଗୋଟିଏ ପଟେ ସରକାର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ କୁନ୍ଥକୁନ୍ଥ ହେଉଛନ୍ତି³ ସେପଟେ ପ୍ରଚାର ପ୍ରସାରର ଅଭାବ, ଉନ୍ନତିକରଣ ଅଭାବରୁ ଏହି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ଲୋକଲୋଚନକୁ ଆସିପାରୁନି ।
କେବଳ ମନ୍ଦରଗିରି ନୁହଁ, ଜିଲ୍ଲାର ଆଉ ୪ଟି ପର୍ଯ୍ୟଟନ ସ୍ଥଳୀକୁ ସରକାରୀ ସ୍ୱୀକୃତି ଦେବାକୁ ବର୍ଷ ବର୍ଷ ଧରି ଦାବି ହୋଇଆସୁଛି । ଏନେଇ ପ୍ରଶାସନିକ ସ୍ତରରେ ଉଦ୍ୟମ ମଧ୍ୟ ହୋଇଛି । ହେଲେ ୨୦୧୯ରୁ ଜିଲ୍ଲା ପ୍ରଶାସନର ସୁପାରିସ୍ ନାଲି ଫିତା ତଳେ ଚାପି ହୋଇରହିଛି । ଫଳରେ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପ ମୁଣ୍ଡ ଟେକିପାରୁନାହିଁ । ଚିରାଚରିତ କିଛି ପର୍ଯ୍ୟଟନ ସ୍ଥଳୀକୁ ବାଦ୍ ଦେଲେ, ଅନ୍ୟ କ୍ଷେତ୍ରଗୁଡ଼ିକରେ ପର୍ଯ୍ୟଟକଙ୍କ ବିଶେଷ ପାଦ ପଡ଼ୁନାହିଁ । ପର୍ଯ୍ୟଟନ କ୍ଷେତ୍ରରେ ଜିଲ୍ଲାର ସ୍ଥିତି ଢେର ପଛରେ ପଡ଼ିଯାଇଛି । ପ୍ରକୃତି ପର୍ଯ୍ୟଟନ, ଖଣି ପର୍ଯ୍ୟଟନ, ଜଳ ପର୍ଯ୍ୟଟନ, ଜଙ୍ଗଲ ପର୍ଯ୍ୟଟନ, ଧାର୍ମିକ ପର୍ଯ୍ୟଟନର ବ୍ୟାପକ ସୁଯୋଗ ରହିଛି ଅନୁଗୁଳ ଜିଲ୍ଲାରେ ।
ସରକାର ଜିଲ୍ଲାର ମାତ୍ର ୧୩ଟି କ୍ଷେତ୍ରକୁ ସରକାରୀ ମାନ୍ୟତା ଦେଇଛନ୍ତି । ୨୦୧୯ରେ ଜିଲ୍ଲା ପ୍ରଶାସନ ଅନୁଗୁଳ ଶୈଳଶ୍ରୀକ୍ଷେତ୍ର, ପୁରୁଣାଗଡ଼ର ପୁରାତନ ଜଗନ୍ନାଥ ମନ୍ଦିର, ମନ୍ଦରଗିରି, କୋଶଳାର ରାମଚଣ୍ଡୀ ପୀଠ ଓ କୁକୁଡ଼ାଙ୍ଗର ନାରାୟଣ ସେବାଶ୍ରମକୁ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁପାରିସ୍ କରାଯାଇଥିଲା । ମାତ୍ର ପର୍ଯ୍ୟଟନ ବିଭାଗ ଗଲା ୫ ବର୍ଷ ହେଲା ଏ ଦିଗରେ ଆନ୍ତରିକତା ଦେଖାଇନାହିଁ ।ସରକାରୀ ମାନ୍ୟତା ମିଳିଲେ ହିଁ ଏହି ପର୍ଯ୍ୟଟନ କ୍ଷେତ୍ର ପାଇଁ ଅଧିକ ଅନୁଦାନ ଆସିପାରନ୍ତା । ଉନ୍ନତିମୂଳକ କାର୍ଯ୍ୟ ହେବା ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରନ୍ତା । ମାତ୍ର ଏଥିପାଇଁ ପ୍ରଶାସନିକ ଉଦାସୀନତାର ଘୋର ଅଭାବ ଦେଖିବାକୁ ମିଳିଛି । ଏହି ପ୍ରାକୃତିକ ବୈଭବର ବିକାଶ ସାଙ୍ଗକୁ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରଚାର, ପ୍ରସାର କରାଇପାରିଲେ ଅନୁଗୁଳ କେବଳ ଶିଳ୍ପ ନୁହେଁ, ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରନ୍ତା ଏଥିରେ ଦ୍ୱିମତ ନାହିଁ ।
ଗତବର୍ଷ ସରକାର ‘ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା’ରୁ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ବିକାଶ ପାଇଁ ଅନୁଦାନ ଅଜାଡ଼ି ଦେଇଥିଲେ । ମନ୍ଦରଗିରି ପାହାଡ଼ ଓ ପର୍ଯ୍ୟଟନ କମ୍ପେ୍ଲକ୍ସ ପାଇଁ ୫୫.୨୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଏହି ଟଙ୍କାରେ ଉନ୍ନତିମୂଳକ କାର୍ଯ୍ୟକ୍ରମ ଚାଲିଛି । ସେହିପରି କୋଶଳାର ମା’ ରାମଚଣ୍ଡୀ ପୀଠ ପାଇଁ ୫୬.୪୦ ଲକ୍ଷ, ପୁରୁଣାଗଡ଼ର ଜଗନ୍ନାଥ ମନ୍ଦିର ଓ ମଦନମୋହନ ମନ୍ଦିର ପାଇଁ ୩୧.୨୦ ଲକ୍ଷ ଟଙ୍କା ଓ ଶୈଳଶ୍ରୀକ୍ଷେତ୍ରର ଜଗନ୍ନାଥ ମନ୍ଦିର ଓ ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପାଇଁ ୨୨.୮୦ ଲକ୍ଷ ଅନୁଦାନ ଯୋଗାଇ ଦେଇଛନ୍ତି । ଏହି ଅନୁଦାନ ସମୁଦ୍ରକୁ ଶଙ୍ଖେ ସଦୃଶ, ଆଖିଦୃଶିଆ ବିକାଶ ପାଇଁ ନିଅଣ୍ଟ ପଡ଼ିଛି ।
ଏ ସଂକ୍ରାନ୍ତରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ କହିଛନ୍ତି, ଜିଲ୍ଲାର ୫ଟି ପର୍ଯ୍ୟଟନ ସ୍ଥଳୀକୁ ସରକାରୀ ମାନ୍ୟତା ଦେବାକୁ ୨୦୧୯ରେ ସରକାରଙ୍କୁ ସୁପାରିସ୍ କରାଯାଇଥିଲା । ପରେ ଏକାଧିକ ଥର ଏନେଇ ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି । କିନ୍ତୁ ମାନ୍ୟତା ନେଇ ସରକାର ଆଗ୍ରହ ପ୍ରକାଶ କରୁନାହାନ୍ତି । ଏହି ୫ କ୍ଷେତ୍ରର ସରକାରୀ ସ୍ୱୀକୃତି ମିଳୁନଥିବାରୁ ପର୍ଯ୍ୟଟନ ସମ୍ଭାବ୍ୟତା କମିଯାଉଛି ବୋଲି ଶ୍ରୀ ରାୟ କହିଛନ୍ତି ।