କଟକ,୧୪/୧୧: ବିଡ଼ାନାସୀରେ ଏକ ଡ୍ରେନ୍ ଫାଙ୍କା ପଡ଼ିଥିଲାବେଳେ ସେଥିରେ ଜଣେ ୯ବର୍ଷର ବାଳକ ପଡ଼ି ପ୍ରାଣ ହରାଇଥିଲେ । ଘଟଣାରେ ଜାତୀୟ ମାନବାଧିକାର କମିସନ (ଏନ୍ଏଚ୍ଆର୍ସି) ସମ୍ପୃକ୍ତ ବାଳକଙ୍କ ପରିବାରକୁ ଆଉ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ୬ ସପ୍ତାହ ମଧ୍ୟରେ ଏହି ଆଦେଶ କାର୍ଯ୍ୟକାରୀ ସଂକ୍ରାନ୍ତ ରିପୋର୍ଟ ଦାଖଲ ଲାଗି କମିସନ ନିର୍ଦ୍ଦେଶ ଦେଇଛନ୍ତି । ସମାଜସେବୀ ଶ୍ରୀ ଅଖଣ୍ଡଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ଏନ୍ଏଚ୍ଆର୍ସି ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଗତ ଜାନୁଆରୀ ୧୫ ତାରିଖ ଦିନ ବିଡ଼ାନାସୀର ଏକ ଖୋଲା ଡ୍ରେନ୍ରେ ଯୋସେଫ୍ ସାହାଣି (୯ବର୍ଷ) ପଡ଼ି ପ୍ରାଣ ହରାଇଥିଲେ । ଘଟଣାରେ ଶ୍ରୀ ଅଖଣ୍ଡ ଏନ୍ଏଚ୍ଆର୍ସିରେ ମାମଲା ରୁଜୁ କରିଥିଲେ । ମାମଲାରେ ଏନ୍ଏଚ୍ଆର୍ସି କଟକ ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ତଲବ କରିଥିଲେ । ଜିଲ୍ଲାପାଳ ସତ୍ୟପାଠ ଦାଖଲ କରି ଦର୍ଶାଇଥିଲେ ଯେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଏହି ଦୁର୍ଘଟଣା ଘଟିଥିଲା । ଘଟଣା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମୃତ ବାଳକଙ୍କ ପରିବାରକୁ ୨ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ପରେ କମିସନ ଉକ୍ତ ପରିବାରକୁ ଆଉ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ।