ଲୋଇସିଂହା, ୦୪/୧୧: ଆଗକୁ ନିର୍ବାଚନ । ତେଣୁ ଜନତାଙ୍କ ନିକଟତର ହେବାକୁ ନେତା କସରତ ଆରମ୍ଭ କରିଦେଲେଣି । କେଉଁଠି ନେତାମାନେ ସଂଗଠକ ତଥା ଗାଁ ମୁଣ୍ଡିଆଳଙ୍କ ବିବାହ-ବ୍ରତ ତଥା ଶ୍ରାଦ୍ଧ କାର୍ଯ୍ୟକ୍ରମରେ ପହଞ୍ଚିଯାଉଛନ୍ତି । ତ’ ଆଉ କେଉଁଠି ଯାନିଯାତ୍ରା, ଭଜନ ସଂକୀର୍ତ୍ତନରେ ପହଞ୍ଚି ହରିନାମରେ ଝୁମୁଛନ୍ତି । ଶୁକ୍ରବାର ବିଜେପି ନେତା ତଥା ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଲୋଇସିଂହା ବ୍ଲକ ଭାଲିଆମୁଣ୍ଡା ଗଜଲକ୍ଷ୍ମୀ ପୂଜା କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରସାଦ ସେବନ ବେଳେ ନିଜେ ବାଲଟି ଧରି ଖିରି ବାଣ୍ଟିଥିବା ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ ଯେ, ୨୦୧୯ ନିର୍ବାଚନରେ ଡ. ମୁକେଶ ମହାଲିଙ୍ଗ ବୈଜ୍ଞାନିକରୁ ପ୍ରଥମ ଥର ପାଇଁ ରାଜନୀତି ମଇଦାନକୁ ଓହ୍ଲାଇ ବିଧାୟକ ହୋଇଥିଲେ । ଦୀର୍ଘବର୍ଷ ପରେ ଲୋଇସିଂହା ନିର୍ବାଚନମଣ୍ଡଳୀରେ ଉଚ୍ଚଶିକ୍ଷିତ ପ୍ରାର୍ଥୀ ଭାବରେ ବୈଜ୍ଞାନିକ ଡ. ମହାଲିଙ୍ଗଙ୍କୁ ଜନତା ସୁଯୋଗ ଦେଲେ । ଆଉ ୧୩ ହଜାରରୁ ଊଦ୍ଧ୍ୱର୍ ଭୋଟରେ ବିଜେଡ଼ି ପ୍ରାର୍ଥୀ ସ୍ୱର୍ଗତ ପ୍ରଦୀପ ବେହେରାଙ୍କୁ ପରାଜିତ କରି ବିଧାୟକ ହୋଇଥିଲେ । ଅବଶ୍ୟ ବିଜୟୀ ହେବାପରେ ବିଭିନ୍ନ ସମୟରେ ନାନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରୁଥିବା ବିଧାୟକ ଡ.ମହାଲିଙ୍ଗ ଲୋକଙ୍କ ନିକଟତର ହେବାକୁ ଅନେକ କାମ କରିଛନ୍ତି । କେତେବେଳେ ଦୁର୍ଘଟଣାଗ୍ରସ୍ତଙ୍କୁ ନିଜ ଗାଡ଼ିରେ ନେଇ ହସ୍ପିଟାଲରେ ଭର୍ତ୍ତି କିମ୍ବା ହଠାତ୍ ସ୍କୁଲରେ ପଶି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଛନ୍ତି ।
ଏହାସତ୍ତେ୍ୱ ଦଳୀୟ ଶିବିରରେ ତାଙ୍କୁ ନେଇ ଅନେକ ଅସନ୍ତୋଷ ଲାଗିରହିଥିବା ବେଳେ ଆଗାମୀ ୨୦୨୪ ନିର୍ବାଚନରେ ପୁଣି ଥରେ ଲୋଇସିଂହା ଦଖଲ କରିବା ପାଇଁ ସେ ଉଦ୍ୟମ ଆରମ୍ଭ କରିଛନ୍ତି । ସେହିକ୍ରମରେ ବିଭିନ୍ନ କାର୍ଯ୍ୟକ୍ରମ ଜାରିରହିଥିବା ବେଳେ ଆଜି କ୍ଷୀରି ବାଲଟି ଧରି ପ୍ରସାଦ ବଣ୍ଟନ କରୁଥିବା ଦୃଶ୍ୟ ରାଜନୈତିକ ମହଲରେ ଏବେ ଚର୍ଚ୍ଚା ହେଉଛି । ସେହିପରି ବିରୋଧୀଙ୍କ ପକ୍ଷରୁ ଏହାକୁ ‘ଭୋଟ ବେଳେ କେତେ ନାଟ’ ବୋଲି କୁହାଯାଉଛି । ତେବେ ବିଗତ ଦିନରେ ଲୋଇସିଂହା ପ୍ରତି କରିଥିବା ଅବହେଳାକୁ ଖିରିବଣ୍ଟା ଦେଖି ଲୋକେ ଭୁଲିଯିବେ ନାଁ ଉଚିତ ଜବାବ ଦେବେ ତାହା ସମୟ କହିବ ବୋଲି ବିରୋଧୀ କହିଛନ୍ତି ।