ଇସଲାମାବାଦ : ପାକିସ୍ତାନ ମୁସଲିମ ଲିଗ୍ –ନୱାଜ ( PML-N) ସୁପ୍ରିମୋ ନୱାଜ ଶରିଫ ୨୧ ଅକ୍ଟୋବରରେ ଲଣ୍ଡନରୁ ଦେଶକୁ ଫେରିବେ। ଏହିପରି ବ୍ରିଟେନରେ ତାଙ୍କର ୪ ବର୍ଷରୁ ଅଧିକ ସମୟର ସ୍ୱନିର୍ବାସନ ସମାପ୍ତ ହୋଇଯିବ। କୁହାଯାଉଛି କି ଆଗାମୀ ନିର୍ବାଚନରେ ପାର୍ଟିର ରାଜନୀତିକ ଅଭିଯାନର ନେତୃତ୍ୱ ନେବା ପାଇଁ ସେ ପାକିସ୍ତାନ ଫେରୁଛନ୍ତି । ନୱାଜଙ୍କ ସାନ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ମଙ୍ଗଳବାର କହିଛନ୍ତି , ନୱାଜ ଶରିଫ ୨୧ ଅକ୍ଟୋବରରେ ପାକିସ୍ତାନ ଆସୁଛନ୍ତି। ସୂଚନା ଯେ, ଶହବାଜ ଏହି ସମୟରେ ନିଜେ ଲଣ୍ଡନରେ ଅଛନ୍ତି।
୭୨ ବର୍ଷିୟ ନୱାଜ ଶରିଫ ନଭେମ୍ୱର ୨୦୧୯ରୁ ଲଣ୍ଡନରେ ସ୍ୱନିର୍ବାସନରେ ରହୁଛନ୍ତି । ତାଙ୍କୁ ୨୦୧୮ମସହାରେ ଅଲ-ଅଜିଜିଆ ମିଲସ ଓ ଏଭେନଫିଲ୍ଡ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ଥିଲା । ସେ ଅଲ ଅଜିଜିଆ ମିଲ୍ସ ମାମଲାରେ ଲାହୋରର କୋଟ୍ ଲଖପତ ଜେଲରେ ୭ ବର୍ଷର ସଜା କାଟୁଥିଲେ , କିନ୍ତୁ ୨୦୧୯ରେ ମେଡିକାଲ ଆଧାରରେ ତାଙ୍କୁ ଲଣ୍ଡନ ଯିବାକୁ ଅନୁମତି ଦିଆଯାଇ ଥିଲା। ରିପୋର୍ଟରେ କୁହାଯାଇଛି କି ନୱାଜ ଶରିଫ ପୂର୍ବରୁ କହିଥିଲେ ତାଙ୍କୁ ବର୍ତ୍ତମାନର ଆର୍ଥିକ ସଙ୍କଟ ମଧ୍ୟରେ ନିଜର ଭୋଟ ବ୍ୟାଙ୍କ ଓ ସମର୍ଥକଙ୍କ ସହ ଯୋଡ଼ି ହେବାକୁ ଫେରିବାକୁ ହେବ।
ଲଣ୍ଡନରେ ନୱାଜ ଶରିଫଙ୍କ ଅଧ୍ୟକ୍ଷତାରେ ପିଏମଏଲ-ଏନର ଶୀର୍ଷ ନେତୃତ୍ୱଙ୍କର ବୈଠକ ହୋଇଛି। ଏହାପରେ ଶହବାଜ ଏକ ବୟାନରେ କହିଛନ୍ତି କି ସ୍ୱଦେଶ ଫେରିବାରେ ପାର୍ଟି ସଂସ୍ଥାପକଙ୍କ ଭବ୍ୟ ସ୍ୱାଗତ କରାଯିବ। ୭୧ ବର୍ଷିୟ ଶହବାଜ ଶରିଫ ପୂର୍ବରୁ କହି ଥିଲେ କି ଯଦି ପାର୍ଟି ସାଧାରଣ ନିର୍ବାଚନରେ କ୍ଷମତାକୁ ଫେରେ ତ ନୱାଜ ହିଁ ଆଗାମୀ ପ୍ରଧାନମନ୍ତ୍ରୀ ହେବେ । ଗତ ଅଗଷ୍ଟରେ ଶହବାଜ କହିଥିଲେ କି ତାଙ୍କର ବଡ଼ ଭାଇ ସେପ୍ଟେମ୍ୱରରେ ପାକିସ୍ତାନ ଫେରିବେ। ସେ ନିଜର ଦୀର୍ଘକାଳୀନ କୋର୍ଟ ମାମଲାକୁ ସାମନା କରିବା ଓ ସାଧାରଣ ନିର୍ବାଚନ ପାଇଁ ପାର୍ଟିର ଅଭିଯାନର ନେତୃତ୍ୱ ନେବାକୁ ଆସୁଛନ୍ତି ।