ଅହମ୍ମଦାବାଦ,୦୪/୧୧: ୩୬ତମ ଲିଗ୍ ମୁକାବିଲାରେ ଶନିବାର ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବେ । ଏହି ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ସେମି ପଥ ପରିସ୍କାର କରିବାକୁ ଲକ୍ଷ୍ୟ ରଖିଛି । ଇଂଲଣ୍ଡର ସେମି ଫାଇନାଲ୍ରେ ପହଞ୍ଚିବା ସମ୍ଭାବନା ନାହିଁ । ମାତ୍ର ଅଷ୍ଟ୍ରେଲିଆକୁ ଅଟକାଇବାର ସୁଯୋଗ ଦଳ ନିକଟରେ ରହିଛି ।
୮ ପଏଣ୍ଟ ସହ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନ ଦଖଲ କରିଛି । ଇଂଲଣ୍ଡ(୨ପଏଣ୍ଟ) ଅନ୍ତିମ ସ୍ଥାନରେ ରହିଛି । ଆଗାମୀ ୨୦୨୫ ଚାମ୍ପିଅନ୍ସ ଟ୍ରଫିକୁ ଯୋଗ୍ୟତା ଅର୍ଜନ କରିବାକୁ ହେଲେ ଇଂଲଣ୍ଡକୁ ପଏଣ୍ଟ ତାଲିକାର ପ୍ରଥମ ୮ଦଳଙ୍କ ମଧ୍ୟରେ ରହିବାକୁ ହେବ । ତେଣୁ ଇଂଲଣ୍ଡ ଶନିବାର ବିଜୟ ପାଇଁ ଜୋରଦାର ପ୍ରୟାସ କରିବ । ଅଷ୍ଟ୍ରେଲିଆ ପରାଜିତ ହେଲେ ଆଫଗାନିସ୍ତାନ, ପାକିସ୍ତାନ, ଶ୍ରୀଲଙ୍କା ଓ ନେଦରଲାଣ୍ଡ୍ସ ଆଦି ଦଳ ପାଇଁ ସେମିରେ ପ୍ରବେଶ କରିବାର ସମ୍ଭାବନା ବୃଦ୍ଧି ପାଇବ ।
ବର୍ତ୍ତମାନର ଫର୍ମକୁ ଦେଖିଲେ ଅଷ୍ଟ୍ରେଲିଆର ବିଜୟ ସମ୍ଭାବନା ଅଧିକ । ବିଶ୍ୱକପ୍ରେ ଉଭୟ ଦଳ ପରସ୍ପରକୁ ୯ଥର ଭେଟିଛନ୍ତି । ଏଥିରୁ ଅଷ୍ଟ୍ରେଲିଆ ୬ଟି ମ୍ୟାଚ୍ ଜିତିଛି । ମାତ୍ର ଅଷ୍ଟ୍ରେଲିଆକୁ ହରାଇବା ପାଇଁ ଇଂଲଣ୍ଡ ନିକଟରେ ଯଥେଷ୍ଟ କ୍ଷମତା ରହିଛି । ଖେଳାଳିମାନେ ଫର୍ମରେ ନଥିବାରୁ ଇଂଲଣ୍ଡର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି ।
ଶନିବାର ଗ୍ଳେନ ମ୍ୟାକ୍ସୱେଲ୍ ଓ ମିଚେଲ ମାର୍ଶ ଖେଳିବେ ନାହିଁ । ଉଭୟଙ୍କ ଅନୁପସ୍ଥିତିରେ କାମେରନ ଗ୍ରୀନ ଓ ମାର୍କସ ଷ୍ଟଇନିସ୍ ଖେଳିବା ନିଶ୍ଚିତ । ଟ୍ରେଭିସ୍ ହେଡ୍ଙ୍କ ପ୍ରତ୍ୟାବର୍ତ୍ତନ ଫଳରେ ଅଷ୍ଟ୍ରେଲିଆର ବ୍ୟାଟିଂ ବିଭାଗ ଅଧିକ ସୁଦୃଢ ହୋଇଛି । ଡେଭିଡ୍ ୱାର୍ଣ୍ଣର ଫର୍ମରେ ଥିବାରୁ ଶନିବାର ତାଙ୍କ ବ୍ୟାଟ୍ରୁ ଆଉ ଏକ ବିଶାଳ ଇନିଂସ ଆଶା କରାଯାଉଛି । ଏପର୍ଯ୍ୟନ୍ତ ଚମକ ଦେଖାଇ ନଥିବା ଜୋସ ବଟଲରଙ୍କ ବ୍ୟାଟ୍ରୁ ଏକ ବିସ୍ଫୋରକ ଇନିଂସ ଦେଖିବାକୁ ଭାରତୀୟ ଦର୍ଶକ ଆଶା ରଖିଛନ୍ତି । ସେ ୭୨ ରନ୍ କଲେ ଦିନିକିଆରେ ୫୦୦୦ ରନ୍ ପୂରଣ କରିବେ।
ସମ୍ଭାବ୍ୟ ଦଳ
ଅଷ୍ଟ୍ରେଲିଆ: ଡେଭିଡ୍ ୱାର୍ଣ୍ଣର, ଟ୍ରେଭିସ୍ ହେଡ୍, ଷ୍ଟିଭେନ ସ୍ମିଥ୍, ମାର୍ନସ ଲାବୁସାନ, ଜୋସ ଇଂଲିଶ, ମାର୍କସ ଷ୍ଟଇନିସ, କାମେରନ ଗ୍ରୀନ, ପ୍ୟାଟ୍ କମିନ୍ସ(ଅଧିନାୟକ), ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜୋସ ହାଜେଲଉଡ୍ ।
ଇଂଲଣ୍ଡ: ଜନି ବେୟାରଷ୍ଟୋ, ଦାୱିଦ ମଲାନ, ଜୋ ରୁଟ୍, ବେନ ଷ୍ଟୋକ୍ସ, ଜୋସ ବଟଲର(ଅଧିନାୟକ), ମୋଇନ ଅଲି/ହ୍ୟାରୀ ବ୍ରୁକ୍, ଲାଏମ ଲିଭିଙ୍ଗଷ୍ଟୋନ, କ୍ରିସ ୱକ୍ସ, ଡେଭିଡ୍ ୱିଲି, ମାର୍କ ଉଡ୍, ଆଦିଲ ରସିଦ ।