ନୂଆଦିଲ୍ଲୀ,୨୯/୮: ଉତ୍ତରପ୍ରଦେଶ ଶାହାଜାହାନପୁର ଜିଲ୍ଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସେଠାକାର ସିନ୍ଧୌଲି ଗାଁର ବାସିନ୍ଦା ସିଦ୍ଧାର୍ଥ କୁମାରଙ୍କ ଝିଅ ଖୁସି ଗୌତମ(୧୭) ନିକଟରେ ଅସହ୍ୟ ପେଟ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ଶାହାଜାହାନପୁରରେ ଥିବା ସରକାରୀ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କ ପେଟରୁ ଅସ୍ତ୍ରୋପଚାର ମାଧ୍ୟମରେ ୧୬ସେମି ଲମ୍ବା କେଶଗୁଚ୍ଛ ବାହାର କରିଛନ୍ତି ।
ରିପୋର୍ଟ ଅନୁସାରେ, ଖୁସିଙ୍କୁ ବିଗତ କିଛି ଦିନ ଧରି ବାନ୍ତି ହେଉଥିଲା । ମଝିରେ ମଝିରେ ପେଟ ଯନ୍ତ୍ରଣା ହେବା ସହିତ ସେ ବିଚଳିତ ଅନୁଭବ କରୁଥିଲେ । ଗତ ମଙ୍ଗଳବାର ଯନ୍ତ୍ରଣା ଅସହ୍ୟ ହେବାରୁ ପରିବାର ଲୋକେ ତାଙ୍କୁ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତରମାନେ ତାଙ୍କର ସମସ୍ୟା ଜାଣିବା ଲାଗି ଅନେକଗୁଡି଼ଏ ପରୀକ୍ଷା କରିଥିଲେ । ପ୍ରାଥମିକ ଭାବେ ତାଙ୍କର କିଡ୍ନିରେ ଷ୍ଟୋନ ଥାଇପାରେ ବୋଲି ଆଶଙ୍କା ହେଉଥିଲା । ତେବେ ସିଟି ସ୍କାନ୍ରୁ ଖୁସିଙ୍କ ପେଟରେ କେଶଗୁଚ୍ଛ ଥିବା ଜଣାପଡି଼ଲା । ଏହାପରେ ତୁରନ୍ତ ତାଙ୍କର ଅସ୍ତ୍ରୋପଚାର କରାଗଲା । ଶାହାଜାହାନପୁର ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ରଫେସର ଥିବା ଡାକ୍ତର ପୂଜା ତ୍ରିପାଠୀ କହିଛନ୍ତି ଯେ, ଏଭଳି ଘଟଣା ଅତି ବିରଳ । ଖୁସିଙ୍କର ନିଜ କେଶ ଖାଇବାର ଅଭ୍ୟାସ ଥିଲା । ସେଥିଯୋଗୁ ତାଙ୍କର ଅନ୍ତଃନଳୀରେ କେଶଗୁଚ୍ଛ ଅଟକି ରହିଥିଲା । ୫ ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇ ତାକୁ ବାହାର କରି ଦିଆଯାଇଛି । ଖୁସିଙ୍କର ପିତାମାତା ମଧ୍ୟ ତାଙ୍କ ଝିଅର ନିଜ କେଶ ଖାଇବାର ଅଭ୍ୟାସ ଥିଲା ବୋଲି ପ୍ରକାଶ କରିଛନ୍ତି । ଅସ୍ତ୍ରୋପଚାର ପରେ ଏବେ ଖୁସି ସୁସ୍ଥ ଅଛନ୍ତି । ତାଙ୍କୁ ଡିସ୍ଚାର୍ଜ କରି ଦିଆଯାଇଛି ।