ନୂଆଦିଲ୍ଲୀ,୧୩/୦୯: ଚୀନରେ ଚାଲିଥିବା ପୁରୁଷ ହକି ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ସେମି ଫାଇନାଲ୍ ସ୍ଥାନ ପକ୍କା କରି ସାରିଥିବା ଭାରତ ଅପରାଜେୟ ସାବ୍ୟସ୍ତ ହୋଇଛି । ଗୁରୁବାର ଅନୁଷ୍ଠିତ ଚତୁର୍ଥ ମ୍ୟାଚ୍ରେ ଦଳ ୩-୧ ଗୋଲ୍ରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି । ଅଧିନାୟକ ହର୍ମନପ୍ରୀତ ସିଂହ ଡବଲ୍ ଗୋଲ୍ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ତୃତୀୟ ଭାରତୀୟ ଖେଳାଳି ଭାବେ ଅନ୍ତର୍ଜାତୀୟ ହକିରେ ୨୦୦ ଗୋଲ୍ ପୂରଣ କରିବାରେ ସଫଳ ହୋଇଛନ୍ତି । ପୂର୍ବରୁ ମହାନ ଖେଳାଳି ସ୍ୱର୍ଗତ ଧ୍ୟାନଚାନ୍ଦ ୧୮୫ଟି ମ୍ୟାଚ୍ ଖେଳି ୫୭୦ଟି ଗୋଲ୍ କରିଥିବାବେଳେ ବଲବୀର ସିଂହ ସିନିୟର ୬୧ଟି ମ୍ୟାଚ୍ରୁ ୨୪୬ଟି ଗୋଲ୍ ସ୍କୋର କରିଥିଲେ । ଆସନ୍ତା ଶନିବାର ଭାରତ ତା’ର ଶେଷ ମ୍ୟାଚ୍ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ ।
ପ୍ରଥମ ୩ଟି ମ୍ୟାଚ୍ ଭଳି ଆଜି ମଧ୍ୟ ହର୍ମନପ୍ରୀତ ବାହିନୀଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା । ପ୍ରଥମ କ୍ୱାର୍ଟରର ଅଷ୍ଟମ ମିନିଟ୍ରେ ଅରଇଜିତ ସିଂହ ହୁଣ୍ଡାଲ ଗୋଟିଏ ଦର୍ଶନୀୟ ଫିଲ୍ଡ ଗୋଲ୍ କରି ଭାରତର ଖାତା ଖୋଲିଥିଲେ । ପରବର୍ତ୍ତୀ ମିନିଟ୍ରେ ଦଳକୁ ଏକ ପେନାଲ୍ଟି ସୁଯୋଗ ମିଳିଥିଲା । ହର୍ମନପ୍ରୀତ ଏହାକୁ ଗୋଲ୍ରେ ପରିଣତ କରି ଭାରତକୁ ୨-୦ରେ ଅଗ୍ରଣୀ ପ୍ରଦାନ କରିଥିଲେ ।
ଦ୍ୱିତୀୟ କ୍ୱାର୍ଟରରେ ଦକ୍ଷିଣ କୋରିଆ କଡ଼ା ଟକ୍କର ଦେଇଥିଲା । ଘନଘନ ଆକ୍ରମଣ କରି ଚାପ ପକାଇଥିଲା । ମାତ୍ର ଗୋଲକିପର ସୂରଜ କରକେରାଙ୍କୁ ନେଇ ଗଠିତ ଭାରତର ରକ୍ଷଣଭାଗକୁ ଅତିକ୍ରମ କରି ପାରିନଥିଲା । ଏହି ଭାଗର ଶେଷ ମିନିଟ୍ରେ ଦକ୍ଷିଣ କୋରିଆ ଗୋଟିଏ ଗୋଲ୍ ପରିଶୋଧ କରି ମ୍ୟାଚ୍କୁ ଫେରିଥିଲା । ୩୦ମିନିଟ୍ରେ ଜିହୁନ ୟାଙ୍ଗ୍ ଏହି ଗୋଲ୍ଟି ସ୍କୋର କରିଥିଲେ ।
ତୃତୀୟ କ୍ୱାର୍ଟର ଅନୁରୂପ ସଂଘର୍ଷପୂର୍ଣ୍ଣ ରହିଥିଲା । ୪୩ମିନିଟ୍ରେ ଭାରତକୁ ଆଉ ଏକ ପେନାଲ୍ଟି ସୁଯୋଗ ମିଳିଥିଲା ଏବଂ ହର୍ମନପ୍ରୀତ୍ ଗୋଲ୍ ଦେବାରେ ଅବହେଳା କରିନଥିଲେ । ଏହା ତାଙ୍କ କ୍ୟାରିୟରର ୨୦୦ତମ ଗୋଲ୍ ରହିଥିଲା । ଭାରତ ୩-୧ରେ ଆଗେଇଥିଲା । ଅନ୍ତିମ କ୍ୱାର୍ଟରରେ ଉଭୟ ଦଳ ଶତଚେଷ୍ଟା ସତ୍ତେ୍ୱ ଗୋଲ୍ କରିପାରି ନଥିଲେ । ଭାରତ ଅଗ୍ରଣୀ ବଜାୟ ରଖି କ୍ରମାନ୍ୱୟରେ ଚତୁର୍ଥ ବିଜୟ ହାସଲ କରିଥିଲା । ଶ୍ରେଷ୍ଠ ଖେଳ ପ୍ରଦର୍ଶନ ପାଇଁ ସୂରଜ କରକେରା ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ୪ଟି ମ୍ୟାଚ୍ରୁ ମୋଟ ୧୨ପଏଣ୍ଟ ସହ ଶୀର୍ଷରେ ରହିଥିବାବେଳେ ପାକିସ୍ତାନ ଓ ଦକ୍ଷିଣ କୋରିଆ ସମାନ ୫ପଏଣ୍ଟ ଲେଖାଏଁ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।