ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଜି-୭ ଦେଶଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ଆଜି ଇରାନ ଏବଂ ହିଜବୁଲ୍ଲା ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିପାରନ୍ତି । ଏହାକୁ ନେଇ ଚର୍ଚ୍ଚା ମଧ୍ୟରେ ‘ଟାଇମ୍ସ ଅଫ ଇସ୍ରାଏଲ’ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଚିନ୍ତା ବଢ଼ାଇ ଦେଇଛି । ଇସ୍ରାଏଲ ଉପରେ ଆକ୍ରମଣ ରୋକିବା ଲାଗି ବେଞ୍ଜାମିନ ନେତାନ୍ୟାହୁ ଆଗୁଆ ଇରାନ୍ ଉପରେ ଆକ୍ରମଣ ପାଇଁ ଅନୁମତି ଦେଇପାରନ୍ତି । ଗୁଇନ୍ଦା ଏଜେନ୍ସି ମୋସାଦ ଓ ଶିନବେଟ୍ର ମୁଖ୍ୟ ଡେଭିଡ୍ ବାର୍ନିଆ ଏବଂ ରୋନେନ ବାରଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଏବଂ ଆଇଡିଏଫ୍ ମୁଖ୍ୟ ଷ୍ଟାଫ୍ ହେର୍ଜିଙ୍କ ସହ ନେତାନ୍ୟାହୁ ବୈଠକ କରିଥିବା ନେଇ ରିପୋର୍ଟରୁ ଜଣାପଡ଼ିଛି ।
୧୯୮୦ରେ ଇରାନ ସମର୍ଥନରେ ଆତ୍ମପ୍ରକାଶ କରିଥିଲା ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା । ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ଦ୍ବାରା ଆର୍ଥିକ ସହାୟତା ପାଉଥିବା ହିଜବୁଲ୍ଲା ଇରାନ୍ର ମୂଳ ବିଚାରଧାରା ଉପରେ କାର୍ଯ୍ୟ କରେ । ବିଶେଷ କରି ହିଜବୁଲ୍ଲା ଲେବାନନର ଶିୟା ମୁସଲିମଙ୍କୁ ନିଜର କାର୍ଯ୍ୟ ଲାଗି ନିଯୁକ୍ତି ଦିଏ । ତେବେ ଶନିବାର ହିଜବୁଲ୍ଲା ଇସ୍ରାଏଲ ମାଟିରେ ଆକ୍ରମଣ ତୀବ୍ର କରିବ ବୋଲି ଇରାନ୍ ଚେତାବନୀ ଦେଇଥିଲା । କେବଳ ସେନା ଠିକଣା ନୁହେଁ ଦେଶର ସବୁ ସ୍ଥାନରେ ହିଜବୁଲ୍ଲା ଆକ୍ରମଣ କରିବ ବୋଲି କହିଥିଲା ଇରାନ୍ ।
ଜୁଲାଇ ୩୦ରେ ହିଜବୁଲ୍ଲାର ଜଣେ ବରିଷ୍ଠ କମାଣ୍ଡରକୁ ଇସ୍ରାଏଲ ସେନା ହତ୍ୟା କରିବା ପରେ ଏହି ବିବାଦ ବୃଦ୍ଧି ପାଇଛି । ଲେବାନନର ରାଜଧାନୀ ବେରୁଟରେ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଇସ୍ରାଏଲ ରକେଟ ମାଡ କରିଥିଲା । ଏଥିରେ ହିଜବୁଲ୍ଲାର କମାଣ୍ଡର ଫୌଆଦ ଶୁକୁର ସମେତ ୫ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ତେହରାନରେ ହମାସର ରାଜନୈତିକ ମୁଖ୍ୟ ଇସ୍ମାଇଲ ହାନିୟେଙ୍କ ହତ୍ୟା ପାଇଁ ଇସ୍ରାଏଲକୁ ଦାୟୀ କରିଛି ଇରାନ୍ । ଯଦିଓ ଏନେଇ ଇସ୍ରାଏଲ କିଛି ସ୍ପଷ୍ଟ କରିନାହିଁ ତଥାପି ଏହାକୁ ନେଇ ଇରାନ୍ ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି ।
ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ସିଧାସଳଖ ଯୁଦ୍ଧ ନେଇ ଆଶଙ୍କା ବଢ଼ି ବଢ଼ି ଚାଲିଛି । ଏହା ପୂର୍ବରୁ ହିଜବୁଲ୍ଲା ଏବଂ ଇସ୍ରାଏଲ ୨୦୦୬ରେ ସମ୍ମୁଖ ଯୁଦ୍ଧ କରିଥିଲେ । ବର୍ତ୍ତମାନ ସ୍ଥିତି ଅଣାୟତ୍ତ ହେଉଥିବା ବେଳେ ଲେବାନନରେ ଅନ୍ୟ ଦେଶର ନାଗରିକଙ୍କ ପ୍ରତି ବିପଦ ବଢ଼ିଛି । ଏହାକୁ ନଜରରେ ରଖି ଭାରତ ସମେତ ବ୍ରିଟେନ୍, ଆମେରିକା ଭଳି ଦେଶ ନିଜ ନିଜର ନାଗରିକଙ୍କୁ ଲେବାନନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି । ଏପରିକି ବେରୁଟକୁ ବିମାନ ଉଡ଼ାଣ ରଦ୍ଦ କରିଦିଆଯାଉଛି ।
ସେପଟେ ଅକ୍ଟୋବର ୭ରୁ ଗାଜା ଯୁଦ୍ଧ ଆରମ୍ଭ ହେବା ପାଖରୁ ହିଜବୁଲ୍ଲା ଇସ୍ରାଏଲ ଉପରେ ଛୋଟ ବଡ଼ ଆକ୍ରମଣ ଜାରି ରଖିଛି । ଏହାର ସେନା ଠିକଣା ଉପରେ ହିଜବୁଲ୍ଲା ବିଭିନ୍ନ ସମୟରେ ରକେଟ୍ ମାଡ଼ କରୁଥିବା ଦେଖିବାକୁ ମିଳୁଛି । ଏ ସମସ୍ତ ସ୍ଥିତିକୁ ଦେଖି ଆଣ୍ଟୋନି ବ୍ଲିଙ୍କେନ ଜି-୭ ଦେଶର ବୈଦେଶିକ ମନ୍ତ୍ରୀଙ୍କୁ ନେଇ ଏକ ବୈଠକ କରିଥିଲେ । କୂଟନୈତିକ ସ୍ଥରରେ ସ୍ଥିତିକୁ ନୟନ୍ତ୍ରଣ କରିବା ଲାଗି ପ୍ରୟାସ କରିବାକୁ ସେ ସମସ୍ତ ନେତାଙ୍କୁ ଆହ୍ବାନ ଦେଇଥିବା ଜଣାପଡ଼ିଛି ।