ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମୋଦି ଗ୍ୟାରେଣ୍ଟିରେ ବିଜେଡି ଗଡ଼ ଚୁରମାର୍ : ସ୍ପଷ୍ଟ ବହୁମତ ସହ ଓଡ଼ିଶାରେ ସରକାର ଗଢିବ ବିଜେପି, ୭୮ ସିଟ୍ ସହ ପାର୍ କଲା ମ୍ୟାଜିକ୍ ନମ୍ବର

ଭୁବନେଶ୍ୱର, ୦୫/୦୬ : ନବୀନଙ୍କ ୨୪ ବର୍ଷର ନିରଙ୍କୁଶ ଯାତ୍ରାରେ ଲାଗିଛି ବ୍ରେକ୍‌ । ମୋଦି ଗ୍ୟାରେଣ୍ଟିରେ ବିଜୁ ଜନତା ଦଳର ଗଡ଼ ପୂରା ଚୁରମାର୍‌ । ଓଡ଼ିଶାରେ ଉଡ଼ିଛି ବିଜେପିର ବିଜୟ ବାନା । ବିଧାନସଭା ନିର୍ବାଚନରେ ବିଜେପିକୁ ମିଳିଛି ବହୁମତ । ନବୀନ ଯୁଗ ଶେଷ । ଓଡ଼ିଶାରେ ଏଥର ବିଜେପି ସରକାର । ସମସ୍ତ ଆକଳନ ଓ ପୂର୍ବାନୁମାନ ଫେଲ୍‌ ମାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭବିଷ୍ୟବାଣୀ ସତ ହୋଇଛି । ଓଡ଼ିଶା ସରକାର ବଦଳାଇଛି । ୧୪୭ରୁ ୭୮ ଆସନରେ ଜିତି ଓଡ଼ିଶାରେ ପ୍ରଥମ ଥର ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରିଛି ଭାରତୀୟ ଜନତା ପାର୍ଟି । ଗତଥର ତୂଳନାରେ ୫୭ଟି ଅଧିକ ଆସନ ଦଖଲ କରିଛି । ବିଜେଡିର ଅପରାଜେୟ ଦର୍ପ ବି ଭାଙ୍ଗି ଯାଇଛି ଅବିଶ୍ୱସନୀୟ ଭାବେ । ମାତ୍ର ୫୧ଟି ଆସନରେ ଜିତି ପାରିଛି ଦଳ । ବିଜେଡିର ଗଡ଼ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି । ୨୦୧୯ ତୁଳନାରେ ୬୨ଟି ଆସନ ଖସିଯାଇଛି ଦଳ ହାତରୁ । 

ଦୀର୍ଘ ୨୭ ବର୍ଷ ଧରି ନିର୍ବାଚନୀ ରାଜନୀତିରେ ଅପରାଜେୟ ଥିବା ନବୀନ ନିଜେ ପ୍ରଥମ ଥର ପାଇଁ ପରାଜୟର ସ୍ୱାଦ ଚାଖିଛନ୍ତି । ଭୋଟରଙ୍କ ମଧ୍ୟରେ ବିଜେଡି ପ୍ରତି ଥିବା ଅସନ୍ତୋଷ ଏଭଳି ପ୍ରତିଫଳିତ ହୋଇଛି ଯେ, ଅଟଳ, ଅପରାଜେୟ ନବୀନ କଣ୍ଟାବାଞ୍ଜି ଆସନରୁ ୧୬ ହଜାରରୁ ଅଧିକ ଭୋଟରେ ହାରିଯାଇଛନ୍ତି । ବିଜେପି ପ୍ରାର୍ଥୀ ଲକ୍ଷ୍ମଣ କୁମାର ବାଗଙ୍କ ଠାରୁ ପରାଜୟ ସ୍ୱୀକାର କରିଛନ୍ତି । ନିଜର ପାରମ୍ପରିକ ଆସନ ହିଞ୍ଜିଳିରୁ ମାତ୍ର ୪,୬୩୬ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଶିଶିର କୁମାର ମିଶ୍ରଙ୍କ ଠାରୁ ବିଜୟୀ ହୋଇଛନ୍ତି । ୨୦୧୯ରେ ୬୦ ହଜାରରୁ ଅଧିକ ଭୋଟ ଅନ୍ତରରେ ଜିତିଥିଲେ । ଉପକୂଳ ଓଡ଼ିଶାରୁ ଆରମ୍ଭ ପରି ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଓଡ଼ିଶା ସବୁଠି ବିଜେଡିକୁ ଶୋଚନୀୟ ପରାଜୟର ସାମ୍‌ନା କରିବାକୁ ପଡ଼ିଛି । 

ବିଜେଡିର ବହୁ ରଥୀ ମହାରଥୀ ଟଳି ପଡ଼ିଛନ୍ତି । ନବୀନଙ୍କ କ୍ୟାବିନେଟର ୧୧ ମନ୍ତ୍ରୀ ମାଟି କାମୁଡ଼ିଛନ୍ତି ।  ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପ୍ରଫୁଲ୍ଲ ମଲ୍ଲିକ, ବିକ୍ରମ କେଶରୀ ଆରୁଖ, ପ୍ରଦୀପ କୁମାର ଅମାତ, ଟୁକୁନି ସାହୁ, ପ୍ରୀତି ରଞ୍ଜନ ଘଡ଼ାଇ, ଅଶୋକ ପଣ୍ଡା, ରୀତା ସାହୁ, ଜଗନ୍ନାଥ ସାରକା, ବାସନ୍ତୀ ହେମ୍ଭରମ । ଏହାଛଡ଼ା ଲଗାତାର ଜିତି ଆସୁଥିବା ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ, ସୁଶାନ୍ତ ସିଂହ, ସ୍ନୋହାଙ୍ଗିନୀ ଛୁରିଆ, ପଦ୍ମନାଭ ବେହେରା, ପୁଷ୍ପେନ୍ଦ୍ର ସିଂହଦେଓ, ରୋହିତ ପୂଜାରୀ, ଚନ୍ଦ୍ରସାରଥୀ ବେହେରା, ସଞ୍ଜୟ ଦାସବର୍ମା ପ୍ରମୁଖ ପରାଜିତ ହୋଇଛନ୍ତି । ଓଡ଼ିଶାର ଭୋଟ ଫଳାଫଳ ସମଗ୍ର ଦେଶକୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଜାତୀୟ ଗଣମାଧ୍ୟମ ପାଇଁ ଓଡ଼ିଶାର ନିର୍ବାଚନ ଫଳ ଆଜିର ବଡ଼ ଖବର ପାଲଟିଛି । ବିଜେପିର ଏଭଳି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କଂଗ୍ରେସର ବଳ ବଢ଼ିଛି, ଦଳକୁ ମିଳିଛି ୧୪ ଆସନ । ଗତଥର ମିଳିଥିଲା ମାତ୍ର ୯ଟି ଆସନ । ସ୍ୱାଧୀନ ଓ ସିପିଏମ ପ୍ରାର୍ଥୀ ୪ଟି ଆସନରେ ଜିତିଛନ୍ତି । ଭୋଟ ଫଳ ଆସିବା ପରେ ବିଜେପି ଅଫିସରେ ବାଜା, ବାଣ ଓ ମିଠାରେ ହୋଇଛି ଜୋରଦାର ସେଲିବ୍ରେସନ । ବିଜେପିର ଏଭଳି ସଫଳତାରେ ବିଜେଡିର ଆଖି ତରାଟି ହୋଇଯାଇଛି ।

 ମୋଦି ଗ୍ୟାରେଣ୍ଟିରେ ମାଡ଼ ଖାଇଯାଇଛି ନବୀନ ଗ୍ୟାରେଣ୍ଟି । ମଙ୍ଗଳବାର ସକାଳେ ଭୋଟ ଗଣତି ଆରମ୍ଭରୁ ବିଜେପି ସପକ୍ଷରେ ଟ୍ରେଣ୍ଡ ରହିଥିଲା । ମଧ୍ୟାହ୍ନ ପରେ ବିଜେଡି ଟିକେ ଅଣ୍ଟା ସଳଖିଲା । ମାତ୍ର କିଛି ସମୟ ପରେ ପୁଣି ଟ୍ରେଣ୍ଡ ବିଜେପି ଆଡ଼କୁ ଢଳିଲା । ଗୋଟିଏ ପରେ ଗୋଟିଏ ସିଟ୍‌ ଗଲା ବିଜେପି ଖାତାକୁ । କଣ୍ଟାବାଞ୍ଜିରେ ନବୀନ ପଛୁଆ ବୋଲି ସୂଚନା ମିଳିବା ପରେ ବିଜେଡି ପାଦ ତଳୁ ମାଟି ଖସିଗଲା । ବିଜେପି ପାର୍ଟି ଅଫିସରେ ଫୁଟିଲା ବାଣ । ଭୋଟର ଯେ ଭଗବାନ ତା’ର ପ୍ରମାଣ ଦେଇଛନ୍ତି । ଭୋଟରଙ୍କ ମୁଡ୍‌ ପରଖିବାରେ କେହି ସଫଳ ହୋଇନାହାନ୍ତି । ଦୀର୍ଘ ୨୪ ବର୍ଷ କାଳ ନିରଙ୍କୁଶ କ୍ଷମତାରେ ଥିବା ବିଜେଡିର ଗଡ଼ ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଭଦ୍ରକ ଭଳି ଜିଲ୍ଲାରେ ପୂରା ଝଟ୍‌କା ଖାଇଛି ଦଳ । ଗଞ୍ଜାମ ଜିଲ୍ଲାରେ ବିଜେଡି ମୂଳପୋଛ ହୋଇଯାଇଛି । କେବଳ ବିଜେଡି ସୁପ୍ରିମୋ ନିଜ ପାରମ୍ପରିକ ଆସନ ହିଞ୍ଜିଳିକୁ ନିଜ ପାଖରେ ରଖିବାକୁ ସକ୍ଷମ ହୋଇଛନ୍ତି । ୨୦୧୯ରେ ଗଞ୍ଜାମର ୧୩ଟି ବିଧାନସଭା ଆସନରୁ ବିଜେଡି ୧୨ଟି ଦଖଲ କରିଥିଲା । କଂଗ୍ରେସକୁ ଗୋଟିଏ ମିଳିଥିଲା । 

ସେହିପରି ଯାଜପୁରର ସମସ୍ତ ୭ଟି ଯାକ ବିଧାନସଭା ଆସନ ବିଜେଡି ପାଖରେ ଥିଲା । ଏଥର କିନ୍ତୁ ବଡ଼ଚଣାରେ ବିଜେପିର ଅମର ନାୟକ, ସୁକିନ୍ଦାରେ ବିଜେପିର ପ୍ରଦୀପ ବଳସାମନ୍ତ, କାରେଇରେ ବିଜେପି ପ୍ରାର୍ଥୀ ଆକାଶଦାସ ନାୟକ ବିଜୟୀ ହୋଇଛନ୍ତି । ଧର୍ମଶାଳା ଆସନଟି ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କ କବ୍‌ଜାକୁ ଯାଇଛି । ଭଦ୍ରକରେ ମଧ୍ୟ ବିଜେଡିକୁ ନୈରାଶ୍ୟଜନକ ଫଳ ମିଳିଛି । ଅଧିକାଂଶ ଜିଲ୍ଲାରେ ବିଜେଡିକୁ ହତାଶ ହେବାକୁ ପଡ଼ିଛି । ନବୀନଙ୍କ କ୍ୟାବିନେଟ୍‌ର ମନ୍ତ୍ରୀ ନିରଞ୍ଜନ ପୂଜାରୀ,ରାଜେନ୍ଦ୍ର ଢ଼ୋଲକିଆ, ପ୍ରତାପ କେଶରୀ ଦେବ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଶାରଦା ପ୍ରସାଦ ନାୟକ, ତୁଷାରକାନ୍ତି ବେହେରା ଓ ଅଶ୍ୱିନୀ କୁମାର ପାତ୍ର ବିଜୟୀ ହୋଇଛନ୍ତି । ଅନ୍ୟମାନଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି । ମନ୍ତ୍ରୀ ଉଷା ଦେବୀ ତାଙ୍କର ପୁଅ ଚିନ୍ମୟାନନ୍ଦ ସ୍ୱରୂପଦେବଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିେଲେ । ମାତ୍ର ସେ ମଧ୍ୟ ପରାସ୍ତ ହୋଇଛନ୍ତି । ଦଳର ବହୁ ଅଭିଜ୍ଞ ଓ ମହାଦ୍ରୁମ ଏଥର ମୋଦି ହ୍ୱାୱାରେ ଟଳି ପଡ଼ିଛନ୍ତି । କଂଗ୍ରେସ ଭେଟେରାନ ତାରା ପ୍ରସାଦ ବାହିନୀପତିଙ୍କ ଠାରୁ ଆରମ୍ଭ କରି କଟକ-ବାରବାଟୀରୁ ନବାଗତ ସୋଫିଆ ଫିର୍ଦ୍ଦୋସଙ୍କ ଯାଏ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଦଳ ଗୁଣୁପୁର, ପଟାଙ୍ଗୀ, ରାୟଗଡ଼ା, ବିଷମ କଟକ, ଚିତ୍ରକୋଣ୍ଡା, ରାଜଗାଙ୍ଗପୁର, ସାନଖେମୁଣ୍ଡି ଭଳି ଆସନକୁ ନିଜ ଦଖଲରେ ରଖିଛି । ଧର୍ମଶାଳା, ମାହାଙ୍ଗା ଓ ବଡ଼ମ୍ବାରେ ବିଜେପିରୁ ଟିକଟ ନପାଇ ସ୍ୱାଧୀନ ଲଢୁଥିବା ପ୍ରାର୍ଥୀମାନେ ଜୟଯୁକ୍ତ ହୋଇଛନ୍ତି । ସିପିଏମ୍‌ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ପୁଣି ବଣାଇରୁ ବିଜୟଲାଭ କରିଛନ୍ତି । 

୨୦୧୯ ଭୋଟ ଫଳକୁ ଦେଖିଲେ ବିଜେଡିକୁ ଲାଗିଛି ବଡ଼ ଝଟ୍‌କା । ୨୦୧୯ରେ ଦଳକୁ ୧୧୩ ଆସନ ମିଳିଥିଲା ବେଳେ ଏଥର ଅଧାରୁ କମ୍‌ ଆସନ ପାଇଛି ଦଳ । ଦଳର ମନ୍ତ୍ରୀ ଓ ହେଭିୱେଟମାନେ ବିଜେପିର ନବାଗତ ପ୍ରାର୍ଥୀଙ୍କଠାରୁ ମଧ୍ୟ ପରାଜୟ ବରଣ କରିଛନ୍ତି । ବିଜେପିର ଏଭଳି ଅଦ୍ଭୂତପୂର୍ବ ସଫଳତାରେ ବିଜେପି ନେତା ଓ କର୍ମୀ ମହଲରେ ନାହିଁ ନଥିବା ଖୁସି । ଦଳର ରାଜ୍ୟ ଅଫିସରେ ବିଜୟ ଉତ୍ସବ ପାଳିତ ହୋଇଥିଲା ବେଳେ ପ୍ରଧାନମନ୍ତ୍ରୀ ମଧ୍ୟ ଏ ବିଜୟରେ ବେଶ ଆନନ୍ଦ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରି ଲେଖିଛନ୍ତି, ଓଡିଶାବାସୀଙ୍କୁ ଧନ୍ୟବାଦ । ଓଡିଶା ସଂସ୍କୃତିକୁ ନେଇ ଉତ୍ସବ ପାଳନ କରିବାର ଏହା ହେଉଛି ଏକ ଦମଦାର ବିଜୟ । ବିଜେପି ଲୋକଙ୍କ ସ୍ୱପ୍ନ ପୂରଣ କରିବା ଓ ଓଡ଼ିଶାର ପ୍ରଗତିକୁ ନୂଆ ଉଚ୍ଚତାରେ ପହଞ୍ଚାଇବାକୁ ଆଦୌ ହେଳା କରିବ ନାହିଁ । ଦଳର ସବୁ କର୍ମକର୍ତ୍ତାଙ୍କୁ ନେଇ ଆମେ ଗର୍ବିତ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.