ଚନ୍ଦାହାଣ୍ଡି,୯/୮ : ପାନାବେଡା ଆଦିବାସୀ ସଂଘ ଚନ୍ଦାହାଣ୍ଡି ତରଫରୁ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଆଦିବାସୀ ସଂଘର ସଭାପତି ଲଛମନ ମାଝୀଙ୍କ ସଭାପତିତ୍ବରେ ଆୟୋଜିତ ହୋଇଛି ବିଶ୍ବ ଆଦିବାସୀ ଦିବସ । ମୁଖ୍ୟ ଅତିଥି ରୂପେ ଝରିଗାଁ ବିଧାୟକ ନରସିଂହ ଭତ୍ରା, ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ମୁଖ୍ୟ ବକ୍ତା ଆଦିବାସୀ ଗବେଷକ, ରବିନ୍ଦ୍ର ନାଥ ମାଢୀ, ସମ୍ମାନୀୟ ଅତିଥି ଭାବେ ଗରିଆବନ୍ଧ ଜିଲ୍ଲା ସଭାପତି ଯଶୋବନ୍ତ ଧ୍ରୁଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟସଭ୍ୟା, ଆଦିବାସୀ ସଂପ୍ରଦାୟର ପ୍ରତ୍ୟେକ ସମାଜର ବ୍ଲକସ୍ତରୀୟ ସଭାପତି ଉପସ୍ଥିତ ଥିଲେ।
ଏହି ଅବସରରେ ମଣ୍ଡଳ ଭୀମା ଏବଂ ଠାକୁରାଣୀ ମନ୍ଦିରରୁ ଏକ ମଶାଲ ଯାତ୍ରା କରାଯାଇଥିଲା । ଏହାପରେ ଆଦିବାସୀ ସଂଘ ତରଫରୁ ଏକ ବିଶାଳ ଶୋଭାଯାତ୍ରା ହନୁମାନ ମନ୍ଦିରରୁ ଚନ୍ଦାହାଣ୍ଡି ସାପ୍ତାହିକ ହାଟପଦା ପର୍ଯ୍ୟନ୍ତ କରିବା ସହିତ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଏଥିରେ ବିଭିନ୍ନ ଅଞ୍ଚଳର କଳାକାରମାନଙ୍କର ଡାକା ବାଜା, ରେଲାପଟା ନୃତ୍ୟ, ପାନାବେଡାର ମାନ୍ଦିଳି ଏବଂ ଆଦିବାସୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମକୁ ସମିତି ସଭ୍ୟ ପୌରଷ ମାଝୀ ଏବଂ ଶୋଭା ସିଂ ନାୟକ ମଞ୍ଚ ପରିଚାଳନା କରୁଥିଲେ। ଏଥିରେ ଆଦିବାସୀ ସଂଘ ଚନ୍ଦାହାଣ୍ଡିର ସମସ୍ତ ସଂପୂର୍ଣ୍ଣ ସହଯୋଗ କରିଥିଲେ। ବକ୍ତାମାନେ ଆଦିବାସୀମାନଙ୍କର ଆର୍ଥିକ ସାମାଜିକ ହକ୍ ଅଧିକାର, ଶିକ୍ଷା, ସ୍ବାସ୍ଥ୍ୟକୁ ସୃଦୃଢ଼ କରିବା ପାଇଁ ଆଲୋକପାତ କରିଥିଲେ। ବାଲ୍ୟ ବିବାହକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଲେ। ସମ୍ବିଧାନ ଧାରା ୩,୪,୫ ଏବଂ ୬ ବିଷୟରେ ପୁଙ୍ଖାନୁପୁଖେ ଭାବେ ଉପସ୍ଥାପନ କରିଥିଲେ ଏବଂ ଆଦିବାସୀ ମାନଙ୍କର ରୀତିନୀତି, ସଂସ୍କୃତି ପରମ୍ପରା ବିଷୟରେ ଆଲୋଚନା କରିଥିଲେ।