ନୂଆଦିଲ୍ଲୀ : ଆନ୍ଧ୍ର ପ୍ରଦେଶର କାକିନାଡା ସ୍ଥିତ ସରକାରୀ ହସ୍ପିଟାଲରେ ନିକଟରେ ଏକ ନିଆରା ସର୍ଜରୀ ହୋଇଛି। ଏହି ସର୍ଜରୀ ମେଡିକାଲ ଜଗତରେ ହଲଚଲ ମଚାଇ ଦେଇଛି। ଉଲ୍ଲେଖନୀୟ ଯେ, କୋଣ୍ଡପଲ୍ଲୀରେ ରହୁଥିବା ୫୫ ବର୍ଷିୟ ଅନନ୍ତଲକ୍ଷ୍ମୀଙ୍କ ମସ୍ତିଷ୍କର ବାମ ପଟେ 3.3 X 2.7 ସେ.ମିର ଟ୍ୟୁମର ଥିବାର ଜଣାପଡ଼ି ଥିଲା। ଏହି କାରଣରୁ ତାଙ୍କର ଲଗାତାର ମୁଣ୍ଡବ୍ୟଥା ଭଳି ଗୁରୁତର ସମସ୍ୟା ହେଉଥିଲା। ଏହି ସମସ୍ୟା ଜଣାପଡ଼ିବା ପରେ ଡାକ୍ତରମାନେ ଅନନ୍ତଲକ୍ଷ୍ମୀଙ୍କ ବ୍ରେନ୍ର ସର୍ଜରୀ କରିଥିଲେ। ଏହି ସର୍ଜରୀ ବେଳର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
ଏହି ଜଟିଳ ବ୍ରେନ୍ ସର୍ଜରୀ ବେଳେ, ଡାକ୍ତରମାନେ ଅନନ୍ତଲକ୍ଷ୍ମୀଙ୍କୁ ହୋସ୍ରେ ରଖି ତାଙ୍କର ଅପରେସନ କରିଥିଲେ। ସର୍ଜରୀ ବେଳେ ଅନନ୍ତଲକ୍ଷ୍ମୀ ଶାନ୍ତ ରହିବାକୁ ଡାକ୍ତରମାନେ ତାଙ୍କୁ ତେଲୁଗୁ ଫିଲ୍ମ ଅଭିନେତା ଜୁନିୟର ଏନଟିଆରଙ୍କର ଫିଲ୍ମ ଦେଖାଉ ଥିଲେ। ଏହି ନିଆରା ଚିକିତ୍ସାକୁ ଆୱେକ୍ କ୍ରାନିୟୋଟୋମି କୁହାଯାଏ, ଯେଉଁଥିରେ ରୋଗୀଙ୍କୁ ହୋସ୍ରେ ରଖି ସର୍ଜରୀ କରାଯାଏ , ଯାହାକି ସର୍ଜରୀ ବେଳେ ମାନସିକ ସନ୍ତୁଳନ ବଜାୟ ରହିବ।
ତେଲୁଗୁ ସ୍କ୍ରାଇବ୍ ଅନୁସାରେ ,ଏହି ସର୍ଜରୀ ପାଖାପାଖି ଅଢେଇ ଘଣ୍ଟା ଧରି ଚାଲି ଥିଲା ଏବଂ ସଫଳ ହୋଇଥିଲା। ଡାକ୍ତରମାନେ କହିଥିଲେ ଯେ, ରୋଗୀଙ୍କର ସ୍ୱାସ୍ଥ୍ୟ ସ୍ଥିର ରହିଛି ଏବଂ ତାଙ୍କୁ ଆଗାମୀ ୫ଦିନରେ ହସ୍ପିଟାଲରୁ ଛୁଟି ମିଳିପାରେ। ଏହି ବିଶେଷ ଟେକ୍ନିକ୍ର ପ୍ରୟୋଗ କରି ଡାକ୍ତରମାନେ ରୋଗୀଙ୍କର ଟ୍ୟୁମରକୁ ସଫଳତାପୂର୍ବକ ବାହାର କରିଥିଲେ । ସର୍ଜରୀ ପରେ ଅନନ୍ତଲକ୍ଷ୍ମୀ ସଂପୂର୍ଣ୍ଣ ରୂପେ ସୁସ୍ଥ ଅଛନ୍ତି।