ଲଣ୍ଡନ,୨୪/୦୮: ବ୍ରିଟିଶ ଇନ୍ଫ୍ଲୁଏନ୍ସର ମାଇଲ୍ସ ରୁଟଲେଜ୍ ନିଜ ସୋସିଆଲ ମିଡିଆ ଏକ୍ସରେ ଭାରତ ଉପରେ ପରମାଣୁ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି । ସେ କହିଛନ୍ତି ଯଦି ପ୍ରଧାନମନ୍ତ୍ରୀ ହେବେ ତେବେ କେବଳ ଭାରତ ନୁହେଁ, ବ୍ରିଟେନର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ଖେଳାଉଥିବା ଯେକୌଣସି ଦେଶ ଉପରେ ଆଣବିକ ଆକ୍ରମଣ କରିବେ । କୌଣସି ବଡ ଘଟଣା ନୁହେଁ, ଛୋଟ ଭୁଲ କଲେ ମଧ୍ୟ ସେ କୌଣସି ଦେଶକୁ ଛାଡିବେ ନାହିଁ । ସମ୍ପୂ୍ର୍ଣ୍ଣ ଧ୍ୱଂସ କରିଦେବେ ।
ସେ ଆହୁରି ମଧ୍ୟ କହିଛନ୍ତି ଭାରତ ତାଙ୍କର ପସନ୍ଦ ନୁହେଁ । ଏଥିସହ ସେ କେତେକ ଜାତିଆଣ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । ତେବେ ସେ ମଜା କରିବାକୁ ଏଭଳି କହୁଥିବା କହିଛନ୍ତି । ହେଲେ ତାଙ୍କର ଏଭଳି ବୟାନକୁ ନେଇ ସୋସିଆଲ ମିଡିଆରେ ତୀବ୍ର ଆକ୍ରୋଶ ଦେଖିବାକୁ ମିଳିଛି । ବିବାଦ ବଢ଼ିବା ପରେ ସେ ପୋଷ୍ଟକୁ ଡିଲିଟ କରିଦେଇଛନ୍ତି ।
ସୂଚନାଯୋଗ୍ୟ, ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ କବ୍ଜା ବେଳେ ମାଇଲ୍ସ ସେଠାରେ ଫସିଯାଇଥିଲେ । ବ୍ରିଟିଶ ସରକାରଙ୍କ ବାରଣ ସତ୍ତେ୍ୱ ସେଠାକୁ ସେ ତାଲିବାନ ସରକାର ଦେଖିବାକୁ ଯାଇଥିଲେ । ଫସିବା ପରେ ସେ ଜଣଙ୍କ ଘରେ ଆଶ୍ରୟ ନେଇଥିଲେ । ଖବର ମିଳିବା ପରେ ବ୍ରିଟିଶ ସେନା ତାଙ୍କୁ ସେଠାରୁ ମହିଳା ବେଶରେ ବୁର୍ଖା ପିନ୍ଧାଇ ଉଦ୍ଧାର କରିଥିଲେ । ଏହା ପରଠାରୁ ସେ ଡେଞ୍ଜରସ ଟୁରିଷ୍ଟ (ବିପଜ୍ଜନକ ପର୍ଯ୍ୟଟକ) ଭାବେ ପ୍ରସିଦ୍ଧ ହୋଇଯାଇଥିଲେ ।