ପ୍ରମୁଖ ଖବର
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ତାଳବଣିଆ ଜଙ୍ଗଲରେ ବ୍ରାଉନ୍‌ସୁଗର୍‌ ହାଟ: ପୁରୀ ସହରକୁ ମାଡ଼ିଛି ଧଳାଜହର ଲିଙ୍କ୍‌, ବଢ଼ୁଛି ଅପରାଧ

ପୁରୀ,୦୪/୦୪: ତାଳବଣିଆ ଜଙ୍ଗଲରେ ବସୁଛି ବ୍ରାଉନ୍‌ସୁଗର୍‌ ହାଟ । ଜଙ୍ଗଲରୁ ପୁରୀ ସହରକୁ ମାଡ଼ିଛି ବ୍ରାଉନ୍‌ସୁଗର୍‌ ଲିଙ୍କ୍‌ର ଚେର । ଏହି କାରବାରକୁ ଚଳାଉଛି ପୁରୀର ଜଣେ କିଙ୍ଗ୍‌ପିନ୍‌ । କିଙ୍ଗ୍‌ପିନ୍‌ର ଲିଙ୍କ୍‌ ପାଇଛି ପୁଲିସ । ପାଟ୍ରୋଲିଂ ଅଞ୍ଚଳରେ ଏଭଳି  ନିଶା କାରବାର ଚାଲିଥିଲେ ବି ପୁଲିସର  ନଜର ପଡ଼ୁନି । କିଛି ଅସାଧୁ ପୁଲିସ  କର୍ମଚାରୀଙ୍କ ବାହୁ ଛାୟା ତଳେ ଏହି  ମାରାତ୍ମକ ନିଶା କାରବାରର ସାମ୍ରାଜ୍ୟ ବିସ୍ତାର କରୁଛି କିଙ୍ଗପିନ୍‌ । ସମୁଦ୍ର କୂଳ  ଥାନା ଅଞ୍ଚଳର ଏହି କିଙ୍ଗ୍‌ପିନ୍‌ ଏବେ ସାରା  ସହରକୁ ବ୍ରାଉନ୍‌ସୁଗର୍‌ ଯୋଗାଉଥିବା  ଅଭିଯୋଗ ହୋଇଛି । ଦୀର୍ଘଦିନ ଧରି  ବେପାରୀ ଜଣକ କାରବାର ଚଳାଉଥିବା  ବେଳେ ପୁଲିସର ନିରବତା ଏହାକୁ  ପ୍ରୋତ୍ସାହନ ଦେଉଥିବା ଅଭିଯୋଗ  ହୋଇଛି । କିଛି ତଳିଆ ପୁଲିସ ବାବୁମାନେ  ବରିଷ୍ଠ ଅଧିକାରୀଙ୍କୁ ଦୋଷ ଦେଇ ନିଜ ମୁଣ୍ଡରୁ ବୋଝ ଖସାଉଛନ୍ତି । 

ପୂର୍ବାହ୍ନ ୮ଟାରୁ ଅପରାହ୍ନ ୨ଟା  ଓ ସନ୍ଧ୍ୟା ୫ରୁ ରାତି ୮ଟା ଯାଏଁ  ବେପାରୀ ଜଣକ ତାଳବଣିଆ ଜଙ୍ଗଲରେ  ବ୍ରାଉନ୍‌ସୁଗର୍‌ କାରବାର କରୁଥିବା ସୂଚନା  ମିଳିଛି । ହେଲେ ଛୋଟ ବେପାରୀଙ୍କୁ କାବୁ  କରି ପୁଲିସ ଏଯାଏଁ କିଙ୍ଗ୍‌ପିନ୍‌କୁ ଧରିବାକୁ  ସାହସ କରିୁନଥିବା କିଛି ଖୁଚୁରା ବେପାରୀ  କହିଛନ୍ତି । ଜଙ୍ଗଲରେ ଛୋଟ ବେପାରୀ  ପହଞ୍ଚି କିଙ୍ଗ୍‌ପିନ୍‌ଠାରୁ ମାଲ୍‌ ଆଣି ସିଟି  ରୋଡ୍‌ ସମେତ ସହରର ଗଳିକନ୍ଦିରେ  ବେପାର କରୁଛନ୍ତି । ସେପଟେ ପର୍ଯ୍ୟଟକ  ବହୁଳ ସିଟି ରୋଡ୍‌କୁ ବେପାରୀ ଜଣକ  ନିଜ କବ୍‌ଜାରେ ରଖିଛି । ସିଟି ରୋଡ୍‌ରେ  ଛତୁ ଫୁଟିଲା ଭଳି ବେଆଇନ୍‌ ଭାବେ ଏଜେଣ୍ଟ୍‌ମାନେ ଟୁର୍‌ ଆଣ୍ଡ୍‌ ଟ୍ରଭେଲ୍ସ ଖୋଲି  ବସୁଛନ୍ତି । କିଛି ଟୁର୍‌ ଆଣ୍ଡ୍‌ ଟ୍ରାଭେଲ୍ସରେ  ମାଳ ମାଳ ନିଶାଖୋର ଏକାଠି ହୋଇ  କାରବାର ଚଳାଉଥିବା ଅଭିଯୋଗ  ହୋଇଛି । ପର୍ଯ୍ୟଟକମାନେ ଏଠାରୁ  ସହଜରେ ବ୍ରାଉନ୍‌ସୁଗର୍‌ କିଣି ସେବନ  କରୁଥିବା ବେଳେ ସିଟି ରୋଡ ଅଞ୍ଚଳର ଅନେକ ନିଶାଖୋରଙ୍କୁ ସୁବିଧା ହେଉଥିବା  ସେହି ଅଞ୍ଚଳର ବୁଦ୍ଧିଜୀବୀମାନେ  କହିଛନ୍ତି । ଏଦିଗରେ ପୁଲିସ କଡ଼ା ନଜର  ଦେବାକୁ ଦାବି ହୋଇଛି । ସେହିପରି  ସହରର ଗଳିକନ୍ଦିରେ କାରବାର କରୁଥିବା  ବେପାରୀମାନେ ଏହି ନିଶା ବିକ୍ରି କରି  ଯାହା ଲାଭ ପାଉଛନ୍ତି ସେଥିରେ ନିଜେ  ଏହାକୁ ସେବନ କରି ବର୍ବାଦ୍‌ ହେଉଥିବା  ଅଭିଯୋଗ ହୋଇଛି । 

ପୁଲିସ ଉପରେ ଚାପ ପଡ଼ିଲେ  ବାବୁମାନେ ଛୋଟ ବେପାରୀଙ୍କୁ ଧରି ଖସି  ଯାଉଛନ୍ତି । ବେପାରୀ ଅଳ୍ପ ପରିମାଣର  ମାଲ୍‌ ରଖୁଥିବା କହି ମଦ ଓ କଫ୍‌ସିରପ୍‌  ଜବତ ମାମଲାରେ ଛନ୍ଦୁଥିବା ସୂଚନା  ମିଳିଛି । ତେଣୁ ସହଜରେ ଜାମିନ୍‌ ପାଇ  ପୁଣି ଏହି ର‌୍ୟାକେଟ୍‌ରେ ସେମାନେ ସକ୍ରିୟ ରହିବା ସହ ଅସାଧୁ ବାବୁମାନଙ୍କ ପକେଟ୍‌  ଗରମ କରିବାରେ ବ୍ୟସ୍ତ ରହୁଛନ୍ତି ।  ଏସ୍‌ପି ଏଦିଗରେ ଦୃଷ୍ଟି ଦେଲେ ଏଭଳି  ର‌୍ୟାକେଟ୍‌ର ପର୍ଦ୍ଦାଫାସ୍‌ ହେବ ବୋଲି  ଅନେକ ମତ ଦେଇଛନ୍ତି । ଏନେଇ ସିଟି  ଡିଏସ୍‌ପି ପ୍ରଶାନ୍ତ କୁମାର ସାହୁ କହିଛନ୍ତି  ଯେ, ମୁଁ ଏହି ର‌୍ୟାକେଟ୍‌ ସମ୍ପର୍କରେ  ଛାନ୍‌ଭିନ୍‌ କରିବି । ଅତିରିକ୍ତ ଏସ୍‌ପି  ସୁଶୀଲ ମିଶ୍ର କହିଛନ୍ତି ଯେ, କିଙ୍ଗ୍‌ପିନ୍‌କୁ  ଧରିବାକୁ ଯୋଜନା କରାଯିବ । କୌଣସି ପରିସ୍ଥିତିରେ ସହରରେ ଏଭଳି କାରବାର  ଚଳାଇ ଦିଆଯିବ ନାହିଁ । ସମୟ ସୁବିଧା  ଦେଖି କୌଶଳ କ୍ରମେ ଏହି ବେପାରୀକୁ  ଧରିବା ପାଇଁ ନିଶ୍ଚିତ ପଦକ୍ଷେପ ନିଆଯିବ  ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.