ବାସୁଦେବପୁର, ୨୬।୩: ଧାମରା ଡିଆର୍ଡିଓ ରାସ୍ତାରେ ଟ୍ରକ୍ ପଛରେ ପିଟିହେଲା ମାଛ ବୋଝେଇ ପିକଅପ୍ ଭ୍ୟାନ୍ । ଫଳରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ହୋଇଛି । ମୃତ ଡ୍ରାଇଭର ହେଲା କେନ୍ଦ୍ରାପଡ଼ା ଜିଲ୍ଲାର ରାମନଗର ଗ୍ରାମର ବାବୁଲ ସରକାର ବୋଲି ଜଣାପଡ଼ିଛି ।
ମଙ୍ଗଳବାର ଭୋର ସମୟରେ ଏହି ପିକଅପ୍ ଭ୍ୟାନ୍ଟି ମାଛ ନେଇ କେନ୍ଦ୍ରାପଡ଼ାରୁ ଧାମରା କାରଣପଲ୍ଲୀ ଆସୁଥିଲା । ଭୋର ସମୟରେ ସାମାନ୍ୟ ଅସାବଧାନତା ଯୋଗୁଁ ପିକଅପ୍ ଭ୍ୟାନ୍ଟି ରାସ୍ତା ପାଖରେ ଛିଡ଼ା ହୋଇଥିବା ଏକ ଲୁହାପଥର ବୋଝେଇ ଟ୍ରକ୍ ପଛରେ ପିଟି ହୋଇଯାଇଥିଲା । ଏହି ସ୍ଥାନରେ ଟ୍ରକ୍ଟି ପଳାଇଯାଇଥିବା ବେଳେ ପିକଅପ୍ ଡ୍ରାଇଭର ଷ୍ଟେରିଙ୍ଗରେ ଚାପିହୋଇ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ୨ ଜଣ ହେଲପରକୁ ଉଦ୍ଧାର କରି ପ୍ରଥମେ ବାସୁଦେବପୁର ଡାକ୍ତରଖାନା ଚିକିତ୍ସା ପାଇଁ ପଠାଇ ଥିବାବେଳେ ପରେ ଡ୍ରାଇଭରକୁ ଷ୍ଟେରିଙ୍ଗ ଭାଙ୍ଗି ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ପଠାଇଥିଲେ । ଏଠାରେ ହେଲପର ରାମକୃଷ୍ଣ ଶିକଦାର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭଦ୍ରକ ସ୍ଥାନାନ୍ତର କରାଯାଇଛି ।