ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନୀ ମଇଦାନ୍ ପ୍ରସ୍ତୁତ: ଏବେ ପ୍ରଚଣ୍ଡ ଲଢ଼େଇ, ଏକାକୀ ୨୧ ଲୋକସଭା, ୧୪୭ ବିଧାନସଭା ଲଢ଼ିିବେ ବିଜେଡି-ବିଜେପି

ଭୁବନେଶ୍ୱର,୨୩/୦୩: ଆଉ ବୁଝାମଣା ନୁହେଁ କି ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ନୁହେଁ, ପ୍ରଚଣ୍ଡ ଲଢ଼େଇ ବିଜେଡି ଓ ବିଜେପି ମଧ୍ୟରେ । ସବୁ ଦ୍ୱନ୍ଦ୍ୱ ଦୂର ହୋଇଗଲା । ମଇଦାନ ପ୍ରସ୍ତୁତ । ଘୋଷଣା ବି ହୋଇଗଲା ଯୁଦ୍ଧ । ପ୍ରଥମେ ଘୋଷଣା କଲା ବିଜେପି- ଏକାଠି ନୁହେଁ, ଏକାକୀ ଲଢ଼ିବୁ । ତାପରେ ବିଜେଡି ସ୍ପଷ୍ଟ କଲା- ଲଢ଼େଇ ହେବ । 

ଶୁକ୍ରବାର ଅପରାହ୍ନ ୩.୨୬ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୋସିଆଲ ମିଡିଆ ‘ଏକ୍ସ’ରେ ଏ ସୂଚନା ଦେଲେ- ‘ବିକଶିତ ଓଡ଼ିଶା ଗଠନ ପାଇଁ ଭାରତୀୟ ଜନତା ପାର୍ଟି ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ ।’ ମେଣ୍ଟ ହେବନି ବୋଲି ଦୁଇଦିନ ତଳୁ ସଙ୍କେତ ମିଳିଥିଲା ବେଳେ ମନମୋହନଙ୍କ ‘ଏକ୍ସ’ ପୋଷ୍ଟ ଏଥିରେ ମୋହର ମାରିଲା । କିଛି ସମୟ ମଧ୍ୟରେ ମନମୋହନଙ୍କ ଏହି ପୋଷ୍ଟକୁ ରିପୋଷ୍ଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ନେତା ଓ କର୍ମୀ ଖୁସିରେ ବାଜା ବଜାଇ, ବାଣ ଫୁଟାଇ ସେଲିବ୍ରେସନ କରିଛନ୍ତି ।

ବିଜୁ ଜନତା ଦଳର ପ୍ରତିକ୍ରିୟାକୁ ରାଜନୈତିକ ମହଲ ବେଶ୍‌ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲା । ସନ୍ଧ୍ୟା ବେଳକୁ ବିଜେଡି ସ୍ପଷ୍ଟ କଲା, ଦଳ ଏକା ଲଢ଼ିବ । ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ନିଜ ‘ଏକ୍ସ’ ହାଣ୍ଡଲରେ ପୋଷ୍ଟ କଲେ- ‘ବିଜେଡି ସମସ୍ତ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ । ଓଡ଼ିଶାବାସୀଙ୍କ ସମର୍ଥନ ଏବଂ ନବୀନ ପଟ୍ଟନାୟକଙ୍କ ନେତ୍ୱତ୍ୱରେ ଦଳ ତିନି ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବ ।’

ବିଜେଡି ଗତ ପ୍ରାୟ ୧୦ ମାସ ଧରି ଚଳାଇଛି ନିର୍ବାଚନ କ୍ଷେତ୍ର ପ୍ରସ୍ତୁତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ସାରା ରାଜ୍ୟ ବୁଲି ୫-ଟି ଅଧ୍ୟକ୍ଷ ଲୋକଙ୍କ ଅଭିଯୋଗ ଗ୍ରହଣ କରିଥିଲେ । ତ୍ୱରିତ ପଦକ୍ଷେପ ନେଇ ଅଧିକାଂଶ ଅଭିଯୋଗ ସମାଧାନ କରିଛନ୍ତି ସରକାର । ପ୍ରାୟ ପ୍ରତି ବର୍ଗ ପାଇଁ ଭେଟି ଘୋଷଣା କରିଛନ୍ତି ସରକାର । ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ବି ଏକ ପ୍ରକାର ସରି ଯାଇଥିଲା । ବିଜେଡି ନେତାଏ ଦୃଢ଼ୋକ୍ତି ଦେଉଛନ୍ତି- ୧୨୬ ବିଧାନସଭା, ୧୫ ଲୋକସଭା ଦଖଲ କରିବୁ ଏଥର ।

ବିଜେପି କସରତ ଝୁଲି ରହିଥିଲା ମେଣ୍ଟ ସମ୍ଭାବନା ଦ୍ୱନ୍ଦ୍ୱ ଭିତରେ, ଯଦିଓ ରାଜ୍ୟ ଶାଖା ମେଣ୍ଟ ବିରୋଧରେ ଥିଲା ପ୍ରଥମରୁ । ପ୍ରାର୍ଥୀ ତାଲିକା ଧରି ଦିଲ୍ଲୀରେ କସରତ ପରେ ପାଖାପାଖି ୧୬ ଲୋକସଭା ଏବଂ ୧୧୫ ବିଧାନସଭା ପ୍ରାର୍ଥୀ ଚୂଡ଼ାନ୍ତ ହୋଇଥିବା କୁହାଯାଉଛି । ବିଜେପି ନେତାଏ କହୁଛନ୍ତି, ଦଳ ୧୪ ଲୋକସଭା ଆଉ ୫୦ରୁ ୬୦ ବିଧାନସଭା ଜିତିବ ନିଶ୍ଚିତ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବି ଦୃଢ଼ୋକ୍ତି ଦେଇଛନ୍ତି, ଓଡ଼ିଶାରେ ବିଜେପି ଖୁବ୍‌ ବଢ଼ିଆ ପ୍ରଦର୍ଶନ କରିବ । ଲୋକସଭା ଏବଂ ବିଧାନସଭା ଆସନରେ ଅନେକ ଗୁଣ ବୃଦ୍ଧି ହେବ ଏଥର । ମେଣ୍ଟ ସମ୍ଭାବନା ମିଳାଇଯିବା ପରେ ଏଥର ଭୋଟ ଲଢ଼େଇ ଯେ ପ୍ରଚଣ୍ଡ ହେବ ତାହା ଜଳଜଳ । ଦୁଇ ଦଳ ସମରସଜ୍ଜା ଆରମ୍ଭ କରିଥିଲା ବେଳେ ଆଗକୁ ରାଜନୀତି ଆହୁରି ତତଲା ଧରିବ ।        ବିଜେଡି ଓ ବିଜେପି ରାଜ୍ୟରେ ସରକାର ଗଢ଼ିବାକୁ ଯେ ପରସ୍ପରକୁ କଡ଼ା ଟକ୍କର ଦେବେ ତାହା ଦୁଇଦଳର ଶୀର୍ଷ ନେତାଙ୍କ ବୟାନବାଜି ସ୍ପଷ୍ଟ କରୁଛି ।

ପ୍ରାୟ ୧ ମାସ ହେବ ବିଜେଡି-ବିଜେପି ମଧ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଦୁଇ ଦଳର ନେତା ଓ କର୍ମୀ ବେଶ ଛଟପଟ ହେଉଥିଲେ । ମାତ୍ର ତା’ ଭିତରେ ବି ଦୁଇ ଦଳ ପ୍ରାର୍ଥୀ ଚୟନ କସରତ ଜାରି ରଖିଥିଲେ । 

ମନମୋହନ କହିଛନ୍ତି, ସାଢ଼େ ୪ କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ଏକାକୀ ଲଢ଼ିବ । ଦେଶରେ ଯେଉଁସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଅଛି, ସେଠାରେ ବିକାଶ ଓ ଗରିବ କଲ୍ୟାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ସବୁ କ୍ଷେତ୍ରରେ ଏ ରାଜ୍ୟଗୁଡ଼ିକ ମଧ୍ୟ ଅଗ୍ରଗତି ହାସଲ କରୁଛନ୍ତି ।

ବିଜେପି ସଭାପତି ଉଲ୍ଲେଖ କରିଛନ୍ତି, ଓଡ଼ିଶାରେ ମୋଦି ସରକାରଙ୍କ ବହୁ କଲ୍ୟାଣକାରୀ ଯୋଜନା ତୃଣମୂଳସ୍ତରକୁ ପହଞ୍ଚି ପାରୁନାହିଁ । ରାଜ୍ୟର ଗରିବ ଭାଇ ଭଉଣୀମାନେ ଏସବୁର ସୁଫଳ ପାଇପାରୁ ନାହାଁନ୍ତି । ଓଡ଼ିଆ-ଅସ୍ମିତା, ଓଡ଼ିଶାର ଗୌରବ ଏବଂ ରାଜ୍ୟବାସୀଙ୍କ ସ୍ୱାର୍ଥ ସହ ଜଡ଼ିତ ବହୁ ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କ ସହ ସହମତ ନୁହଁ ।

ତେବେ ବିଜେଡି ଗତ ୧୦ ବର୍ଷ ହେବ ରାଷ୍ଟ୍ରୀୟ ମହତ୍ତ୍ୱ ଥିବା ଅନେକ ପ୍ରସଙ୍ଗରେ ମୋଦି ସରକାରଙ୍କୁ ସମର୍ଥନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ସଭାପତି ଶ୍ରୀ ସାମଲ । ସେପଟେ ବିଜେଡି ସାଙ୍ଗଠନିକ ସଂପାଦକ ଶ୍ରୀ ଦାସ ‘ଏକ୍ସ’ହାଣ୍ଡଲରେ ଉଲ୍ଲେଖ କରିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଆସ୍ଥା ବଳରେ ବିଜେଡି ରାଜ୍ୟର ସେବା କରିଆସୁଛି । ରାଜ୍ୟର ସବୁ କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ଆଣିଛି ।

ରାଷ୍ଟ୍ର ଗଠନ ପାଇଁ ସଂଘୀୟ ସହଯୋଗ ଓ ରାଷ୍ଟ୍ରବିକାଶ ମନୋଭାବକୁ ଧରି ବାଟ ଚାଲିବୁ । ଓଡ଼ିଶାବାସୀଙ୍କୁ ସବୁବେଳେ ଆଗରେ ରଖି ସେମାନଙ୍କ କଲ୍ୟାଣ ପାଇଁ ବିଜେଡି ନିଷ୍ପତ୍ତି ନେବ । ନୂତନ ଓ ସଶକ୍ତ ଓଡ଼ିଶା ଆମର ଲକ୍ଷ୍ୟ । ଆମର ଲୋକପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହାକୁ ହାସଲ କରିବା ଦିଗରେ ଆମେ ଆଗେଇ ଚାଲିଛୁ ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.