ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଓଡ଼ିଶାରୁ କେତେଜଣଙ୍କୁ ମିଳିବ ମନ୍ତ୍ରୀପଦ, ଧର୍ମେନ୍ଦ୍ର ଓ ଜୁଏଲଙ୍କ ନାଁକୁ ନେଇ ଦିଲ୍ଲୀରେ ଚର୍ଚ୍ଚା

ଭୁବନେଶ୍ୱର, ୦୮/୦୬ : ପ୍ରଧାନମନ୍ତ୍ରୀ ଭାବେ ପୁଣି ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ ଗଠନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ମୋଦିଙ୍କ ଏ ତୃତୀୟ ପାଳି ସରକାରରେ ଓଡ଼ିଶାରୁ କିଏ ହେବେ ମନ୍ତ୍ରୀ? ସାରା ରାଜ୍ୟବାସୀ ଏହା ଜାଣିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ୯ ତାରିଖରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ । ମୋଦିଙ୍କ କ୍ୟାବିନେଟ୍‌ରେ କାହାକୁ ସ୍ଥାନ ମିଳିବ ସେ ନେଇ ପ୍ରଧାନମନ୍ତ୍ରୀ ଆଜି ଦଳର ବରିଷ୍ଠ ନେତାମାନଙ୍କ ସହ ଚର୍ଚ୍ଚା କରିଛନ୍ତି । ଏନଡିଏର ସହଯୋଗୀ ଦଳର ମୁଖିଆଙ୍କ ସହ ମଧ୍ୟ ବିଚାରବିମର୍ଶ ହୋଇଛି । ମାତ୍ର ଓଡ଼ିଶାରୁ କିଏ, ତା’କୁ ନେଇ ନାନା ଆଲୋଚନା ହେଉଛି । 

ଓଡ଼ିଶାରୁ ନିର୍ବାଚିତ ୨୦ ବିଜେପି ସାଂସଦଙ୍କ ମଧ୍ୟରୁ ମୋଦି କାହାକୁ ନିଜ ଟିମ୍‌ରେ ନେବେ ଏହାକୁ ନେଇ ଜୋର ଧରିଛି ରାଜନୀତି । ଦିଲ୍ଲୀ ଦରବାରର ଚର୍ଚ୍ଚା କହୁଛି, ଓଡ଼ିଶାର ଫଳାଫଳକୁ ନେଇ ବିଜେପି ହାଇକମାଣ୍ଡ ପୂରା ଖୁସ୍‌ । ଦେଶରେ ବିଜେପିକୁ ଆଶାନୁରୂପ ଆସନ ମିଳିନି । ଓଡ଼ିଶାରେ କିନ୍ତୁ ଆଶାଠୁ ଅଧିକ ସିଟ୍‌ ମିଳିଛି । ତେଣୁ ଏଥର ଓଡ଼ିଶା ଭାଗରେ ୩ଟି ମନ୍ତ୍ରୀ ପଦ ପଡ଼ିପାରେ । ଗୋଟିଏ କ୍ୟାବିନେଟ୍‌ ପାହ୍ୟା ସହ ୨ଟି ରାଷ୍ଟ୍ରମନ୍ତ୍ରୀ ପଦ ଓଡ଼ିଶାକୁ ମିଳିଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଗତ ସରକାରରେ ଓଡ଼ିଶାରୁ ୨ ଜଣ ମନ୍ତ୍ରୀ ପଦ ପାଇଥିଲେ । ଅନୁଭବୀ ତଥା ଅଭିଜ୍ଞ ସାଂସଦ ଭର୍ତ୍ତୃହରି ମହତାବ ଲୋକସଭାରେ ବାଚସ୍ପତି ପଦରେ ବସିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ଶ୍ରୀ ମହତାବ କ୍ରମାଗତ ୭ଥର ସଂସଦକୁ ନିର୍ବାଚିତ ହୋଇଛନ୍ତି । ସଂସଦୀୟ ପରମ୍ପରା ଓ ବିଧି ସମ୍ପର୍କରେ ତାଙ୍କର ଯଥେଷ୍ଟ ଅନୁଭୂତି ଓ ଅଭିଜ୍ଞତା ରହିଛି । ଯଦି ସବୁକିଛି ଠିକ ରହେ, ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହଙ୍କ ସହ ଉତ୍ତମ ସଂପର୍କରେ ଥିବା ଭର୍ତ୍ତୃହରିଙ୍କ ମୁଣ୍ଡରେ ବାଚସ୍ପତି ମୁକୁଟ ଶୋଭା ପାଇପାରେ । ବିଜେପି ଏକାକୀ ସଂଖ୍ୟାଗରିଷ୍ଠତା ପାଇନଥିବାରୁ ସହଯୋଗୀ ଟିଡିପି ଓ ଜେଡିୟୁ ଆଡୁ ଚାପ ରହିଛି । ଚନ୍ଦ୍ରବାବୁ ନାଇଡୁ ଓ ନୀତିଶ କୁମାରଙ୍କ ଦାବି ଓ ସର୍ତ୍ତରେ ମଧ୍ୟ ଓଡ଼ିଶା ପ୍ରଭାବିତ ହେବାର ଆଶଙ୍କା ରହିଛି । 

ମନ୍ତ୍ରୀ ପଦ ପାଇଁ ଓଡ଼ିଶାରେ ବିଜେପିର ଚେହେରା ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ଶୀର୍ଷରେ ରହିଛି । ମୋଦିଙ୍କ ଦି ପାଳି ସରକାରରେ ଧର୍ମେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌, ଦକ୍ଷତା ବିକାଶ, ଇସ୍ପାତ ଓ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ବେଶ୍‌ ନିଷ୍ଠା ଓ ଦକ୍ଷତାର ସହ ତୁଲାଇଛନ୍ତି । ନିଜ କାର୍ଯ୍ୟଦକ୍ଷତା ଓ ପରିଶ୍ରମ ପାଇଁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଶ୍ରୀ ପ୍ରଧାନ ବେଶ୍‌ ଗୁରୁତ୍ୱ ପାଇଛନ୍ତି । ସାରା ଦେଶରେ ‘ଉଜ୍ଜଳା ମ୍ୟାନ୍‌’ ଭାବେ ପରିଚିତ ଧର୍ମେନ୍ଦ୍ରଙ୍କୁ ବିଜେପି ହାଇକମାଣ୍ଡ ଓଡ଼ିଶା ମୁଖ୍ୟମନ୍ତ୍ରୀ ପଦ ଦେବାର ମଧ୍ୟ ସମ୍ଭାବନା ରହିଛି । ତେବେ ତାଙ୍କୁ କେଉଁ ଗୁରୁ ଦାୟିତ୍ୱ ମିଳିବ ତାହା ଆସନ୍ତା ଦିନକ ମଧ୍ୟରେ ସ୍ପଷ୍ଟ ହୋଇଯିବ । ଜାତୀୟସ୍ତରରେ ଆଦିବାସୀ ଚେହେରା ଭାବେ ପରିଚିତ ଜୁଏଲ ଓରାମ ମଧ୍ୟ ମନ୍ତ୍ରୀପଦ ପାଇଁ ଦାବିଦାର ଅଛନ୍ତି । ୫ ଥର ସାଂସଦ ଭାବେ ନିର୍ବାଚିତ ଜୁଏଲ ବାଜପେୟୀ ସରକାରରେ ଆଦିବାସୀ ବ୍ୟାପାର ବିଭାଗର ପ୍ରଥମ ମନ୍ତ୍ରୀ ଭାବେ ଦାୟିତ୍ୱ ଦକ୍ଷତାର ସହ ତୁଲାଇଥିଲେ । ମୋଦିଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ମଧ୍ୟ ଶ୍ରୀ ଓରାମ ସେହି ଆଦିବାସୀ ବ୍ୟାପାର ବିଭାଗ ଭାର ସମ୍ଭାଳିଥିଲେ । ଅନ୍ୟତମ ଆଦିବାସୀ ଚେହେରା ତଥା କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଝାଡ଼ଖଣ୍ଡରେ ଏଥର ନିର୍ବାଚନରେ ପରାଜୟ ବରଣ କରିଛନ୍ତି । ତେଣୁ ଜୁଏଲ୍‌ଙ୍କ ମୁଣ୍ଡରେ ପୁଣି ସୁନା କଳସ ଢ଼ଳାଯିବାକୁ ଏଡ଼ାଇ ହେବ ନାହିଁ । 

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ପ୍ରତାପ ଷଡ଼ଙ୍ଗୀ ଓ ରୁଦ୍ରନାରାୟଣ ପାଣି ମଧ୍ୟ ମନ୍ତ୍ରୀ ପଦ ଦୌଡ଼ରେ ଅଛନ୍ତି । ପ୍ରତାପ ଷଡ଼ଙ୍ଗୀ ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ କିଛିଦିନ ପାଇଁ ମନ୍ତ୍ରୀ ପଦ ସମ୍ଭାଳିଥିଲେ । ବରିଷ୍ଠତା ଦୃଷ୍ଟିରୁ ରୁଦ୍ର ଓ ବୈଜୟନ୍ତଙ୍କ ଅଭିଜ୍ଞତାକୁ ମଧ୍ୟ ଦଳ ବିନିଯୋଗ କରିବାକୁ ଏଡ଼ାଇ ଦିଆଯାଇନପାରେ । ମହିଳା ଚେହେରା ଭାବେ ଅପରାଜିତାଙ୍କୁ ନେଇ ଦିଲ୍ଲୀ ମିଡିଆରେ ମଧ୍ୟ ଜୋର ଚର୍ଚ୍ଚା । ସାଂସଦ ଓ ଦଳୀୟ ମୁଖପାତ୍ର ଭାବେ ଅପରାଜିତାଙ୍କ ନିଷ୍ଠାକୁ ଦଳ ପାଖରୁ ଦେଖିଛି । ତେଣୁ ସେ ମଧ୍ୟ ମନ୍ତ୍ରୀ ପଦ ପାଇବାକୁ ଏଡ଼ାଇ ଦିଆଯାଇ ନପାରେ । ଏ ଓଜନିଆ ନେତାଙ୍କୁ ଛାଡ଼ି ସମ୍ବିତ୍‌ ପାତ୍ରଙ୍କ ଭଳି ନୂଆ ମୁହଁକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ କ୍ୟାବିନେଟ୍‌ରେ ନେବା ଅସମ୍ଭବ ନୁହେଁ । ତେବେ ଏ ସବୁ ପ୍ରଶ୍ନର ଉତ୍ତର ଶନିବାର ମିଳିଯିବ ବୋଲି ଅନୁମାନ କରାଯାଉଛି ।  ବାସ୍ତବତା ହେଉଛି ଯେ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଥିବା ନାମଠାରୁ ଚୂଡାନ୍ତ ନାମ ଭିନ୍ନ ହୋଇଥାଏ । ଓଡ଼ିଶାରୁ କିଏ ମୋଦିଙ୍କ ପସନ୍ଦ? ଏ ସମ୍ପର୍କରେ କୌଣସି ନେତା ମୁହଁ ଖୋଲୁନାହାନ୍ତି । ଜଣେ ବରିଷ୍ଠ ନେତା କହିଛନ୍ତି, ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବ ନ ପାଇବ ସେ ନିଷ୍ପତ୍ତି ଖୋଦ୍‌ ପ୍ରଧାନମନ୍ତ୍ରୀ ନେବେ । ସେଥିପାଇଁ ସେ ଶାହ ଓ ଅନ୍ୟ ବରିଷ୍ଠ ନେତାଙ୍କ ସହ ବିଚାର ଆଲୋଚନା ଚଳାଇଛନ୍ତି । ଯେହେତୁ ଓଡ଼ିଶାର ଭୋଟ ଫଳ ବିଜେପିକୁ ବଞ୍ଚାଇ ଦେଇଛି, ପ୍ରତିଦାନରେ ମୋଦି ଅଧିକ ମନ୍ତ୍ରୀ ପଦ ଓ ବାଚସ୍ପତି ପଦ ମଧ୍ୟ ଦେବାର ଯଥେଷ୍ଟ ସମ୍ଭାବନା ରହିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.