ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଏବେବି ପାରାଦୀପ ଆସନ ପାଇଁ ଭିତିରି ଯୁଦ୍ଧ, ଶଙ୍ଖଭବନରେ ବାପି ସର୍ଖେଲ୍‌, ମୁହଁ ଖୋଲିଲେ ସମ୍ବିତ୍‌

ଜଗତସିଂହପୁର, ୨୮/୦୩ : ଶାସକ ବିଜେଡି ପକ୍ଷରୁ ଜଗତସିଂହପୁର ଲୋକସଭା ଆସନ ପାଇଁ ସାଂସଦ ଡ. ରାଜଶ୍ରୀ ମଲିକଙ୍କୁ ପୁଣି ଏଥର ପ୍ରାର୍ଥୀ କରାଯାଇଥିବା ବେଳେ ଜିଲ୍ଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କିନ୍ତୁ ଏଯାବତ୍‌ ପ୍ରାର୍ଥୀ ଘୋଷଣା କରାଯାଇନଥିବାରୁ ଅନେକ ଆଶାୟୀ ନେତାଙ୍କ ରକ୍ତଚାପ ବଢ଼ିଯାଇଛି । ପଡ଼ୋଶୀ କେନ୍ଦ୍ରାପଡ଼ା ଜିଲ୍ଲାର ଅନେକ ଆସନ ନିମନ୍ତେ ଦଳୀୟ ପ୍ରାର୍ଥୀ ଚୂଡ଼ାନ୍ତ ହୋଇ ସାରିଥିବାରୁ ଜଗତସିଂହପୁର ଜିଲ୍ଲା କ୍ଷେତ୍ରରେ ଉପର ମହଲରେ ଘଣ୍ଟାଚକଟା ଚାଲିଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି । ଛକାପଞ୍ଝାର ରାଜନୀତି ଭିତରେ ରାଜଧାନୀର ଶଙ୍ଖଭବନରେ ପାରାଦୀପ ନିର୍ବାଚନମଣ୍ଡଳୀର କିଛି ଅସନ୍ତୁଷ୍ଟ ନେତା, କର୍ମୀ ପହଞ୍ଚି ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ସ୍ୱର ଉଠାଇଥିଲେ । 

ଶଙ୍ଖଭବନରେ ପାରାଦୀପର ଶ୍ରମିକ ନେତା ବାପି ସର୍ଖେଲ ଉପସ୍ଥିତ ଥିଲେ । ନିକଟରେ ବାପିଙ୍କ ପତ୍ନୀ ମୋନିଦୀପା ସର୍ଖେଲ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ବାପିଙ୍କୁ ଦେଖି ଶଙ୍ଖଭବନ ଯାଇଥିବା ଅସନ୍ତୁଷ୍ଟ ନେତା ଓ କର୍ମୀମାନେ ଆବାକାବା ହୋଇଯାଇଥିଲେ । ଦଳୀୟ ସଙ୍ଗଠନ ଓ ନିଜ ଅସନ୍ତୋଷ ସଂପର୍କରେ ଅଧିକ କିଛି ମୁହଁ ଖୋଲି କହିପାରି ନଥିଲେ ବୋଲି ଚର୍ଚ୍ଚା ହେଉଛି । ତଥାପି ବ୍ୟସ୍ତତା ଭିତରେ କିଛି ସମୟ ପାଇଁ ଦଳର ଏହି ଅସନ୍ତୁଷ୍ଟ ନେତା ଓ କର୍ମୀମାନଙ୍କୁ ଭେଟିଥିଲେ ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅରୁଣ ସାହୁ ପ୍ରମୁଖ । ତେବେ ଏ ପ୍ରସଙ୍ଗରେ ବିଧାୟକ ଶ୍ରୀ ରାଉତରାୟଙ୍କ ସହ ଆଲୋଚନା କରାଯିବ ଏବଂ ହାଇକମାଣ୍ଡଙ୍କୁ ଅବଗତ କରାଯିବା ପରେ ନିଷ୍ପତ୍ତି ଜଣାଇ ଦିଆଯିବ ବୋଲି ଉପସ୍ଥିତ ଗୋଷ୍ଠୀଙ୍କୁ କିଛି ନେତା ପ୍ରତିଶ୍ରୁତି ଦେଇଥିବା ଖବର ମିଳିଛି । ଏଣେ ରାଜ୍ୟ ନେତୃବୃନ୍ଦଙ୍କ ଏପରି ରୋକଠୋକ୍‌ ଉତ୍ତର ଶୁଣି କିଛି ଅସନ୍ତୁଷ୍ଟ ନେତା ଓ କର୍ମୀ ନିରାଶ ହୋଇ ଫେରିଥିବା ଜଣାପଡ଼ିଛି । କିନ୍ତୁ ବରିଷ୍ଠ ନେତା ଡା. ଦାମୋଦର ରାଉତଙ୍କ ଏକାଦଶାହ ନଯାଉଣୁ ତାଙ୍କ ପୁଅ ତଥା ପାରାଦୀପ ବିଧାୟକଙ୍କ ବିରୋଧରେ ଏଭଳି ମୋର୍ଚ୍ଚା ଖୋଲାଯିବାକୁ ନେଇ ନିର୍ବାଚନମଣ୍ଡଳୀର ବହୁ ଦଳୀୟ କର୍ମୀ ଓ ନେତା ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ପାରାଦୀପ ବିଧାୟକ ଶ୍ରୀ ରାଉତରାୟ ମଧ୍ୟ ମୁହଁ ଖୋଲି ଶଙ୍ଖଭବନ ଯାଇଥିବା ବିରୋଧୀ ଗୋଷ୍ଠୀରେ ବିଜେଡି ପରିବର୍ତ୍ତେ ଅନେକ ବିଜେପି କର୍ମୀ ସାମିଲ ଥିବା କହିଛନ୍ତି । 

ଅନ୍ୟପଟେ ରାଜ୍ୟର ଅନେକ ଆସନ ପାଇଁ ଦଳୀୟ ଟିକଟ ଘୋଷଣା ପରଠୁ ଜଗତସିଂହପୁର ଜିଲ୍ଲା ବିଜେଡି ରାଜନୀତି ପୁଣି ହଲ୍‌ଚଲ୍‌ ସ୍ତରକୁ ଚାଲି ଆସିଛି । ତିର୍ତ୍ତୋଲ ବିଧାନସଭା ଆସନରେ ନୂଆଁ ମୁହଁର ସମ୍ଭାବନା ଥିବା ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ବାଲିକୁଦା-ଏରସମା, ଜଗତସିଂହପୁର ଆସନ ପାଇଁ ସସ୍‌ପେନ୍ସ ଅଧିକ ବଢି଼ଛି । ବିଶେଷକରି ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରଶାନ୍ତ ମୁଦୁଲି ଓ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସଙ୍କ ଭିତରୁ ଜଣଙ୍କୁ ଟିକଟ୍‌ ପ୍ରଦାନ ନେଇ ଉପର ମୁଣ୍ଡରେ କାଗଜଚାଷ ଚାଲିଥିବା ପ୍ରଚାର କରାଯାଉଛି । ଏମିତିକି ପ୍ରଶାନ୍ତଙ୍କୁ ତାଙ୍କ ପୂର୍ବ ନିର୍ବାଚନମଣ୍ଡଳୀ ବାଲିକୁଦା-ଏରସମାରୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ମିଳିପାରେ ବୋଲି ଆଲୋଚନା ଦାନା ବାନ୍ଧିଥିବା ବେଳେ ବିଧାୟକ ରଘୁନନ୍ଦନ ଦାସଙ୍କ ରାଜନୈତିକ ଭବିଷ୍ୟତ ଅନିଶ୍ଚିତତା ଦେଇ ଗତି କରୁଥିବା କୁହାଯାଉଛି । ସରଗରମ ରାଜନୀତି ଭିତରେ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଏଣ୍ଟ୍ରି ମାରିପାରନ୍ତି । ବିଜେଡି ଟିକଟରେ ସେ ଜଗତସିଂହପୁରରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଛି । 

ଅପରପକ୍ଷରେ ଅମରେନ୍ଦ୍ର ସେନା ବିଦ୍ରୋହ ବି କରିପାରନ୍ତି ବୋଲି ଆଶଙ୍କା କରାଗଲାଣି । ଚର୍ଚ୍ଚା ଚାଲିଛି କି ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରୁ ଶାରଦା ଜେନାଙ୍କୁ ଦଳର ଟିକଟ ମିଳିପାରେ । ମୋନୀଦିପା ସର୍ଖେଲ ମଧ୍ୟ ବାଜି ମାରି ନେଇପାରନ୍ତି । ସେହିପରି ପାରାଦୀପ ଆସନରୁ ଇଂ. ପ୍ରମୋଦ କିଶୋର ଜେନାଙ୍କ ଭଳି ଅନେକ ଆଶାୟୀ ଥିଲେ ସୁଦ୍ଧା ବିଧାୟକ ସମ୍ବିତଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟଙ୍କୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ମିଳିପାରେ । ତିର୍ତ୍ତୋଲରୁ ବିଜେଡି ଟିକଟ୍‌ ପାଇଁ ଆଶାୟୀ ରହିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ, ପ୍ରଫେସର ରମାକାନ୍ତ ଭୋଇ, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ ବେହେରା ପ୍ରମୁଖ । ଅବଶିଷ୍ଟ ୩ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ଶେଷ ମୁହୂର୍ତ୍ତରେ ହଟଚମଟ ଆଣିପାରନ୍ତି ବୋଲି କୁହାଯାଉଛି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.